ରାଜଧାନୀରେ ମିଳୁନି ଆଇସିୟୁ‌ ଓ ଭେଣ୍ଟିଲେଟର ଶଯ୍ୟା: ଆଇସିୟୁ ନ ପାଇ ଆକ୍ରାନ୍ତ ମରୁଛନ୍ତି, ଆଇସିୟୁ ଶଯ୍ୟା ହିସାବ ଦେବାକୁ ନାରାଜ

Advertisment

ଅକ୍ସିଜେନ୍‌ ଶଯ୍ୟା ୫୨%, ଏଚ୍‌ଡିୟୁରେ ୭୩% ଶଯ୍ୟା ଭର୍ତ୍ତି

ଅକ୍ସିଜେନ୍‌ ଶଯ୍ୟା ୫୨%, ଏଚ୍‌ଡିୟୁରେ ୭୩% ଶଯ୍ୟା ଭର୍ତ୍ତି

ରାଜଧାନୀରେ ମିଳୁନି ଆଇସିୟୁ‌ ଓ ଭେଣ୍ଟିଲେଟର ଶଯ୍ୟା: ଆଇସିୟୁ ନ ପାଇ ଆକ୍ରାନ୍ତ ମରୁଛନ୍ତି, ଆଇସିୟୁ ଶଯ୍ୟା ହିସାବ ଦେବାକୁ ନାରାଜ

The New Leam

ଭୁବନେଶ୍ବର: ରାଜଧାନୀରେ ଏବେ ପ୍ରତିଦିନ ହଜାରେରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨୭୩ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କର ପ୍ରାୟ ୮୫% ଗୃହ ସଙ୍ଗରୋଧରେ ଥିଲେ ବି ହଠାତ୍ ଅକ୍ସିଜେନ୍ ମାତ୍ରା କମିଯାଉଥିବାରୁ ବହୁ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। କିନ୍ତୁ ହସ୍ପିଟାଲରେ ଏବେ ଆଇସିୟୁ ଓ ଭେଣ୍ଟିଲେଟର ଶଯ୍ୟା ନାହିଁ। ସବୁ ଭର୍ତ୍ତି ହୋଇଯାଇଛି। ଯେଉଁଥିପାଇଁ ମୃତକଙ୍କ ସଂଖ୍ୟା ବଢ଼ୁଛି ବୋଲି ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ଭୁବନେଶ୍ବରରେ ୯ଟି କୋଭିଡ୍‌ ହସ୍ପିଟାଲ‌ ମାଧ୍ୟରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଥିବାବେଳେ ଏଠାରେ ରାଜଧାନୀର ଯେତିକି ଆକ୍ରାନ୍ତ ରାଜଧାନୀ ବାହାରର ବି ସେତିକି ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି।

ବିଶେଷକରି ଆଇସିୟ୍ୁ ଓ ଭେଣ୍ଟିଲେଟରରେ। ଏହି ୯ଟି ହସ୍ପିଟାଲରେ ୧୩୩୨ଟି ଆଇସିୟୁ ଶଯ୍ୟା ଥିବାବେଳେ ଏଥିରୁ ପ୍ରା‌ୟ ୩ଶହ ଶଯ୍ୟାରେ ଭେଣ୍ଟିଲେଟର ବ୍ୟବସ୍ଥା ଅଛି। ହେଲେ ସବୁଥିରେ ଆକ୍ରାନ୍ତ ଭର୍ତ୍ତି ‌ଅଛନ୍ତି। ଗୋଟିଏ ଆଇସିୟୁ ଶଯ୍ୟା ଖାଲି ହେଲା ବେଳକୁ ଏଥିରେ ଚିକିତ୍ସା ପାଇଁ ଧାଡ଼ିରେ ୧୦ରୁ ୧୨ଜଣ ରହୁଛନ୍ତି। ଯେଉଁ ଆକ୍ରାନ୍ତ ଶଯ୍ୟା ପାଇଗଲେ ତାଙ୍କର ବଞ୍ଚିବା ଆଶା ରହୁଛି, ନଚେତ୍ ଜେନେରାଲ୍‌ ୱାର୍ଡରେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଯାଉଛି। ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଆଇଇସିୟୁ ଓ ଭେଣ୍ଟିଲେଟର ଶଯ୍ୟା ଅଭାବ ଥିବାରୁ ଏବେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତିଦିନ ରାଜଧାନୀରେ ୪୦ରୁ ଅଧିକ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେଉଥିବାରୁ ରାଜ୍ୟ ସରକାର ଓ ବିଏମ୍‌ସି କିନ୍ତୁ ଏହାକୁ ମାନିବାକୁ ନାରାଜ। ହେଲେ ସତ୍ୟନଗର ଶ୍ମଶାନ ରାଜ୍ୟ ସରକାରଙ୍କ ମିଛକୁ ଧରାଇ ଦେଉଛି। ରାଜଧାନୀର କେଉଁ କୋଭିଡ୍‌ ହସ୍ପିଟାଲରେ କେତେ ଆଇସିୟୁ ଶଯ୍ୟା ଅଛି, କେତେ ଶଯ୍ୟାରେ ଭେଣ୍ଟିଲେଟର ସୁବିଧା ଅଛି, କେତେ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି, ଭୁବନେଶ୍ବରର କେତେ, ବାହାର ଜିଲ୍ଲାର କେତେ ଆକ୍ରାନ୍ତ ଅଛନ୍ତି ‌ସେନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଦୀର୍ଘଦିନ ହେଲା ତଥ୍ୟ ମଗାଯାଉଥିଲେ ହେଁ ସେମାନେ ଲୁଚାଉଛନ୍ତି। ହସ୍ପିଟାଲ ସମ୍ବନ୍ଧୀୟ କୌଣସି ତଥ୍ୟ ଦେଉନାହାନ୍ତି।

ଏପରିକି ଅଧିକ ଆଇସିୟୁ ଶଯ୍ୟା ବଢ଼ିବା, ଅଧିକ ଶଯ୍ୟାରେ ଭେଣ୍ଟିଲେଟର ସୁବିଧା ରଖିବା ନେଇ ତ୍ବରିତ ପଦକ୍ଷେପ ନିଆଯାଉନଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଏହାକୁ ସଜାଡ଼ିବାକୁ କେହି ରାଜି ହେଉନାହାନ୍ତି। ଫଳରେ ବହୁ ସାଧାରଣ ଲୋକ ‌ଆଇସିୟୁ ଶଯ୍ୟା ନପାଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀର ୯ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଓ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା କୋଭିଡ କେୟାର ସେଣ୍ଟରକୁ ମିଶାଇ ୨୨୬୫ଟି ଶଯ୍ୟାରେ ଅକ୍ସିଜେନ୍ ସୁବିଧା ଅଛି। ଏଥିରୁ ୧୧୮୧ଟି ଶଯ୍ୟାରେ ଏବେ ଆକ୍ରାନ୍ତ ଅଛନ୍ତି। ଯେଉଁ ଆକ୍ରାନ୍ତଙ୍କର ଅକ୍ସିଜେନ୍ ସ୍ତର କମିଯାଉଛି ସେମାନଙ୍କୁ ଆମେ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରୁଛୁ ବୋଲି ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି। ଏହାବାଦ୍ ଯେଉଁମାନଙ୍କର ହସ୍ପିଟାଲରେ ଅକ୍ସିଜେନ୍ ଲାଗିବା ପରେ ବି ଗୁରୁତର ହେଉଛନ୍ତି ସେମାନଙ୍କୁ ଏଚ୍‌ଡିୟୁ ଶଯ୍ୟାକୁ ସ୍ଥାନାନ୍ତର କରାଯାଉଛି। ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ୮୦୬ଟି ଏଚ୍‌ଡିୟୁ ଶଯ୍ୟା ଥିବାବେଳେ ଏଥିରୁ ୫୮୭ଟିରେ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ କୋଭିଡ୍‌ ହସ୍ପିଟାଲର ସମସ୍ତ ଶଯ୍ୟା ସମ୍ବନ୍ଧୀୟ ସୂଚନା ମଗାଯାଇଥିଲେ ‌ହେଁ ସେମାନେ କେବଳ ଖାଲିଥିବା ଅକ୍ସିଜେନ୍ ‌ଶଯ୍ୟା ଓ ଏଚ୍‌ଡିୟୁ ଶଯ୍ୟା ସୂଚନା ଦେଇଥିଲେ।

ଆଇସିୟୁ ଶଯ୍ୟା ନେଇ ଉତ୍ତର ମିଳିଥିଲା ସବୁ ଭର୍ତ୍ତି ଅଛି। ଆଉ କିଛି କହିହେବନି। ଏଠାରେ ପ୍ରଶ୍ନ ଉଠୁଛି ବିଏମ୍‌ସି କର୍ତ୍ତୃପକ୍ଷ ଆଇସିୟୁ ଶଯ୍ୟା ସୂଚନା କାହିଁକି ଲୁଚାଉଛନ୍ତି। ଯଦି କେଉଁ ହସ୍ପିଟାଲରେ କେତେ ଆଇସିୟୁ ଶଯ୍ୟା ଅଛି ତା’ର ସୂଚନା ଦିଅନ୍ତେ ତେବେ ଆକ୍ରାନ୍ତ ତୁରନ୍ତ ସେହି ହସ୍ପିଟାଲରେ ପହଞ୍ଚିଯାଆନ୍ତେ। କିନ୍ତୁ ଆଇସିୟୁ ଶଯ୍ୟା କେଉଁଠି କେତେ ଖାଲି ଅଛି କହୁନଥିବାରୁ ଆଇସିୟୁ ଶଯ୍ୟା ଚକ୍କରରେ ଆକ୍ରାନ୍ତ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲ ବୁଲିବା ଭିତରେ ଜୀବନ ପଳାଉଛି। ରାଜ୍ୟ ସରକାର ଓ ବିଏମ୍‌ସି ତଥ୍ୟ ଲୁଚାଇବାକୁ ଯାଇ କେତେ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଛନ୍ତି ତାହା କିଏ ବୁଝାଇବ। ମିଳିଥିବା ସୂଚନା ଅନୁଯାୟୀ, ଏବେ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୯୦ଟି, ବ୍ଲୁ ହୁଇଲ୍‌ରେ ୭୦ଟି, ହାଇଟେକ୍‌ରେ ୮୬ଟି, ସମ୍‌ରେ ୭୧୫ଟି, କାନ୍ୁ‌ନଗୋ ଇନଷ୍ଟିଚ୍ୟୁଟ୍ ଅଫ୍ ଡାଏବେଟିସ୍ ସ୍ପେସିଆଲିଟିଜ୍‌ରେ ୪୫ଟି, କିମ୍‌ସରେ ୧୫୦ଟି, ନୀଳାଚଳରେ (ବାଳକାଟି) ୪୦ଟି, ନୀଳାଚଳରେ ୭୪ଟି, ସ୍ପର୍ଶ ହସ୍ପିଟାଲରେ ୬୨ଟି ଆଇସିୟୁ ଶଯ୍ୟା ଅଛି। ହେଲେ ସବୁଥିରେ ଆକ୍ରାନ୍ତ ଭର୍ତ୍ତି ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe