ଭୁବନେଶ୍ବର : ଲକ୍ଡାଉନ୍ ପରଠାରୁ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ତାଲା ପଡ଼ିଛି। କିନ୍ତୁ ଚୋରା ମଦ କାରବାର ବଢ଼ି ଯାଇଛି। କେଉଁଠି ଦୋକାନରୁ ମଦ ଚାଲାଣ ହେଉଛି ତ ଆଉ କେଉଁଠି ଚୋରା ବେପାରୀ ଆଗୁଆ ମଦ ଗଚ୍ଛିତ ରଖି ବିକ୍ରି କରୁଛି। ରାଜଧାନୀ ସମେତ ରାଜ୍ୟର କେତେକ ସ୍ଥାନରେ ପୁଲିସ ବିଦେଶୀ ମଦ ଜବତ କରିବା ପରେ ସ୍ପଷ୍ଟ ହୋଇଯାଇଛି। କିନ୍ତୁ ଚୋରା ମଦ ବେପାରୀଙ୍କ ବିରୋଧରେ ସେଭଳି କିଛି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ଅବକାରୀ ବିଭାଗ। ଫଳରେ ଚୋରା ମଦ କାରବାର ସୀମା ଟପି ଗଲାଣି। ଖାଲି ସେତିକି ନୁହେଁ, ନକଲି ଅପମିଶ୍ରିତ ମଦ ଏବେ ଚାରିଆଡ଼େ ମାଡ଼ି ଗଲାଣି। ଲକଡାଉନ୍ ଚାଲୁଥିବାରୁ ଅଭ୍ୟାସଗତ ମଦୁଆ ଚୋରାରେ ମଦ କିଣୁଛନ୍ତି। ରାଜଧାନୀର କେତେକ ଅଞ୍ଚଳ ଏବେ ଚୋରା ମଦ କାରବାର ଆଡ଼ା ପାଲଟିଛି। ଚୋରା ମଦ ବେପାରୀଙ୍କୁ ଲକଡାଉନ୍ ବେଶ୍ ସୁହାଉଛି। ୧୫୦ ଟଙ୍କାର ମଦ ୪୫୦ରୁ ୫୦୦ ଟଙ୍କାରେ ବିକ୍ରି ଚାଲିଛି। ଲକ୍ଷ ଲକ୍ଷ ଟଙ୍କାର ମଦ ବିକ୍ରି ହେଉଥିବାରୁ ମାଫିଆ ସକ୍ରିୟ ହୋଇ ଯାଇଛନ୍ତି। ବିପୁଳ ପରିମାଣର ନକଲି ମଦ ତିଆରି କରି ରାଜଧାନୀକୁ ଚୋରା ଚାଲାଣ କରାଯାଉଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲାର ପିପିଲି, ବଳଙ୍ଗା, ନିମାପଡ଼ା, ନୂଆହାଟ, ଖୋର୍ଦ୍ଧା, ଜଙ୍କିଆ, କଟକ ଜିଲ୍ଲାର ବାଙ୍କୀ, ଆଠଗଡ଼ ଅଞ୍ଚଳରୁ ନକଲି ମଦ ପ୍ରସ୍ତୁତ ହୋଇ ରାଜଧାନୀକୁ ଆସୁଛି। ଚୋରା ବେପାରୀଙ୍କ ପାଖରେ ସବୁ ବେଳେ ସ୍ପିରିଟ୍ ମହଜୁଦ୍ ହୋଇ ରହିଥାଏ। ଏହାସହ ବିଭିନ୍ନ ବ୍ରାଣ୍ଡର ବୋତଲ, ନକଲି ସରକାରୀ ଲେବଲ ଓ ଷ୍ଟିକର ବିପୁଳ ପରିମାଣର ଷ୍ଟକ୍ ରଖନ୍ତି ମାଫିଆ। ଏବେ ଲକଡାଉନ୍ ଚାଲୁଥିବାରୁ ମାଫିଆଙ୍କୁ ଏହା ବେଶ୍ ସୁହାଇଛି। ଖୋର୍ଦ୍ଧା ଓ କଟକ ଜିଲ୍ଲାର କିଛି ଜଙ୍ଗଲରେ ନକଲି ମଦ ତିଆରି ଚାଲିଛି। ସେଠାରେ ପ୍ୟାକିଂ କରାଯାଇ ଗଚ୍ଛିତ ରଖାଯାଉଛି। ସେଠାରୁ ବିଭିନ୍ନ ଆଡ଼େ ଚାଲାଣ କରାଯାଉଛି। ନକଲି ମଦ କାରବାର ଲାଗି କିଛି ଏଜେଣ୍ଟ ବି ବୁଲିଛନ୍ତି। ସେମାନେ ମାଫିଆଙ୍କଠାରୁ ମଦ ଆଣି ବେପାରୀଙ୍କୁ ଯୋଗାଇ ଦେଉଛନ୍ତି। ରାଜଧାନୀର ରବି ଟକିଜ୍, ମଞ୍ଚେଶ୍ବର, କଟକରୋଡ୍, ଫାଳିକିଆ ବଜାର, ୟୁନିଟ୍-୧. ୟୁନିଟ୍-୬, ଜାଗମରା, ବରମୁଣ୍ଡା, ପଳାଶୁଣୀ, ଚନ୍ଦ୍ରେଶଖରପୁର, ଇନଫୋସିଟି, ଏୟାରଫିଲ୍ଡ, ଉପକଣ୍ଠ ଧଉଳି, ବାଲିଅନ୍ତା, ବାଲିପାଟଣା, ରଘୁନାଥପୁର, ନନ୍ଦନକାନନ ଆଦି ଅଞ୍ଚଳରେ ବିପୁଳ ପରିମାଣର ନକଲି ମଦ କାରବାର ଚାଲିଛି। ଦିନତମାମ ପୁଲିସର ନାକାବନ୍ଦୀ ଓ ଚେକିଂ ଚାଲୁଛି। ବିଳମ୍ବିତ ରାତିଠାରୁ ଭୋର୍ ପର୍ଯ୍ୟନ୍ତ ଚେକିଂ ନ ଥିବାରୁ ମଦ ମାଫିଆ ଏହି ସମୟରେ କାରବାର କରୁଛନ୍ତି। ରାତି ୩ଟାରେ ବାହାରି ଭୋର୍ ସୁଦ୍ଧା କାରବାର କରି ପୁଣି ଫେରି ଯାଉଛନ୍ତି। ଏ ସମ୍ପର୍କରେ ଖୋର୍ଦ୍ଧା ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ଆଚାର୍ଯ୍ୟ କହିଛନ୍ତି, ଚୋରା ମଦ କାରବାର ନେଇ ଖବର ସଂଗ୍ରହ କରାଯାଉଛି। କିଛି ସ୍ଥାନରେ ଚଢ଼ଉ ବି କରାଯାଇଛି। ଆଗାମୀ ଦିନରେ ଚଢ଼ଉ କରାଯାଇ ମଦ ମାଫିଆଙ୍କୁ ଗିରଫ କରାଯିବ। ଚୋରା ମଦ କାରବାରକୁ ନେଇ ଚଢ଼ଉ କରିବା ପାଇଁ ପୁଲିସ ଡିଜି ମଧ୍ୟ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି।
ପୋଖରୀ କୂଳରେ ବିଦେଶୀ ମଦ କାରବାର : ୨ ଗିରଫ, ୧୦ ହଜାର ଟଙ୍କା ଓ ୬୦ ବୋତଲ ଜବତ
ଖଣ୍ଡଗିରି : ପୋଖରୀ କୂଳରେ ଚୋରା ମଦ କାରବାର କରୁଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଜାଗମରା ଉପରସାହି ଅଞ୍ଚଳର ଅଜିତ୍ ବିଶୋୟୀ ଓ ଡୁମୁଡୁମା ଫେଜ୍-୩ ଅଞ୍ଚଳର ଚିତ୍ତରଂଜନ ପ୍ରଧାନ। ପୁଲିସ ସେମାନଙ୍କଠାରୁ ପ୍ରାୟ ୬୦ ବୋତଲ ଦାମୀ ବିଦେଶୀ ମଦ ଓ ୧୦ ହଜାର ୬ ଶହ ଟଙ୍କା ଜବତ କରିଛି। ପୁଲିସ ସୂଚନାନୁସାରେ, ଅଭିଯୁକ୍ତଦ୍ବୟ ଜାଗମରା ଝାର ପୋଖରୀ ନିକଟରେ ବସି ଏହି ଚୋରା କାରବାର ଚଳାଉଥିଲେ। ଚଢ଼ଉ ବେଳେ ସେମାନଙ୍କଠାରୁ ଏକ ସ୍କୁଟି ଓ ଟଙ୍କା ସମେତ ଏହି ବିପୁଳ ମଦ ଜବତ କରାଯାଇଛି। ଜବତ ମଦ ଭିତରେ ପ୍ରାୟ ଏକ ଡଜନ୍ ବଡ଼ ମଦ ବୋତଲ ଓ ୪୮ଟି ଛୋଟ ବୋତଲ ରହିଛି। ସୂଚନାଯୋଗ୍ୟ ଯେ ବଡ଼ ମଦ ବୋତଲର ପ୍ରକୃତ ଦାମ ୮ଶହ ଟଙ୍କା ହୋଇଥିଲେ ବି କଳାବଜାରରେ ଏହାକୁ ୨ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା। ସେହିଭଳି ଛୋଟ ବୋତଲର ଦାମ ୧୩୫ ଟଙ୍କା ହୋଇଥିବା ବେଳେ କଳାବଜାରରେ ୩ଶହ ଟଙ୍କା ବୋଲି କୁହାଯାଉଛି।
Follow Us