‘ସଫଳ ଗଳ୍ପରେ ପାଠକ ନିଜକୁ ଆବିଷ୍କାର କରିଥାଏ’

Advertisment

ଗଳ୍ପ ସଂକଳନ ‘ମହାଦ୍ରୁମ’ ଲୋକାର୍ପିତ

ଗଳ୍ପ ସଂକଳନ ‘ମହାଦ୍ରୁମ’ ଲୋକାର୍ପିତ

‘ସଫଳ ଗଳ୍ପରେ ପାଠକ ନିଜକୁ ଆବିଷ୍କାର କରିଥାଏ’

ଭୁବନେଶ୍ବର: ଗାଳ୍ପିକ ଗୁରୁ ଚରଣ ବେହେରାଙ୍କ ଗଳ୍ପ ସଂକଳନ‘ମହାଦ୍ରୁମ’ ଆଜି ‘ସମ୍ବାଦ ଭବନ’ ପରିସରରେ ଉନ୍ମୋଚିତ ହୋଇଯାଇଛି। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ କ୍ଷୀରୋଦ ପରିଡ଼ା ଯୋଗ ଦେଇ କହିଥିଲେ, ବାସ୍ତବତା ଓ କଳ୍ପନାର ସମ୍ମିଶ୍ରଣରେ ଗଳ୍ପ ପାଠକାଦୃତ ହୁଏ। ବାସ୍ତବତା ନଥିଲେ କଳ୍ପନା ବିସ୍ତାରିତ ହେବାର ସମ୍ଭାବନା ନଥାଏ। ଯଦି ତାହା ହୁଏ, ତାହାଲେ ଗଳ୍ପର ଅସ୍ଥିମଜ୍ଜା ଗଢ଼ା ହୁଏ। ତେଣୁ ଗଳ୍ପରେ ନିଜସ୍ବ ଅଭିଜ୍ଞତା କଥାକାରଙ୍କୁ ଅନୁପ୍ରେରିତ କରି ସାର୍ବଜନୀନ ପାଠକମାନଙ୍କ ପାଖରେ ପହଞ୍ଚିଯିବା କଥା। ଗଳ୍ପ ସେଇଠି ସାର୍ଥକ ହୁଏ, ଯେଉଁଠି ପାଠକ ନିଜକୁ ଗଳ୍ପର ଏକ ଅଂଶବିଶେଷ ବୋଲି ଅନୁଭବ କରେ। ‘ମହାଦ୍ରୁମ’ରେ ଏହି ସବୁ ବିଶେଷତ୍ବ ପରିଲକ୍ଷିତ ହେଉଛି ବୋଲି ସମୀକ୍ଷକ ଶ୍ରୀ ପରିଡ଼ା କହିଥିଲେ।

‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ବ କରି କହିଲେ, ଗଳ୍ପ ସାହିତ୍ୟକୁ କଳ୍ପନାର ଆଖ୍ୟା ଦିଆଯାଏ। ଘଟଣାକ୍ରମକୁ ଯିଏ ଯେଉଁଭଳି ଦେଖେ, ସେଭଳି ଢଙ୍ଗରେ ପରିବେଷଣ କରିଥାଏ। ଘଟଣାର ଅନୁପସ୍ଥିତିରେ କଳ୍ପନାର ସୃଷ୍ଟି ଅସମ୍ଭବ। ଅନୁଭବ ବିନା କିଛି କଳ୍ପନା କରି ହେବ ନାହିଁ। ଦୁନିଆ ଦ୍ରୁତ ଗତିରେ ବଦଳି ଯାଉଛି। ତେଣୁ ବର୍ତ୍ତମାନ ପ୍ରକୃତି, ନଦୀ, ଗାଁକୁ ନେଇ ଗଳ୍ପ ଲେଖିବାର ଆବଶ୍ୟକତା ରହିଛି। ନଚେତ୍‌ ପରବର୍ତ୍ତୀ ପିଢ଼ି ପାଇଁ କଳ୍ପନା କରିବାକୁ କିଛି ରହିବ ନାହିଁ।

ମୁଖ୍ୟଅତିଥି ସାହିତ୍ୟିକ ଦାଶ ବେନହୁର କହିଲେ, ସାହିତ୍ୟର ବିଭାଗଗୁଡ଼ିକ ମଧ୍ୟରୁ ‘ଉପନ୍ୟାସ’ ଏକ ସ୍ଥାୟୀ ବିଭାଗ। କିନ୍ତୁ ଉପନ୍ୟାସ ଅପେକ୍ଷା ଗଳ୍ପରେ ସତ୍ୟଶୀଳତା ବେଶି ଥାଏ। ଗଳ୍ପରେ ସୁଯୋଗ ଥାଏ, ଅଳ୍ପରେ କହିବା ପାଇଁ। ଗଳ୍ପ ଲେଖା ବନ୍ଦ ହୋଇଗଲେ, ଗୋଟିଏ ସମୟର ପ୍ରକୃତ ଇତିହାସ ଜଣାପଡ଼ିବ ନାହିଁ।

ଗାଳ୍ପିକ ଗୁରୁଚରଣ ବେହେରା କହିଲେ, କରୋନା ସମୟରେ ମୁଁ ଗଳ୍ପ ଲେଖିବାର ସୁଯୋଗ ପାଇଥିଲି। ନିଜର ଅଭିଜ୍ଞତାକୁ ଆଧାର କରି ଗଳ୍ପ ଲେଖିଛି। ଏଥିରେ ଥିବା ଚରିତ୍ର, ସ୍ଥାନ ସବୁଥି‌ରେ ମୋର ଆପଣାପଣ ଭରି ରହିଛି। ଗଳ୍ପ ମାଧ୍ୟମରେ ସେମାନଙ୍କୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛି।

ବିଶିଷ୍ଟ କଥାକାର ଗୌରହରି ଦାସ, ‘ପୌରୁଷ’ର ସମ୍ପାଦକ ଅସିତ୍‌ ମହାନ୍ତି, ଗାଳ୍ପିକ ରାଜୁ ସାମଲ, ଗୌରାଙ୍ଗ ଚରଣ ରାଉଳ ପ୍ରମୁଖ ବକ୍ତବ୍ୟରେ କହିଥିଲେ ଯେ ବିପର୍ଯ୍ୟୟକୁ କିଭଳି ସୁଯୋଗରେ ପରିଣତ କରାଯାଇପାରେ, ତାହାର ଉଦାହରଣ ଗୁରୁ ଚରଣ ବେହେରା। କୋଭିଡ୍‌ ଦୁର୍ଦ୍ଦଶା ସମୟରେ ସେ ସମାଲୋଚନା ସାହିତ୍ୟରୁ ସୃଜନଶୀଳ ସାହିତ୍ୟକୁ ଆସି ଗଳ୍ପ ସଂକଳନ କରିଥିଲେ। ଏହି ସଂକଳନରେ ବ୍ରହ୍ମଣୀ ନଈକୂଳ, ନିଜ ଜୀବନ, ଅନ୍ତରଙ୍ଗତା, ସରଳତା ଓ ବିଶ୍ବସନୀୟତା ରହିଛି ବୋଲି ଅତିଥିମାନେ କହିଥିଲେ। ପ୍ରଭାକର ତରାଇ, ନୃପଞ୍ଚ କେଶରୀ ପରିଡ଼ା, ସହଦେବ ଦାସ, ପ୍ରେମାନନ୍ଦ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଲେଖକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ‘ପକ୍ଷୀଘର’ ପ୍ରକାଶନୀର ମୁଖ୍ୟ ବନୋଜ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe