ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ମାମଲା ବିଚାର ପାଇଁ କ୍ଷମତା ନଥିବା ମାଜିଷ୍ଟ୍ରେଟ୍‌ ଅଭିଯୋଗକୁ ପ୍ରାଧିକୃତ ଅଦାଲତଙ୍କୁ ଫେରାଇବେ

କୌଣସି ମାମଲାକୁ ବିଚାର କରିବା ପ୍ରସଙ୍ଗ ଯଦି ମାଜିଷ୍ଟ୍ରେଟଙ୍କ କ୍ଷମତା ପରିସରଭୁକ୍ତ ହୋଇ ନଥିବ, ସଂପୃକ୍ତ ଆବେଦନକୁ ଆବେଦନକାରୀଙ୍କୁ ‌ଫେରସ୍ତ କରାଯିବ। ଏହାଦ୍ବାରା ପ୍ରାଧିକୃତ ବା କ୍ଷେତ୍ରାଧିକାର ଥିବା ଅଦାଲତରେ ଏହାକୁ ଆବେଦନକାରୀ ଦାଖଲ କରିପାରିବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି।

High Court

High Court

କଟକ: କୌଣସି ମାମଲାକୁ ବିଚାର କରିବା ପ୍ରସଙ୍ଗ ଯଦି ମାଜିଷ୍ଟ୍ରେଟଙ୍କ କ୍ଷମତା ପରିସରଭୁକ୍ତ ହୋଇ ନଥିବ, ସଂପୃକ୍ତ ଆବେଦନକୁ ଆବେଦନକାରୀଙ୍କୁ ‌ଫେରସ୍ତ କରାଯିବ। ଏହାଦ୍ବାରା ପ୍ରାଧିକୃତ ବା କ୍ଷେତ୍ରାଧିକାର ଥିବା ଅଦାଲତରେ ଏହାକୁ ଆବେଦନକାରୀ ଦାଖଲ କରିପାରିବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଜଷ୍ଟିସ ସଂଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ୍‌.କେ. ରାଉତରାୟଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି। ବିଏନ୍‌ଏସ୍‌ର ଧାରା ୨୨୪ ଅନୁସାରେ ଯଦି କୌଣସି ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରାଯାଏ ଏବଂ ସେ ସଂପୃକ୍ତ ମାମଲାର ବିଚାର କରିବାକୁ କ୍ଷମତାପ୍ରାପ୍ତ ନୁହନ୍ତି, ସେହି ଆବେଦନକୁ ସେ ଉପଯୁକ୍ତ କୋର୍ଟରେ ଦାୟର କରିବା ପାଇଁ ଅନୁମୋଦନ କରି ଫେରାଇଦେବେ ବୋଲି ହାଇକୋର୍ଟ କହିଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ, ଜଣେ ଅଭିଯୁକ୍ତଙ୍କ ଦ୍ୱାରା ଜାରି କରାଯାଇଥିବା ଚେକ୍ କଟକର ଏକ ଘରୋଇ ବ୍ୟାଙ୍କ ଶାଖାର ଥିଲା। ଆବେଦନକାରୀ ଭୁବନେଶ୍ୱରସ୍ଥିତ ବ୍ୟାଙ୍କରେ ଏହି ଚେକ୍ ଉପସ୍ଥାପନ କରିଥିଲେ। ଚେକ୍‌ ବାଉନ୍ସ ହୋଇଯାଇଥିଲା। ଆଇନ ଅନୁଯାୟୀ ଆବେଦନକାରୀଙ୍କୁ ଭୁବନେଶ୍ୱରସ୍ଥିତ ଅଦାଲତରେ  ମାମଲା ରୁଜୁ କରିବା କଥା। ସେ ଭୁଲବଶତଃ କଟକସ୍ଥିତ ଜେଏମ୍‌ଏଫ୍‌ସି -୨ ଅଦାଲତରେ ଚେକ୍ ବାଉନ୍ସ ନେଇ ମାମଲା ଦାଖଲ କରିଥିଲେ। ପରେ ଚେକ୍‌ ବାଉନ୍ସ ମାମଲା ରୁଜୁ ପାଇଁ ଥିବା ନିର୍ଦ୍ଧାରିତ ସମୟସୀମା ଶେଷ ହୋଇଯିବ ଆଶଙ୍କା କରି ସେ ଆବେଦନକୁ ପ୍ରତ୍ୟାହାର ନକରି ଭୁବନେଶ୍ବରସ୍ଥିତ ଅଦାଲତକୁ ଏହା ସ୍ଥାନାନ୍ତର ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ଯଦି ବିଏନ୍‌ଏସ୍‌ର ଧାରା ୨୨୪ ଅନୁସାରେ ଆବେଦନକାରୀ କଟକସ୍ଥିତ ଜେଏମ୍‌ଏଫ୍‌ସି ଅଦାଲତରେ ଦରଖାସ୍ତ ଦାଖଲ କରନ୍ତି ତେବେ ଏହାକୁ ବିଚାରକୁ ନିଆଯିବ। ଅଦାଲତ ଅଭିଯୋଗକୁ ଫେରାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ। ଯାହା ଦ୍ବାରା ଭୁବନେଶ୍ବରସ୍ଥିତ ଅଦାଲତରେ ଆବେଦନକାରୀ ଅଭିଯୋଗ ପୁନଃଦାଖଲ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe