Image Courtesy of India Today
ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ଟପିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୧୫ ପଜିଟିଭ୍ ଚିହ୍ନଟ ହେବା ପରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୨୧ରେ ପହଞ୍ଚିଛି। ଦୁଇ ଦିନରେ ୧୦୨୦ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜଧାନୀର କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟର ସମୁଦାୟ ଆକ୍ରାନ୍ତଙ୍କ ୧୦ ପ୍ରତିଶତ ଥିବା ବେଳେ ଖୋର୍ଧା ଜିଲ୍ଲାର ୬୨ ପ୍ରତିଶତ ରହିଛି। ଏଥିରୁ ଭୁବନେଶ୍ବରରେ କରୋନା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଥିବା ସ୍ପଷ୍ଟ ହୋଇଛି। ଏହାସହ ରାଜଧାନୀରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୯୧୦କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ କରୋନା ହୁ ହୁ ହୋଇ ବଢ଼ୁଛି। ଗତ ୨୮ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଗୋଟିଏ ଦିନରେ ୫୦୫ ଆକ୍ରାନ୍ତ ସର୍ବାଧିକ ଥିବା ବେଳେ ଗତ ୨୪ଘଣ୍ଟାରେ ଏହି ରେକର୍ଡ ଭାଙ୍ଗିଛି। ଦିନକରେ ୫୧୫ ରୋଗୀ ଚିହ୍ନଟ ହୋଇଛନ୍ତି। ବଡ଼ଗଡ଼ ଥାନାରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଏକ ଘରୋଇ ହସ୍ପିଟାଲରୁ ବହୁ ସଂଖ୍ୟାରେ କର୍ମଚାରୀ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେହିପରି ଡମଣା, ଚକେଇସିଆଣି, ୟୁନିଟ୍-୧, ଝାରପଡ଼ା ଲେନ୍-୧ ଆଦି ଅଞ୍ଚଳରୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ୨୮୭ଜଣ ସ୍ଥାନୀୟ ସଂକ୍ରମିତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।
ରାଜଧାନୀର ୪୬ନଂ ୱାର୍ଡରେ ସର୍ବାଧିକ ସଂଖ୍ୟକ ସକ୍ରିୟ ରୋଗୀ ରହିଛନ୍ତି। ଏଠାରେ ୩୩ଜଣ ଥିବା ବେଳେ ୨୭ ଓ ୪୦ନଂ ୱାର୍ଡରେ ୨୯ଜଣ ଲେଖାଏଁ ରୋଗୀ ରହିଛନ୍ତି। ତେବେ ୨୬ ଓ ୪୯ନଂ ୱାର୍ଡରେ ଆଜି ସୁଦ୍ଧା କୌଣସି ସକ୍ରିୟ କରୋନା ରୋଗୀ ନ ଥିବା ବିଏମ୍ସି ରିପୋର୍ଟରୁ ଜଣାପଡ଼ିଛି। ରାଜଧାନୀରେ କରୋନା ରୋଗୀଙ୍କ ସୁସ୍ଥ ହାର ୬୦ ପ୍ରତିଶତ ରହିଛି। ଭୁବନେଶ୍ବରରେ ଏ ପର୍ଯ୍ୟନ୍ତ ୬୦୬୧ ରୋଗ ସୁସ୍ଥ ହୋଇ ସାରିଲେଣି। ଏହାସହ ଆଜି ଜଣେ ରୋଗୀ ପ୍ରାଣ ହରାଇଥିବା ନେଇ ଘୋଷଣା ହେବା ପରେ ରାଜଧାନୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି।
ଭୁବନେଶ୍ବର: ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଆକ୍ରାନ୍ତମାନଙ୍କୁ ତୁରନ୍ତ କିଟ୍ ଯୋଗାଇବା, ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିବା, ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରି ସଙ୍ଗରୋଧରେ ରଖିବା ପାଇଁ ବିଏମ୍ସି ପକ୍ଷରୁ ରୢାପିଡ୍ ରେସ୍ପନ୍ସ ଟିମ୍ (ଆର୍ଆର୍ଟି) ଗଠନ କରାଯାଇଛି। ପ୍ରତି ୱାର୍ଡରେ ୩ଟି ଲେଖାଏଁ ଆରଆରଟି ଗଠନ ହୋଇଛି। କିନ୍ତୁ ଏବେ ଘରେ ସଙ୍ଗରୋଧ ରହୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍ସି ପକ୍ଷରୁ ପ୍ରତି ୱାର୍ଡରେ ୧୦ଟି ଲେଖାଏଁ ଆରଆରଟି ନିୟୋଜିତ କରିବାକୁ ନିଷ୍ପତ୍ତି ହୋଇଛି। ଏହାବାଦ୍ ୮ଟି କେନ୍ଦ୍ରୀୟ ଆରଆରଟି ରହିବ। ଏହିପରି ୩୮ଟି ଆରଆରଟି ଏବେ କାମ କରିବ ବୋଲି ଜଣାପଡ଼ିଛି। ପ୍ରତି ଟିମ୍ରେ ଜଣେ ଆୟୁଷ ଡାକ୍ତର ଓ ଜଣେ ପାରମେଡିକାଲ୍ ଷ୍ଟାଫ୍ ଅଛନ୍ତି। ଉକ୍ତ ଟିମ୍ ଆକ୍ରାନ୍ତଙ୍କ ଘରକୁ ଯାଇ ସେ ଘରେ ସଙ୍ଗରୋଧ ରହିପାରିବେ କି କୋଭିଡ୍ ହସ୍ପିଟାଲ ଯିବାକୁ ହେବ କି କୋଭିଡ୍ କେୟାର ହୋମ୍/କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତର ହେବେ ତାହା ଯାଞ୍ଚ କରି ରିପୋର୍ଟ ଦେବା ପରେ ବିଏମ୍ସି କର୍ତ୍ତୃପକ୍ଷ ପଦକ୍ଷେପ ନିଅନ୍ତି। ବର୍ତ୍ତମାନ ସୁଦ୍ଧା ୨୩୯୧ ଜଣ ଗୃହ ସଙ୍ଗରୋଧରେ ରହିଛନ୍ତି।
Follow Us