ସରକାରୀ ଆୟୁର୍ବେଦ ଚିକିତ୍ସାଳୟକୁ ଅଣଦେଖା

Advertisment
ସରକାରୀ ଆୟୁର୍ବେଦ ଚିକିତ୍ସାଳୟକୁ ଅଣଦେଖା

ଭୁବନେଶ୍ବର: ଦିନକୁ ଦିନ ଆୟୁର୍ବେଦ ଚିକିତ୍ସା ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ବଢ଼ିବାରେ ଲାଗିଛି। କିନ୍ତୁ ସରକାରଙ୍କ ଚିକିତ୍ସାଳୟ ପ୍ରତି ଆନ୍ତରିକତା ଦିନକୁ ଦିନ କମିବାରେ ଲାଗିଛି। ରାଜଧାନୀର ଏକମାତ୍ର ଆୟୁର୍ବେଦ ହସ୍ପିଟାଲର ଅବସ୍ଥାରୁ ଏହା ସ୍ପଷ୍ଟ ଅନୁମେୟ। କର୍ମଚାରୀ ଅଭାବରୁ ରାଜଧାନୀରେ ଥିବା ଏହି ଆୟୁର୍ବେଦ ହସ୍ପିଟାଲ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ହସ୍ପିଟାଲର ସମୁଦାୟ ୫୬ଟି ପଦବିରୁ ମାତ୍ର ୨୪ଟିରେ କର୍ମଚାରୀ ଥିବା ବେଳେ ବାକି ୩୨ଟି ପଦ ଖାଲି ପଡ଼ିଛି। ୱାର୍ଡ ଆଟେଣ୍ଡାଣ୍ଟଙ୍କ ସ୍ଥାନରେ ଝାଡ଼ୁଦାରଙ୍କ ସହାୟତା ନେବାକୁ ପଡ଼ୁଥିବା ଚିକିତ୍ସାଳୟର କର୍ମଚାରୀମାନେ ଅଭି‌ଯୋଗ କରିଛନ୍ତି।

ଲାବରେଟୋରି ଟେକନିସିଆନ୍ ନଥିବାରୁ ପରୀକ୍ଷା ଠପ୍

ୱାର୍ଡ ଆଟ‌େଣ୍ଡାଣ୍ଟଙ୍କ ସ୍ଥାନ ନେଇଛନ୍ତି ଝାଡ଼ୁଦାର

ସୂଚନା ଅନୁସାରେ ଓଡ଼ିଶାରେ ମୋଟ ୫ଟି ଆ‌ୟୁର୍ବେଦ ଚିକିତ୍ସାଳୟ ରହିଛି। ସେଥିମଧ୍ୟରୁ ପୁରୁଣା ଭୁବନେଶ୍ବରସ୍ଥିତ ନାଗେଶ୍ବରଟାଙ୍ଗି ଠାରେ ଏକ ଆୟୁର୍ବେଦ ଚିକିତ୍ସାଳୟ ରହିଛି। ଦିନକୁ ଦିନ ଏଠାକୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ପ୍ରତିଦିନ ପ୍ରାୟ ୫୦ରୁ ଅଧିକ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି‌। ୪୦ ଶଯ୍ୟା ବିଶିଷ୍ଟ ଏହି ଚିକିତ୍ସାଳୟରେ ବର୍ତ୍ତମାନ ୨୬ରୁ ଅଧିକ ରୋଗୀ ଭର୍ତ୍ତି ‌ହୋଇ ଚିକିତ୍ସିତ ହେଉଛନ୍ତି। କିନ୍ତୁ ହସ୍ପିଟାଲରେ‌ ମୋଟ ୧୦ଜଣ ୱାର୍ଡ ଆଟେଣ୍ଡାଣ୍ଟଙ୍କ ଆବଶ୍ୟକତା ଥିବା ବେଳେ ଅଛନ୍ତି ମାତ୍ର ଜଣେ। ତେଣୁ ହସ୍ପିଟାଲ ତରଫରୁ ୩ଜଣ ଝାଡ଼ୁଦାରଙ୍କୁ ଆଟେଣ୍ଡାଣ୍ଟ କାମ କରିବାକୁ କୁହାଯାଇଛି। କେବଳ ଆଟେଣ୍ଡାଣ୍ଟଙ୍କ କଥା ନୁହେଁ ୧ମାସ ହେବ ଲାବରେଟୋରି ଟେକନିସିଆନ୍ ଅବସର ଗ୍ରହଣ କରିଥିବାରୁ ତାଙ୍କ ସ୍ଥାନ ପୂରଣ ପାଇଁ କେହି ଆସିନଥିବାରୁ ହସ୍ପିଟାଲର ଲ୍ୟାବରେ ହେବାକୁ ଥିବା ବିଭିନ୍ନ ରୋଗ ପରୀକ୍ଷା କରାଯାଇପାରୁ ନାହିଁ।

ଏହାସହ ହସ୍ପିଟାଲରେ ‌ବିଭିନ୍ନ ରୋଗର ୨ଟି ସ୍ପେସାଲିଷ୍ଟ୍ ଡାକ୍ତର ପଦ ମଧ୍ୟ ଖାଲି ରହିଛି। ଗୋଟିଏ ଫାର୍ମାସିଷ୍ଟ ପଦ ମଧ୍ୟ ଖାଲି ଥିବାରୁ ତାଙ୍କ କାମ କମ୍ପାଉଣ୍ଡର କରୁଛନ୍ତି। ଏଥିସହ ୨ଟି ଗ୍ରୁପ ସି ଓ ଗ୍ରୁପ ଡିର ବିଭିନ୍ନ ଆସିଷ୍ଟାଣ୍ଟ ପଦ, ଲାବରେଟୋରି ଆଟେଣ୍ଡାଣ୍ଟ, ପଞ୍ଚକର୍ମ ବିଭାଗରେ ଗୋଟିଏ ଲେଖାଏ ପୁରୁଷ ଓ ମହିଳା ମାସେଜର ପଦ, ଗୋଟିଏ ଲେଖାଏ ପିଅନ, ‌ରୋଷେୟା, ଚୌକିଦାର, ଧୋବି, ଲେଡି ଆଟେଣ୍ଡାଣ୍ଟ୍ ଓ ୬ଟି ଝାଡୁଦାର ପଦ ଖାଲି ରହିଛି। ଏହାସହ ହସ୍ପିଟାଲରେ ବିଭିନ୍ନ ଔଷଧ ମଧ୍ୟ ମିଳୁନଥିବା ରୋଗୀ ଅଭିଯୋଗ କରିଛନ୍ତି। ଏବାବଦରେ ହସ୍ପିଟାଲର ଉପଅଧୀକ୍ଷକଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ଖାଲି ପଦ ପୂରଣ ପାଇଁ ଆୟୁଷ ବିଭାଗ ନି‌ର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି। ଖୁବଶୀଘ୍ର ଏବବାଦରେ ନିର୍ଦ୍ଦେଶକ ନିଷ୍ପତ୍ତି ନେଇପାରନ୍ତି ବୋଲି ସେ ଆଶାପୋଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe