The New Indian Express
ଭୁବନେଶ୍ବର: କଲ୍ୟାଣପୁରସ୍ଥିତ କୁଆଖାଇ ନଦୀପଠାରୁ ବେଆଇନ ଭାବେ ବାଲି ଚାଲାଣ ନେଇ ଭୁବନେଶ୍ବର ତହସିଲଦାର୍ ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି। ଏକ ଚିଠି ଜରିଆ​ରେ ତହସିଲଦାର ଅଭିଯୋଗ କରିଛନ୍ତି ଯେ ସ୍ଥାନୀୟ ଅଞ୍ଚଳର ପବିତ୍ର କୁମାର ସ୍ବାଇଁ ଓରଫ ବ୍ରଜ ନାମକ ଜଣେ ଯୁବକ ଏହାର ମାଷ୍ଟର୍ମାଇଣ୍ଡ। ବିଳମ୍ବିତ ରାତିରେ ବାଲି ଚୋରି କରି ବିଭିନ୍ନ ସ୍ଥାନକୁ ପଠାଉଛି। ଏଥିଯୋଗୁଁ ସରକାରଙ୍କ ରାଜସ୍ବ ହାନି ଘଟୁଛି। ନଦୀପଠାରୁ ପ୍ରାୟ ୬୦ କ୍ୟୁବିକ୍ ଫୁଟ୍ର ବାଲି ଚୋରି ହୋଇଛି।
ଟ୍ରକ୍ ଓ ଟ୍ରାକ୍ଟର୍ ପ୍ରମୁଖ ମାଲ୍ବାହୀ ଗାଡ଼ି ଯାତାୟାତର ଚିହ୍ନ ମଧ୍ୟ ରହିଛି। ତେଣୁ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଥାନା ଅଧିକାରୀଙ୍କୁ ଗତ ୧୩ତାରିଖରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଅପରପକ୍ଷେ, ଏହି ଘଟଣାକୁ ପ୍ରାୟ ୧୨ଦିନ ବିତିଯାଇଥିଲେ ବି ନନ୍ଦନକାନନ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏହାକୁ ନେଇ ପ୍ରଶ୍ନ ଉଠିବା ପରେ ଥାନା ଅଧିକାରୀ ବିଶ୍ବରଂଜନ ନାୟକ କହିଛନ୍ତି ଯେ ଅଭିଯୋଗ ଆସିଛି ମାତ୍ର ସେମିତି କିଛି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ। ବାଲି ଚୋରା ଚାଲାଣ ସମୟରେ ଗାଡ଼ି ଧରି ପ୍ରମାଣ ଦେଲେ ପ୍ରଥମେ ଜରିମାନା ଆଦାୟ ହେବ। ଯଦି ନିୟମିତ ଭାବେ କେହି ଏଭଳି ବାଲି ଚାଲାଣ କରୁଥିବାର ନଜରକୁ ଆସେ, ତେବେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରପଟେ ଘଟଣାକୁ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପଠାରୁ ୬୦କ୍ୟୁବିକ୍ ଫୁଟ୍ର ବାଲି ଚୋରି ହେଉଛି। ଅଥଚ ପୁଲିସ ପ୍ରମାଣ ଖୋଜୁଛି। ପୁଲିସ ଯଦି ନିୟମିତ ବ୍ୟବଧାନରେ ବ୍ଲକିଂ ଓ ଚେକିଂ କରନ୍ତା, ତେବେ ବାଲିମାଫିଆ ଧରାପଡ଼ନ୍ତେ।
Follow Us