ଜୀବନ ଗଲା ପରେ ନିଦ ଭାଙ୍ଗିଲା: ଡ୍ରେନ୍‌ ଉପରୁ ହଟିବ ଜବରଦଖଲ

ଜୀବନ ଗଲା ପରେ ନିଦ ଭାଙ୍ଗିଲା: ଡ୍ରେନ୍‌ ଉପରୁ ହଟିବ ଜବରଦଖଲ

ଭୁବନେଶ୍ବର : ମୁକୁଳା ଡ୍ରେନ୍‌ରେ ଭାସି ଜଣେ ଶିଶୁର ମୃତ୍ୟୁ ହେବା ପରେ ବିଏମ୍‌ସି ନିଦ ଭାଙ୍ଗିଛି। ସହରରେ ଥିବା ଡ୍ରେନ୍‌ ଉପରୁ ସମସ୍ତ ଜବରଦଖଲ ହଟାଇବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ଆଜି ଡ୍ରେନ୍‌ ଉପରେ ଥିବା କ୍ୟାବିନ୍‌, ଠେଲାଗାଡ଼ି, ବେଆଇନ ନିର୍ମାଣ ପ୍ରଭୃତି ହଟାଇବା ପାଇଁ ନୋଟିସ୍‌ କରାଯାଇଛି। ବିଏମ୍‌ସିର ସମସ୍ତ ଜୋନ୍‌ରେ ପୁଲିସ ସହାୟତାରେ ଏହି ବ୍ୟବସାୟୀମାନଙ୍କୁ ପବ୍ଲିକ୍‌ ଆଡ୍ରେସ୍‌ ସିଷ୍ଟମ୍‌ ଜରିଆରେ ସଚେତନ କରାଯାଇଛି। ଦୁଇଦିନ ଭିତରେ ତୁରନ୍ତ ଦୋକାନ ହଟାଇ ନେବାକୁ ଚେତାବନୀ ଦିଆଯାଇଛି। ନଚେତ୍‌ ସେଗୁଡ଼ିକୁ ଉଚ୍ଛେଦ କରି ଦିଆଯିବ ବୋଲି କୁହାଯାଇଛି। ଜବରଦଖଲ ହଟିବା ପରେ ସମ୍ପୃକ୍ତ ଜୋନ୍‌ ଡେପୁଟି କମିସନରଙ୍କ ଜରିଆରେ ଏହି ସବୁ ଡ୍ରେନ୍‌ର ସ୍ଲାବ୍‌ ଯାଞ୍ଚ କରାଯିବ। ଯାଞ୍ଚ ପରେ ଏକ ରିପୋର୍ଟ ପ୍ରସ୍ତୁତ ହେବ। କେଉଁଠି ଦୁର୍ବଳ ଅଛି କିମ୍ବା କେଉଁଠି ନାହିଁ ସେଠାରେ ନୂଆ ପକାଯିବାକୁ ଯୋଜନା ହୋଇଛି।

ପ୍ରାଥମିକ ପର୍ଯ୍ୟାୟରେ ହୋଇଥିବା ଆକଳନ ମୁତାବକ, ୩ ହଜାରରୁ ଊର୍ଦ୍ଧ୍ବ ଦୋକାନ ବେଆଇନ ଭାବରେ ଡ୍ରେନ୍‌ ଉପରେ ତିଆରି ହୋଇଛି। କେତେକ କ୍ୟାବିନ୍‌ ପକାଇଥିବା ବେଳେ କେତେକ ଇଟା ସିମେଣ୍ଟରେ କାନ୍ଥ ତିଆରି କରି ଦେଇଛନ୍ତି। କେତେକ ବ୍ୟବସାୟୀ ଅସ୍ଥାୟୀ ଭାବରେ ବସି ବେପାର କରୁଛନ୍ତି। କରୋନା କାଳରେ ରୋଜଗାର ହରାଇଥିବା ଏହି ବ୍ୟବସାୟୀଙ୍କୁ ଉଚ୍ଛେଦ କଲେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ମଧ୍ୟ ରହିଛି। ଏବେ ନୋଟିସ୍‌ ପାଇବା ପରେ ପରେ କେତେକ ବ୍ୟବସାୟୀ ନେତାଙ୍କ ପାଖରେ ପହଞ୍ଚିଛନ୍ତି। ନେତା ମଧ୍ୟ ଆଶ୍ବାସନା ଦେଇଥିବାରୁ ଏ ସବୁକୁ ଉଚ୍ଛେଦ କରିବା ବିଏମ୍‌ସି ପାଇଁ କାଠିକର ପାଠ ହେବ ବୋଲି ଆଶଙ୍କା‌ ସୃଷ୍ଟି ହୋଇଛି। ଏଣୁ ଏ ନେଇ ଆଜି ବରିଷ୍ଠ ଅଧିକାରୀମାନେ ଏକାଠି ହୋଇ ମାନସମନ୍ଥନ କରିଛନ୍ତି। କେବଳ ଏହି ଗୋଟିଏ ଅଡ଼ୁଆ ନୁହେଁ, ଆଉ ଏକ ଅଡ଼ୁଆ ବିଏମ୍‌ସିର ଅକଲ ଗୁଡ଼ୁମ୍‌ କରିଛି। ଯେଉଁ ଜାଗାରେ ଗତକାଲି ଅଘଟଣ ଘଟିଥିଲା ସେଠାରେ ଏକ କଲଭର୍ଟ ଓ ଗାର୍ଡ ୱାଲ ତିଆରି କରିବାକୁ ବିମ୍‌ସି ଯୋଜନା କରିଛି। ଏହି ଦୁଇଟି ପ୍ରକଳ୍ପ ନିର୍ମାଣ ହେଲେ ଆଉ ଅଘଟଣର ଆଶଙ୍କା ରହିବ ନାହିଁ ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି। ହେଲେ ଯେଉଁ ଜାଗାରେ ଏହି ସବୁ ନିର୍ମାଣ ହେବ ତାହା ହେଉଛି ଘରୋଇ ଜମି। ଏହି ଘରୋଇ ଜମିକୁ ଅଧିଗ୍ରହଣ କରିବା ପରେ ଯାଇ ଏହି ପ୍ରକଳ୍ପ ସମ୍ଭବ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe