ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସ୍ମରଣେ

ଦେବୀପ୍ରସାଦ ପୃଷ୍ଟି

ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସ୍ମରଣେ

ମେ’ ୨୦ ତାରିଖ (ଗୁରୁବାର) ସକାଳୁ ସତ୍ୟନାରାୟଣ ପଣ୍ଡାଙ୍କଠାରୁ ଫୋନ୍‌ କଲ୍‌ ପାଇଲି। ‘ଭାଉଜ’ ଚାଲିଗଲେ ବୋଲି ତାଙ୍କଠାରୁ ଶୁଣିଲି। ଭାଉଜ ଅର୍ଥାତ୍‌ ରମାବଲ୍ଲଭ ରଥଙ୍କ ସ୍ତ୍ରୀ, ଆମ ସମସ୍ତଙ୍କର ସମ୍ମାନସ୍ପଦା ସ୍ନେହମୟୀ ଭାଉଜ ଅଧ୍ୟାପିକା ଅନ୍ନପୂର୍ଣ୍ଣା ମିଶ୍ର। ଭାଉଜଙ୍କର ଦେହ ଖରାପ ଓ କରୋନା ଯୋଗୁଁ ହାଇଟେକ୍‌ ମେଡିକାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଲୁଲୁ ଭାଇ (ଦିଅର ଉମାବଲ୍ଲଭ ରଥ)ଙ୍କ ସହ କଥା ବି ହୋଇଥିଲି। ତେବେ ବୁଧବାର ଦି’ପହରେ ତାଙ୍କ ଦେହ ଟିକେ ଭଲ ଥିବା କଳ୍ପନା ଭାଉଜ କହିବା ପରେ ମୁଁ ଆଶ୍ବସ୍ତ ହୋଇଥିଲି। କିନ୍ତୁ ଗୁରୁବାର ସକାଳେ ସମସ୍ତଙ୍କଠୁ ବିଦାୟ ନେଇ ସେ ଆରପାରିକୁ ଚାଲିଗଲେ।

ତାଙ୍କ ସହ ମୋର ଆତ୍ମୀୟତା ଦୀର୍ଘ ୩୫ବର୍ଷର। ନଳିନୀଦେବୀ ମହିଳା ବି.ଏଡ୍‌ କଲେଜର ଛାତ୍ରୀବତ୍ସଳା ଅଧ୍ୟାପିକା କିମ୍ବା ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମରେ ସୁସଂଗଠିକା ଭାବେ ଆମେ ତାଙ୍କୁ ଯେତେ ଗ୍ରହଣ କରି ନଥିଲୁ, ତାଠୁ ବେଶି ଆମର ଜଣେ ଶୁଭେଚ୍ଛୁ, ହିତୈଷୀ ଭାବେ ସେ ଆମ ସମସ୍ତଙ୍କୁ ନିଜର କରିପାରିଥିଲେ।

ଛାତ୍ର ରାଜନୀତି ଜୀବନରେ ଅଶୀ ଦଶକର ଦ୍ବିତୀୟାର୍ଦ୍ଧରେ, ରାତି ଅଧରେ, ତାଙ୍କ ଘର ବାହାରପଟ କୂଅନନ୍ଦ ଉପରେ ଚଢ଼ି, ପାଚେରି ଦେଇ ଉପରମହଲା ରୁମ୍‌ରେ ପଶିଛୁ। ଅଧରାତିରେ ଗ୍ରିଲ ଖୋଲା ରଖିବାର ଦାୟିତ୍ବ କିନ୍ତୁ ସ୍ବେଚ୍ଛାରେ ନେଇଯାଇଥିଲେ ଭାଉଜ। ଆଉ ତା’ ସହ ଘୋଡ଼ାଘୋଡ଼ି ହୋଇ ରହିଥିବ ରାତି ଖାଇବା। କାରଣ ବୋହୂ ହିସାବରେ ଶ୍ବଶୁର ସଚ୍ଚିଦାନନ୍ଦ ରଥଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେବା ଏବଂ ଭାଉଜ ହିସାବରେ ଦିଅର ଉମାବଲ୍ଲଭ ରଥ ଓ ମୋ ଭଳି ସାଥୀମାନଙ୍କ ପ୍ରତି ନିଜର ସ୍ନେହ, ଭଲ ପାଇବା ଭିତରେ ସେ ସର୍ବଦା ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ।

ମନେ ଅଛି, ଆମ ଗାଁ ଡେଲାଙ୍ଗରୁ ରଶ୍ମି ସିଂ(ମହାପାତ୍ର), ରିତାୟିନୀ ମଙ୍ଗରାଜ ଏମିତି ଗୋଟେ ଦଶଜଣିଆ କଲେଜ ପଢ଼ୁଆ ଛାତ୍ରଛାତ୍ରୀ ଦଳ ଦିନେ ଖରାବେଳେ ଉମା ଭାଇଙ୍କ ଘରେ ପହଞ୍ଚିଥିଲେ। ମଉସା (ସଚ୍ଚିଦାନନ୍ଦ ରଥ) ତଳେ ଥାଆନ୍ତି। ତେଣୁ ସମସ୍ତେ ଉପର ମହଲାକୁ ଆସିଲେ। କେହି ଖାଇ ନଥା’ନ୍ତି। ଦିନ ଦେଢ଼ଟା ଦୁଇଟା ହେବ। କ’ଣ କରାଯିବ? ଭାଉଜଙ୍କର ସ୍ନେହବୋଳା କଥା ‘ହଉ, ଟିକେ ଅଧଘଣ୍ଟା ଅପେକ୍ଷା କର। ମୁଁ ଖାଇବାକୁ ଦଉଛି’। ସେଇ ଉପରମହଲାରେ ହିଟର୍‌ରେ ଆମ ୧୨ଜଣଙ୍କ ପାଇଁ ଖେଚେଡି ଓ ଆଳୁ ଚକଟା ରାନ୍ଧିଲେ। ଖେଚେଡି ଉପରେ ଗୁଆଘିଅ ପକେଇ ପରଷିଦେଲେ। ଗୁଡ଼ି(ଅମ୍ରିତା), ରାଜା (ଅଂଶୁମାନ) ଛୋଟ ଥିଲା ବେଳେ ସମରେନ୍ଦ୍ର କାକା (ସାହୁ) ଓ ମୋ ଉପରେ ଭାଉଜଙ୍କର ହକ୍‌ ଥିଲା ବେଶି। ବ୍ୟକ୍ତିଗତ ଭାବେ ମୁଁ ଓ ମୋ ସ୍ତ୍ରୀ ତାଙ୍କ ପାଖରେ ଋଣୀ।

ଭୁବନେଶ୍ୱରର ବହୁ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତାରେ, ବିଶେଷକରି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟସ୍ତରରେ ବିଚାରକ ଭାବେ ତାଙ୍କର ନିୟମିତ ଯୋଗଦାନ ରହୁଥିଲା। ନଳିନୀଦେବୀ ମହିଳା ବି.ଏଡ୍‌ କଲେଜକୁ ସରକାରୀ ପରିଚାଳନାଧୀନ କରିବା ଦିଗରେ ଅଧ୍ୟାପିକା ଅନ୍ନପୂର୍ଣ୍ଣା ମିଶ୍ରଙ୍କର ଏକନିଷ୍ଠ ଉଦ୍ୟମ ରହିଥିଲା। କଲେଜ ଆଜି ସଫଳତା ହାସଲ କରିଛି, ନିଜର ସ୍ବତନ୍ତ୍ର ପରିଚୟ ପାଇଛି। ଏହା ପଛରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି। ଆଜି ଓ ଆଗାମୀ ଦିନରେ ଏ ଅନୁଷ୍ଠାନରୁ ବହୁ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ସମାଜ କଲ୍ୟାଣରେ ବ୍ରତୀ ହେବେ ଓ ଭବିଷ୍ୟତ ପାଇଁ ଭଲ ନାଗରିକ ତିଆରି କରିବେ। ସେହିମାନଙ୍କର କର୍ତ୍ତବ୍ୟନିଷ୍ଠା ଓ ସଫଳତା ଭିତରେ ଅଧ୍ୟାପିକା ଅନ୍ନପୂର୍ଣ୍ଣା ମିଶ୍ର ଚିର ଅମର ରହିବେ। କରୋନା ମହାମାରୀ‌ରେ ଶେଷଦର୍ଶନର ସୁଯୋଗ ପାଇଲୁନି, ଏତିକି ମାତ୍ର ଦୁଃଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe