‘ପ୍ରତିବର୍ଷ ରାଜ୍ୟରେ ୮ଜଣଙ୍କୁ ନରବଳି ଦିଆଯାଉଛି’

Advertisment
‘ପ୍ରତିବର୍ଷ ରାଜ୍ୟରେ ୮ଜଣଙ୍କୁ ନରବଳି ଦିଆଯାଉଛି’

ଭୁବନେଶ୍ବର: ସମ୍ବିଧାନରେ ବିଜ୍ଞାନ ଚିନ୍ତାଧାରାକୁ ଆଗକୁ ନେବା କଥା ଉଲ୍ଲେଖ ରହିଛି। ମାତ୍ର ବାରମ୍ବାର ଅନ୍ଧବିଶ୍ବାସ ଓ କୁସଂସ୍କାରକୁ ପ୍ରଶ୍ରୟ ଦିଆଯାଉଛି। ପ୍ରତିବର୍ଷ ଓଡ଼ିଶାରେ ୮ଜଣଙ୍କୁ ନରବଳିର ଶିକାର ହେବାକୁ ପଡ଼ୁଛି। ଡାହାଣୀ ଓ ଗୁଣିଆ ସନ୍ଦେହରେ ହେଉଥିବା ହତ୍ୟା ନକ୍ସଲ ହତ୍ୟାଠାରୁ ବି ଭୟଙ୍କର ରୂପ ଧାରଣ କଲାଣି। ମାତ୍ର ବିଜ୍ଞାନର ଚିନ୍ତାଧାରାକୁ କଣ୍ଠରୋଧ କରାଚାଲିଛି। ଓଡ଼ିଶା ହେତୁବାଦୀ ସମାଜ ପକ୍ଷରୁ ପତ୍ରିକା ‘ବୈଜ୍ଞାନିକ ଚର୍ଚ୍ଚା’ର ୧୫ତମ ବାର୍ଷିକ ଲେଖକ ପାଠକ ସମ୍ମିଳୀନରେ ଅତିଥିମାନେ ଏପରି ମତ ରଖିଛନ୍ତି।

ମନସ୍ତତ୍ବବିତ୍‌ ପ୍ରତାପ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭାରତୀୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ଜଗନ୍ନାଥ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଜାତି ଓ ଧର୍ମ ମଣିଷର ପରିଚୟ ନୁହେଁ। ତା’ର ଏକମାତ୍ର ଜାତି ହେଉଛି ମଣିଷ। ମାତ୍ର ବୁଦ୍ଧିଜୀବୀମାନେ ଆଉ ଆଗକୁ ବାହାରୁନଥିବାରୁ କୁସଂସ୍କାର ବଢ଼ିବଢ଼ି ଚାଲିଛି। ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ, ଧର୍ମଠୁ ନେଇ ବ୍ୟାବହାରିକ ଜୀବନରେ ହେତୁବାଦର ଆବଶ୍ୟକତା ରହିଛି। ଏହି ଆନ୍ଦୋଳନକୁ ଆହୁରି ସକ୍ରିୟ କରାଯିବା ଉଚିତ୍‌ ବୋଲି ସେ କହିଥିଲେ। କବି କେଦାର ମିଶ୍ର କହିଥିଲେ ଏକକ ସଂସ୍କୃତିବାଦରୁ ହିଁ ସନ୍ତ୍ରାସବାଦ ଓ ସାମ୍ପ୍ରଦାୟିକତା ସୃଷ୍ଟିହୁଏ। ତେଣୁ ହେତୁବାଦକୁ ଆହୁରି ସୁଦୃଢ଼ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ବୈଜ୍ଞାନିକ ମନୀଷ କୁମାର କହିଲେ, ଆମେ ବିଜ୍ଞାନ ଶୃଙ୍ଖଳାବୋଧ ତଥା ଚିନ୍ତାଧାରାକୁ ନବୁଝିଲେ ସାମାଜିକ ଓ ଆର୍ଥିକ ଉନ୍ନତି ସମ୍ଭବ ନୁହେଁ। ପ୍ଲାନେଟୋରିୟମର ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଲେ, ଜ୍ୟୋତିଷ କଥାର ବିଜ୍ଞାନ ସହ ଆଦୌ ସମ୍ପର୍କ ନାହିଁ। ଏହା କେବଳ ଅନ୍ଧବିଶ୍ବାସକୁ ପ୍ରଶ୍ରୟ ଦେଉଛି। ତେଣୁ ପ୍ରକାଶ ପାଉଥିବା ଏବଂ ପ୍ରସାର ହେଉଥିବା ରାଶିଫଳ ବିରୋଧରେ ପିଆଇଏଲ୍‌ କରିବା ପାଇଁ ପରାମର୍ଶ ଦେଇଥିଲେ। ମନସ୍ତତ୍ବବିତ୍‌ ରାଜଲକ୍ଷ୍ମୀ ପଣ୍ଡା କହିଥିଲେ, ପୁରୁଷମାନେ ମହିଳାମାନଙ୍କୁ ପରିବାର ମଧ୍ୟରେ କେତେ ସ୍ବାଧୀନତା ଦେଉଛନ୍ତି ତାହା ପ୍ରଥମେ ନିଜକୁ ପଚାରନ୍ତୁ। ଏହି ଅବସରରେ ସ୍ତମ୍ଭକାର ଅମୀୟ ପାଣ୍ଡବ ଏବଂ କବି ଅଖିଳ ନାୟକଙ୍କୁ ‘ଚର୍ଚ୍ଚା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ଦେବେନ୍ଦ୍ର ସୂତାର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଜ୍ଞାନ ପ୍ରକାଶ ମହାପାତ୍ର ଶେଷରେ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe