ବାଲିଅନ୍ତାରେ ଅଭାବୀ ଧାନ ବିକ୍ରି, ଅସାଧୁ ବ୍ୟବସାୟୀ ସକ୍ରିୟ

Advertisment
ବାଲିଅନ୍ତାରେ ଅଭାବୀ ଧାନ ବିକ୍ରି, ଅସାଧୁ ବ୍ୟବସାୟୀ ସକ୍ରିୟ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳରେ ଏବେ ଅଭାବୀ ଧାନ ବିକ୍ରି ସମସ୍ୟା ଦେଖାଦେଇଛି। ହେଲେ ସରକାରୀସ୍ତରରେ ଧାନ ସଂଗ୍ରହ ଦାୟିତ୍ବରେ ଥିବା ବିଭିନ୍ନ କୃଷି ସମବାୟ ସମିତିରେ ଏଯାଏ ଧାନକିଣା ଆରମ୍ଭ ହୋଇନି। ଡିସେମ୍ବର ମାସ ମଧ୍ୟରେ ଧାନମଣ୍ଡି ଖୋଲାଯିବା ନେଇ ସରକାରୀ ନିର୍ଦ୍ଦେଶ ଥିବା ବେଳ ସମବାୟ ସମିତି, ବ୍ଲକ ଯୋଗାଣ ବିଭାଗ ଏବଂ ସମିତି ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀମାନେ ଏନେଇ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏହାର ସୁଯୋଗ ନେଇ ବାଲିଅନ୍ତା ବ୍ଲକର ବିଭିନ୍ନ ପଞ୍ଚାୟତରେ ଅସାଧୁ ଧାନ ବ୍ୟବସାୟୀମାନେ ସକ୍ରିୟ ହୋଇପଡ଼ିଛନ୍ତି।। ବେଆଇନ ଭାବେ ସ୍ଥାନୀୟ ଅଞ୍ଚଳର ଦଲାଲ ବ୍ୟବସାୟୀଙ୍କ ସହାୟତାରେ ପ୍ରତିଦିନ ଟ୍ରକ୍‌ ଟ୍ରକ୍‌ ଧାନ ରାଜ୍ୟ ବାହାରକୁ ଚାଲଣ କରୁଛନ୍ତି। ହେଲେ ଯୋଗାଣ ବିଭାଗ ଓ ସମବାୟ ଅଧିକାରୀମାନେ ଏହାକୁ ରୋକିବା ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଅଧିକାଂଶ ଚାଷୀ ମେସିନ୍‌ ସାହାଯ୍ୟରେ ଧାନ ଅମଳ କରି ସାରିଲେଣି। ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ କମ୍‌ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ସରକାରୀ ସ୍ତରରେ ସାଧାରଣ ମାନର ଧାନ ମୂଲ୍ୟ କ୍ବିଣ୍ଟାଲ୍‌ ପ୍ରତି ୧୭ ଶହ ୫୦ ଟଙ୍କା ନିର୍ଦ୍ଧାରିତ ହୋଇଥିବା ବେଳେ ଦଲାଲମାନେ ଚାଷୀଙ୍କଠାରୁ ୧ହଜାରରୁ ୧୨ ଶହ ଟଙ୍କାରେ କିଣୁଥିବା ନେଇ ସୂଚନା ମିଳିଛି। ରୋଜଗାରର ଆଉ କିଛି ସମ୍ବଳ ନ ଥିବାରୁ ଅନେକ ଚାଷୀ ଏହି ମୂଲ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏନେଇ ଚାଷୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଉପରୋକ୍ତ ବ୍ଲକ୍‌ର ବିଭିନ୍ନ ସମବାୟ ସମିତିରେ ଧାନମଣ୍ଡି ଖୋଲିବା ଦିଗରେ ବିଭାଗୀୟ ଜିଲ୍ଲା ଅଧିକାରୀମାନେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe