ଭୁବନେଶ୍ବର: ରାଜଧାନୀର ସ୍ବଚ୍ଛତା ଚୁଲିକୁ ଗଲାଣି। ଭିଆଇପି, ଭିଭିଆଇପି ଅଞ୍ଚଳରେ ଟିକେ ବାଟରେ ଅଛି, କିନ୍ତୁ ଯେଉଁଠି ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ, ଗରିବ ଲୋକେ ରହୁଛନ୍ତି, ସେଠାରେ ଏଜେନ୍ସିମାନେ ଖୋଲାଖୋଲି ଠକୁଛନ୍ତି। ରାଜଧାନୀ ଉପକଣ୍ଠ ସ୍ଥିତି ଆହୁରି ସଂଗୀନ। ଉପକଣ୍ଠ ଅଞ୍ଚଳ ୱାର୍ଡରୁ ଅଳିଆ ମାସ ମାସ ଧରି ଉଠୁନି। ଅଧିକ ବିଭ୍ରାଟ ଦେଖାଦେଇଛି ଘରକୁ ଘର ଅଳିଆ ସଂଗ୍ରହକୁ ନେଇ। ଠିକାସଂସ୍ଥାମାନେ ଠିକ୍ରେ କାମ କରୁନାହାନ୍ତି। ଏଥିପାଇଁ ଅଭିଯୋଗର ଫର୍ଦ୍ଦ ବି ଲମ୍ବିବାରେ ଲାଗିଛି। ଦୈନିକ ୧୯୨୯ ହେଲ୍ପଲାଇନ୍ ନମ୍ବର ଓ ଏକ୍ସ ହ୍ୟାଣ୍ଡଲ୍ରେ ଶହ ଶହ ଅଭିଯୋଗ ଆସୁଛି। ତଥାପି ଅଦୃଶ୍ୟ ଚାପରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଏଜେନ୍ସିଙ୍କଠାରେ ହାତ ମାରୁନି।
ଏଭଳି ବିଭ୍ରାଟ ଫଳରେ ଘରକୁ ଘର ଅଳିଆ ସଂଗ୍ରହ ଓ ରାସ୍ତାଘାଟ ସଫେଇ ଏଜେନ୍ସିଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। କାରଣ ଘରକୁ ଘର ଅଳିଆ ସଂଗ୍ରହ ଗାଡ଼ି ନିୟମିତ ଓ ସମୟରେ ପହଞ୍ଚୁ ନଥିବାରୁ ଲୋକେ ରାସ୍ତାଘାଟରେ ଘରର ଅଳିଆ ପିଙ୍ଗୁଛନ୍ତି। ଯାହାକୁ ରାସ୍ତାଘାଟ ସଫା ଦାୟିତ୍ବ ନେଇଥିବା ଏଜେନ୍ସିମାନେ ସଫା କରୁଛନ୍ତି। କିନ୍ତୁ ବିଏମ୍ସି ପୁଳାପୁଳା ଟଙ୍କା ଗଣୁଥିଲେ ବି ଘରକୁ ଘର ଅଳିଆ ସଂଗ୍ରହ ଦାୟିତ୍ବ ନେଇଥିବା ଏଜେନ୍ସିଙ୍କୁ ହାତ ମାରୁ ନଥିବାରୁ ରାସ୍ତାଘାଟ ସଫେଇ ଏଜେନ୍ସିମାନେ ବି ଗାଲୁ ମାରୁଛନ୍ତି। ରାସ୍ତାଘାଟ ଠିକ୍ରେ ସଫା କରୁନାହାନ୍ତି, ସାହି ଗଳିକନ୍ଦି ଆବର୍ଜନାମୟ ହୋଇଗଲାଣି। ଯାହାର ଦୁର୍ଦ୍ଦଶା ସାଧାରଣ ଲୋକେ ଭୋଗୁଛନ୍ତି। ୱାର୍ଡର ପରିମଳ ସ୍ଥିତି ଅନୁଧ୍ୟାନ ପାଇଁ ସୁପରଭାଇଜର୍ ଓ କନିଷ୍ଠ ପରିମଳ ଏକ୍ସପର୍ଟମାନଙ୍କୁ ନିୟୋଜିତ କରାଯାଇଥିଲେ ବି ଏମାନେ ଏଜେନ୍ସି ସହ ସଲାସୁତରାରେ ଚାଲିଛନ୍ତି। ଯଦି ଘରକୁ ଘର ଅଳିଆ ସଂଗ୍ରହ ଦାୟିତ୍ବ ଯେଉଁ ଏଜେନ୍ସି ନେଇଛି, ସେହି ଏଜେନ୍ସିକୁ ରାସ୍ତାଘାଟ ସଫା ଦାୟିତ୍ବ ମିଳନ୍ତା, ଏମାନେ ବିଏମ୍ସି ପାଖରେ ଉତ୍ତରଦାୟୀ ହୋଇପାରନ୍ତେ ଓ ସ୍ବଚ୍ଛତା ବି ବଜାୟ ରୁହନ୍ତା। ଏଥିପାଇଁ ବହୁବାର କର୍ପୋରେସନ୍ ବୈଠକରେ ଦାବି ହେଲାଣି। କିନ୍ତୁ ପରିମଳ ଷ୍ଟାଣ୍ଡିଂ କମିଟି ଓ ବିଏମ୍ସି ଶୁଣିବାକୁ ନାରାଜ।
ପରିମଳ କଥା ଦେଖିଲେ, ବିଏମ୍ସି ଉତ୍ତର ଜୋନ୍-୧ ଅଧୀନରେ ୧, ୨, ୩, ୪, ୫, ୬, ୯, ୧୦, ୧୧, ୧୨, ୧୭ ଓ ୧୮ ନମ୍ବର ୱାର୍ଡ, ଉତ୍ତର ଜୋନ୍-୨ ଅଧୀନରେ ୭, ୮, ୧୩, ୧୪, ୧୫, ୧୬, ୨୦, ୨୧, ୨୨, ୨୫, ୨୬ ଓ ୨୭ ନମ୍ବର ୱାର୍ଡ, ଦକ୍ଷିଣ-ପୂର୍ବ ଜୋନ୍-୧ ଅଧୀନରେ ୧୯, ୩୦, ୩୧, ୩୨, ୩୩, ୩୪, ୪୧, ୪୨ ଓ ୪୩ ନମ୍ବର ୱାର୍ଡ, ଦକ୍ଷିଣ-ପୂର୍ବ ଜୋନ୍-୨ ଅଧୀନରେ ୨୮, ୨୯, ୩୫, ୩୬, ୩୭, ୩୮, ୩୯, ୪୦, ୪୬ ଓ ୪୭ ନମ୍ବର ୱାର୍ଡ, ଦକ୍ଷିଣ-ପଶ୍ଚିମ ଜୋନ୍-୧ ଅଧୀନରେ ୪୪, ୪୫, ୫୩, ୫୪, ୫୫, ୫୬, ୫୭, ୫୮, ୫୯, ୬୦, ୬୧ ଓ ୬୭ ନମ୍ବର ୱାର୍ଡ ଏବଂ ଦକ୍ଷିଣ-ପଶ୍ଚିମ ଜୋନ୍-୨ ଅଧୀନରେ ୨୩, ୨୪, ୪୮, ୪୯, ୫୦, ୫୧, ୫୨, ୬୨, ୬୩, ୬୪, ୬୫ ଓ ୬୬ ନମ୍ବର ୱାର୍ଡ ରହିଛି। ପୂର୍ବରୁ ବିଏମ୍ସି ଘରକୁ ଘର ଅଳିଆ ସଂଗ୍ରହ ପାଇଁ ୬୭ଟି ୱାର୍ଡକୁ ଜୋନ୍ୱାରି ୬ଟି ପ୍ୟାକେଜ୍ରେ ବିଭକ୍ତ କରି ଏଜେନ୍ସି ନିୟୋଜିତ କରିଥିଲା। ଜୋନ୍ୱାରି ବଦଳରେ ଏଜେନ୍ସିଙ୍କୁ ୱାର୍ଡ ଭାଗ ବାଣ୍ଟି ଦିଆଯାଇଥିଲା। କିନ୍ତୁ ଚଳିତଥର ଏଜେନ୍ସିଙ୍କ ଅଭାବ ଦର୍ଶାଇ ୬୭ଟି ୱାର୍ଡକୁ ଜୋନ୍ୱାରି ୬ଟି ପ୍ୟାକେଜ୍କୁ ତିନି ଏଜେନ୍ସି ମଧ୍ୟରେ ବାଣ୍ଟି(ଦୁଇଟି ଲେଖାଏଁ) ଦିଆଯାଇଛି। ଏବେ ଦେଖାଯାଉଛି ନିୟମିତ ଦୁଆରେ ଗାଡ଼ି ପହଞ୍ଚୁନି କି ଅଳିଆ ସଂଗ୍ରହ କରୁନି। ସେପଟେ ପ୍ରାପ୍ୟ ପାଇଁ ଅଧିକାଂଶ ସମୟ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଉଥିବାରୁ ଘରକୁ ଘର ଅଳିଆ ସଂଗ୍ରହ ଗୁରୁତର ପ୍ରଭାବିତ ହେଉଛି। ତିନିଦିନ ତଳେ ବି ସଫେଇ କର୍ମଚାରୀମାନେ ପ୍ରାପ୍ୟ ପାଇଁ କାର୍ଯ୍ୟ ବନ୍ଦ କରି ବିଏମ୍ସି କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଥିଲେ। ଫଳସ୍ବରୂପ ସେଦିନ ଯେଉଁ ଯେଉଁ ୱାର୍ଡର ସଫେଇ କର୍ମଚାରୀମାନେ ଆସିଥିଲେ, ସେଠାରେ ଘରକୁ ଘର ଅଳିଆ ସଂଗ୍ରହ ହୋଇପାରି ନଥିଲା।
ଅଭିଯୋଗ ହୋଇଛି, ଏଜେନ୍ସି ହୁଅନ୍ତୁ କି ସ୍ବଚ୍ଛ କର୍ମଚାରୀ, ଏମାନେ କର୍ପୋରେଟର୍ଙ୍କ ଛତ୍ରଛାୟା ତଳେ ଅଛନ୍ତି। ଏଣୁ ଏମାନଙ୍କୁ ଆକଟ ଅବା ଜରିମାନା କରିବାକୁ ବିଏମ୍ସି ପଛଘୁଞ୍ଚା ହେଉଛି। ସେପଟେ ସ୍ଥିତି ଅନୁଧ୍ୟାନ ପାଇଁ ନିୟୋଜିତ ପରିମଳ ନିରୀକ୍ଷକ ଓ ଅନ୍ୟ କର୍ମଚାରୀମାନେ ବି କର୍ପୋରେଟର୍ଙ୍କ କଥାରେ ପରିଚାଳିତ ହେଉଛନ୍ତି। ଏଣୁ ତୃଣମୂଳ ସ୍ଥିତିର ଅନୁଧ୍ୟାନ ରିପୋର୍ଟ ଗୋଳମାଳିଆ ହେଉଛି। ରାଜଧାନୀରେ ଆବର୍ଜନା ପରିଚାଳନା ନେଇ ଉଠୁଥିବା ପ୍ରସଙ୍ଗରେ ବିଏମ୍ସି ଡେପୁଟି କମିସନର ଏନ୍ ଗଣେଶ ବାବୁ କହିଛନ୍ତି ଯେ ଯେଉଁ ଏଜେନ୍ସିମାନେ ଠିକ୍ ଭାବେ ଅଳିଆ ଉଠାଉନାହାନ୍ତି, ସେମାନଙ୍କୁ ଜରିମାନା କରାଯିବାର ବ୍ୟବସ୍ଥା ରହିଛି। ତେଣୁ ଯେଉଁ ଅଞ୍ଚଳରେ ଏଭଳି ଅବ୍ୟବସ୍ଥା ରହିଛି, ସେଠାରେ ନିୟୋଜିତ ଏଜେନ୍ସି ବିରୋଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଦୟାନଦୀ ଲିଙ୍ଗିପୁର ପଠାରେ ବିଏମ୍ସି ଆବର୍ଜନା
ଦୟାନଦୀ ଲିଙ୍ଗିପୁର ପଠା ଓ ନଦୀବନ୍ଧ ରାସ୍ତା କଡ଼ରେ ବିଏମ୍ସି ଆବର୍ଜନା ଗଦା ହେଉଛି। ରାଜଧାନୀରୁ ଅଳିଆ ଆବର୍ଜନା ଆଣି ବିଭିନ୍ନ ଗାଡ଼ି ଲିଙ୍ଗିପୁର ଦୟାନଦୀ ବନ୍ଧ ପାର୍ଶ୍ବ ଓ ରାସ୍ତାକଡ଼ରେ ଫୋପାଡ଼ୁଥିବା ଅଭିଯୋଗ ହୋଇଛି। ଏଣୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ଏବଂ ଏହାକୁ ବିରୋଧ କରିବାକୁ ସ୍ଥାନୀୟ ଲୋକେ ସଜବାଜ ହେଲେଣି। ଏନେଇ ଆଜି ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଆଗକୁ ବିଏମ୍ସି ଆବର୍ଜନା ବୋହି ଆଣୁଥିବା ଗାଡ଼ିଗୁଡ଼ିକୁ ଅଟକ ରଖାଯିବ ବୋଲି ଗ୍ରାମସଭାରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ମା’ଦକ୍ଷିଣକାଳୀ ମନ୍ଦିରଠାରୁ ଆରମ୍ଭ କରି ମେଳଣପଡ଼ିଆ ଓ ରାସ୍ତାକଡ଼ ନିଛାଟିଆ ଜାଗାରେ ବିଏମ୍ସି ଗାଡ଼ି ଅଳିଆ ଆବର୍ଜନା ଆଣି ଫିଙ୍ଗି ଦେଉଛନ୍ତି। ବିଏମ୍ସି ଅଳିଆ ଆବର୍ଜନାଠାରୁ ବଳେଇ ପଡ଼ିଛି କଲ୍ୟାଣ ମଣ୍ଡପ ଆବର୍ଜନା। ରାଜଧାନୀରେ ଥିବା ବିଭିନ୍ନ ବିବାହ ମଣ୍ଡପର ଅଳିଆ ଆବର୍ଜନା ଓ ବଳକା ପଚାସଢ଼ା ଖାଦ୍ୟ ସବୁକୁ ମଣ୍ଡପ ମାଲିକମାନେ ଟ୍ରକ୍ରେ ଆଣି ଦୟାନଦୀ ରାସ୍ତାକଡ଼ରେ ଫିଙ୍ଗୁଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ହୋଇଥିବା ଅଳିଆ ଗଦାରୁ ପ୍ରବଳ ଦୁର୍ଗନ୍ଧ ବାହାରୁଛି ଏବଂ ପରିବେଶ ଦୂଷିତ ହୋଇଯାଉଛି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ଗ୍ରାମସଭାରେ ଘୋର ଉଦ୍ବେଗ ପ୍ରକାଶ ପାଇଥିଲା। ଗ୍ରାମବାସୀମାନେ କିଛି ଅଳିଆ ଗାଡ଼ିର ଭିଡିଓକୁ ନେଇ ଆଲୋଚନା କରିବା ପରେ ପୁଲିସକୁ ଦେବାକୁ ସ୍ଥିର କରିଛନ୍ତି। ବେଆଇନ ଭାବେ ଅଳିଆ ପକାଉଥିବା ଗାଡ଼ିଗୁଡ଼ିକ ଜବତ କରିବା ସହ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ପୁଲିସକୁ ଅଭିଯୋଗ କରିବେ ବୋଲି ବୈଠକରେ ସ୍ଥିର କରିଛନ୍ତି।
Follow Us