ବିଏମ୍‌ସିର ପଛଘୁଞ୍ଚା : ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପକୁ ମାଫ୍

Advertisment

ଯାହାର ଭିତ୍ତିିଭୂମି ନାହିଁ ସଜାଡ଼ିବାକୁ ସମୟ ଦିଆଗଲା, ୮୨ ମଣ୍ଡପ ସିଲ୍‌ କରିବାକୁ ନୋଟିସ୍ ହୋଇଥିଲା, ପାର୍କିଂ ସମସ୍ୟା ସମାଧାନରେ ସହଯୋଗ କରିବ ବିଏମ୍‌ସି

ଯାହାର ଭିତ୍ତିିଭୂମି ନାହିଁ ସଜାଡ଼ିବାକୁ ସମୟ ଦିଆଗଲା, ୮୨ ମଣ୍ଡପ ସିଲ୍‌ କରିବାକୁ ନୋଟିସ୍ ହୋଇଥିଲା, ପାର୍କିଂ ସମସ୍ୟା ସମାଧାନରେ ସହଯୋଗ କରିବ ବିଏମ୍‌ସି

ବିଏମ୍‌ସିର ପଛଘୁଞ୍ଚା : ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପକୁ ମାଫ୍

ଭୁବନେଶ୍ବର : ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପଗୁଡ଼ିକ ପ୍ରତି ବିଏମ୍‌ସି କୋହଳ ମନୋଭାବ ଦେଖାଇଛି। ଯେଉଁ ୮୨ଟି କଲ୍ୟାଣ ମଣ୍ଡପକୁ ସିଲ୍‌ କରିବାକୁ ବିଏମ୍‌ସି କର୍ତ୍ତୃପକ୍ଷ ନୋଟିସ୍‌ କରିଥିଲେ, ଏବେ ସେଗୁଡ଼ିକୁ ମାଫ୍‌ କରି ଦେଇଛନ୍ତି। ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ ବଳରେ ବିଏମ୍‌ସି ଯେତିକି ବାଟ ଆଗେଇଥିଲା, ଏବେ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶରେ ସେତିକି ପଛଘୁଞ୍ଚା ଦେଇଛି।

ରାଜଧାନୀର ୮୨ଟି କଲ୍ୟାଣ ମଣ୍ଡପ ସିଲ୍‌ କରିବା ‌େନଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଯୁକ୍ତି ଥିଲା ଯେ କଲ୍ୟାଣ ମଣ୍ଡପ ଖୋଲିଛ ଅଥଚ ବିଡିଏ/ବିଏମ୍‌ସିରୁ ପ୍ଲାନ୍ ଅନୁମୋଦନ କରିନ, ଓଡିଏ ନିୟମକୁ ଉଲ୍ଲଂଘନ କରିଛ, ବେଆଇନ ଭାବେ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତିକର ଏବଂ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି, ରାସ୍ତାରେ ବେଆଇନ ପାର୍କିଂ ହେଉଛି, ଆବଶ୍ୟକୀୟ ପାର୍କିଂ ବ୍ୟବସ୍ଥା ନାହିଁ, ବର୍ଜ୍ୟ ସାମଗ୍ରୀ ଗଦାଉଛ ଅଥଚ ଏହାର ପରିଚାଳନା ବ୍ୟବସ୍ଥା କରିନ, ବର୍ଜ୍ୟଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା କରିନ, ନିୟମ ଅନୁଯାୟୀ ଟ୍ରେଡ୍ ଲାଇସେନ୍ସ ନେଇନ, ହୋଲଡିଂ ଟିକସ ଦେଉନ ଯାହା ଓଡ଼ିଶା ମ୍ୟୁନିସିପାଲ ଆକ୍ଟକୁ ଉଲ୍ଲଂଘନ କରୁଛି। ତେଣୁ ମଣ୍ଡପ ସିଲ୍‌ ହେବ।

publive-image

ଡିସେମ୍ବର ୫ରେ ଏହିଭଳି ନୋଟିସ୍‌ କରିଥିଲା। ହେଲେ ଏହାପରେ ସବୁ କଲ୍ୟାଣ ମଣ୍ଡପ ମାଲିକମାନେ ଏକାଠି ହୋଇ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କୁ ଭେଟିଲେ। ଭୁବନେଶ୍ବର (ଏକାମ୍ର) ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ ଓ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ନିଷ୍ପତ୍ତି ହେଲା ଯେ ବିଏମ୍‌ସି ଆଉ କଲ୍ୟାଣ ମଣ୍ଡପ ସିଲ୍‌ କରିବନି। କଲ୍ୟାଣ ମଣ୍ଡପର ଯାହା ଭିତ୍ତିଭୂମି ନାହିଁ, ତାକୁ କରିବାକୁ ସମୟ ଦିଆଯିବ। ହେଲେ ସବୁ କଲ୍ୟାଣ ମଣ୍ଡପ ଟ୍ରେଡ୍‌ ଲାଇସେନ୍ସ ନେବା ବାଧ୍ୟତାମୂଳକ। ସେମାନେ ତୁରନ୍ତ ଟ୍ରେଡ୍‌ ଲାଇସେନ୍ସ ନେବେ। ସେହିପରି କଲ୍ୟାଣ ମଣ୍ଡପଗୁଡ଼ିକରୁ କେତେ ଆବର୍ଜନା ବାହାରୁଛି, ତା’ର ତାଲିକା ଦେବେ। ଏହାକୁ ଉଠାଇବା ନେଇ ବିଏମ୍‌ସିରେ ଫି’ଜମା କରିବେ। ବିଏମ୍‌ସିର ବିନା ଅନୁମତିରେ କୌଣସି ସଫେଇ ସଂସ୍ଥା କଲ୍ୟାଣ ମଣ୍ଡପରୁ ଆବର୍ଜନା ଉଠାଇବେନି। କଲ୍ୟାଣ ମଣ୍ଡପଗୁଡ଼ିକର ମୁଖ୍ୟ ସମସ୍ୟା ପାର୍କିଂ ଥିବା ବେଳେ ତା’ର ସମାଧାନ ପାଇଁ ବିଏମ୍‌ସି ହାତ ବଢ଼ାଇବ। ଏଥିରେ ମଣ୍ଡପଗୁଡ଼ିକ ଯଥାସମ୍ଭବ ତାଙ୍କ କ୍ୟାମ୍ପସରେ ପାର୍କିଂ ବ୍ୟବସ୍ଥା କରିବେ। ନଚେତ୍‌ ନିକଟରେ ଘରୋଇ ଜମି କିଣି କିମ୍ବା ଲିଜ୍‌ ନେଇ ପାର୍କିଂ ବ୍ୟବସ୍ଥା କରିବେ। ଅଧିକ ପାର୍କିଂ ଆବଶ୍ୟକ ଥିଲେ ବିଏମ୍‌ସି ସହଯୋଗର ହାତ ବଢ଼ାଇବ। ଯଦି ସରକାରୀ ଜାଗା ଖାଲି ଥିବ, ତାକୁ ବି ପାର୍କିଂ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ।

ଯେଉଁ ମଣ୍ଡପଗୁଡ଼ିକ ବିଏମ୍‌ସି/ବିଡିଏର ବିନା ପ୍ଲାନ୍‌ରେ ନିର୍ମାଣ କରିଥିବେ ବା ପ୍ଲାନ୍‌ଠାରୁ ଅଧିକ ଅଞ୍ଚଳରେ ନିର୍ମାଣ ହୋଇଥିବ, ସେମାନେ ତୁରନ୍ତ ସର୍ବକ୍ଷମା ଯୋଜନାରେ ଆବେଦନ କରିବା ସହ ଜରିମାନା ଦେଇ ମଣ୍ଡପର ବେଆଇନ ନିର୍ମାଣକୁ ଆଇନସମ୍ମତ କରିବେ।

ସୂଚନାଯୋଗ୍ୟ ଯେ ଡିସେମ୍ବର ୬ରୁ ୧୩ ତାରିଖ ମଧ୍ୟରେ ବିଏମ୍‌ସି ରାଜଧାନୀର ୮୨ଟି କଲ୍ୟାଣ ମଣ୍ଡପକୁ ସିଲ୍‌ କରିବାକୁ ନିଷ୍ପତ୍ତିି ନେଇଥିଲା। ଏଥିରେ ଦକ୍ଷିଣ-ପୂର୍ବ ଜୋନ୍‌ରେ ୨୮ଟି, ଉତ୍ତର ଜୋନ୍‌ରେ ୨୯ଟି ଓ ଦକ୍ଷିଣ-ପଶ୍ଚିମ ‌ଜୋନ୍‌ରେ ୨୫ଟି କଲ୍ୟାଣ ମଣ୍ଡପକୁ ସିଲ୍‌ କରିବାର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe