କଳିଙ୍ଗଷ୍ଟୁଡିଓ -ଶ୍ୟାମପୁର ରାସ୍ତାରୁ ଜବରଦଖଲ ଉଚ୍ଛେଦ : ତାତିଲେ ଦୋକାନୀ, ପଛକୁ ହଟିଲା ସ୍କ୍ବାଡ୍‌

Advertisment
କଳିଙ୍ଗଷ୍ଟୁଡିଓ -ଶ୍ୟାମପୁର ରାସ୍ତାରୁ ଜବରଦଖଲ ଉଚ୍ଛେଦ : ତାତିଲେ ଦୋକାନୀ, ପଛକୁ ହଟିଲା ସ୍କ୍ବାଡ୍‌

ଖଣ୍ଡଗିରି : ଶୁକ୍ରବାର କଳିଙ୍ଗଷ୍ଟୁଡିଓ-ଶ୍ୟାମପୁର ରାସ୍ତାରୁ ଜବରଦଖଲ ହଟାଇବାକୁ ଯାଇ ବିଡିଏ-ବିଏମ୍‌ସି ଉଚ୍ଛେଦ ଟିମ୍‌କୁ ନାକେଦମ୍ ହେବାକୁ ପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ରୁ ଅଧିକ ଉଠା ଦୋକାନୀଙ୍କୁ ହଟାଇବାରେ କିଛି ସମସ୍ୟା ନଥିଲେ ହେଁ ଦ୍ବିତୀୟ ପର୍ଯ୍ୟାୟରେ ଉଚ୍ଛେଦ ଟିମ୍‌କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସ୍ଥାନୀୟ ଦୋକାନୀମାନେ ଦୃଢ଼ ପ୍ରତିବାଦ କରିବାକୁ ଯାଇ ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିଲେ ଓ ଟିମ୍‌କୁ ଆଗକୁ ଯିବାକୁ ଦେଇ ନଥିଲେ।

ସୂଚନାନୁସାରେ, ଆଜି ପ୍ରାୟ ୧୧ଟାରେ କଳିଙ୍ଗ ଷ୍ଟୁଡିଓ ଛକରୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ରାସ୍ତାର ଦୁଇପାର୍ଶ୍ବରେ ଥିବା ଉଠାଦୋକାନୀମାନଙ୍କୁ ହଟାଇ ଦିଆଯାଇଥିଲା। ୧୧ଟି ପରିବା ଦୋକାନ, ୧୬ଟି ମାଛ ଦୋକାନ ଓ ପ୍ରାୟ ୪୦ କ୍ୟାବିନ୍‌ରେ ହୋଇଥିବା ଅନ୍ୟାନ୍ୟ ଦୋକାନ ସବୁ ଭାଙ୍ଗି ଦିଆଯାଇଥିଲା। ତେବେ ଅପରାହ୍ଣ ପ୍ରାୟ ୩ଟା ବେଳେ ଦ୍ବିତୀୟ ପର୍ଯ୍ୟାୟ ଉଚ୍ଛେଦ ଆରମ୍ଭ ହେବା ସମୟରେ ସମ୍ ହସ୍ପିଟାଲ ଛକରେ ହେଲା ତୁମୁଳକାଣ୍ଡ। ଦୀର୍ଘ ଦିନ ଧରି ବିଭିନ୍ନ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ସ୍ଥାନୀୟ ଯୁବକମାନେ ଉଚ୍ଛେଦ ବି‌ରୋଧରେ ରାସ୍ତାକୁ ଓହ୍ଲାଇଥିଲେ। ଉଚ୍ଛେଦ ଟିମ୍‌ର ଅଧିକାରୀମାନଙ୍କ କ‌‌ୌଣସି କଥାକୁ କର୍ଣ୍ଣପାତ କରିନଥିଲେ। ସେମାନଙ୍କ ଦୋକାନ ଭାଙ୍ଗି ସେମାନଙ୍କ ପିଲା ଛୁଆ, ପରିବାର ପେଟକୁ ଲାତ ମାରିବାକୁ ଯୋଜନା ହୋଇଛି ବୋଲି ଅଭିଯୋଗ କରି ହୋ-ହଲ୍ଲା କରିଥିଲେ। ଉପଯୁକ୍ତ ସ୍ଥାନରେ ଥଇଥାନ ନ କରି କାହିଁକି ସେମାନଙ୍କ ରୋଜଗାର ପନ୍ଥାକୁ ଭାଙ୍ଗି ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ। ଉଚ୍ଛେଦ ସ୍କ୍ବାଡ୍‌ ନ ଶୁଣିବା ଦେଖି ବ୍ୟବସାୟୀମାନେ ଟାୟାର୍ ଜାଳି ଉକ୍ତ ରାସ୍ତାକୁ ଅବରୋଧ କରିଥିଲେ। ଉଚ୍ଛେଦ ପାଇଁ ଟିମ୍‌ ସହ ଯାଇଥିବା ମାତ୍ର ଏକ ପ୍ଲାଟୁନ୍‌ ପୁଲିସ ଶହ ଶହ ଲୋକଙ୍କ ବିରୋଧ ଦେଖି ନିରବଦ୍ରଷ୍ଟା ସାଜିବାକୁ ବାଧ୍ୟ ହୋଇଥିଲା। ଫଳରେ ଉଚ୍ଛେଦ ସ୍କ୍ବାଡ୍‌ ବାଧ୍ୟ ‌ହୋଇ ପଛଘୁଞ୍ଚା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe