New Indian Express
ଭୁବନେଶ୍ବର : ବିଏମ୍ସି ୱାର୍କର୍ସ ୟୁନିୟନ୍ ପକ୍ଷରୁ ଭୁବନେଶ୍ବରସ୍ଥିତ ଶ୍ରମିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଏମ୍ସିର ସଫେଇ କର୍ମଚାରୀମାନଙ୍କୁ ଅବହେଳା କରାଯାଉଥିବା ନେଇ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ରାଜଧାନୀକୁ ସଫା ରଖିବାକୁ ସେମାନେ କାମ କରୁଥିବା ବେଳେ ସେମାନଙ୍କର ଦୁଃଖ ଓ ସମସ୍ୟା ସମାଧାନ କରିବା କର୍ତ୍ତୃପକ୍ଷଙ୍କ କାମ ବୋଲି ସେମାନେ କହିଥିଲେ।
ସଂଘ ପକ୍ଷରୁ କୁହାଯାଇଛି ଯେ ସଫେଇ କର୍ମଚାରୀମାନଙ୍କୁ ଗ୍ଲୋଭ୍ସ, ମାସ୍କ, ଜୋତା, ସାବୁନ, ଏବଂ ତେଲ ପ୍ରଦାନ କରାଯାଉନାହିଁ। ସେହିଭଳି ସ୍ବେରେଜ୍ ଲାଇନ୍ ଭିତରକୁ ପଶିଲା ବେଳେ ଆବଶ୍ୟକ ସୁରକ୍ଷା ଉପକରଣ ମଧ୍ୟ ଦିଆଯାଉନାହିଁ। ସେମାନେ ସ୍ଥାୟୀ ଭାବରେ କାମ କରୁଥିବା ବେଳେ ଠିକାଦାର ବଦଳୁଛନ୍ତି। ଫଳରେ ସେମାନେ ଠିକାଦାରଙ୍କ ଦ୍ବାରା ଶୋଷଣର ଶିକାର ହେଉଛନ୍ତି। ସେମାନଙ୍କୁ ବାର୍ଷିକ ଛୁଟି, ପର୍ବପର୍ବାଣି ଛୁଟିରେ କାମ କରାଉଥିଲେ ବି ମଜୁରି ମିଳୁ ନାହିଁ। ଅନେକ ସମୟରେ ୬୦ବର୍ଷ ବୟସ ପୂର୍ବରୁ ବାଧ୍ୟତାମୂଳକ ଅବସର ଦିଆଯାଉଛି, ଅଥଚ ସେମାନଙ୍କର ପ୍ରାପ୍ୟ ଦିଆଯାଉନାହିଁ। ପାଇଖାନା ସଫା କରିବା ସମୟରେ ମୃତ୍ୟୁବରଣ କରୁଥିବା ଶ୍ରମିକମାନଙ୍କ ପରିବାରକୁ କୌଣସି ସାହାଯ୍ୟ ଦିଆଯାଉନାହିଁ ବୋଲି ସଂଘର ସଭାପତି ବିଷ୍ଣୁ ମହାନ୍ତି କହିଛନ୍ତି। ଯଦି ଆଗାମୀ ଦିନରେ ଦାବି ପୂରଣ କରାନଯାଏ, ମେ’ ୨ ତାରିଖ ପରଠାରୁ ଅର୍ଥାତ୍ ଶ୍ରମିକ ଦିବସ ପରଠାରୁ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସଭାପତି ଶ୍ରୀ ମହାନ୍ତି କହିଛନ୍ତି।
Follow Us