ଭୁବନେଶ୍ବର: ଅନ୍ଧାରରେ ରାଜଧାନୀ। ସ୍ଥିତି ଏପରି ଯେ ରାତିରେ ଯିବାକୁ ରାଜଧାନୀବାସୀ ଡରିଲେଣି। ଅନ୍ଧକାରରେ ଚୋରି, ରାହାଜାନି ଭଳି ଡର ତ ରହୁଛି, ସାଙ୍ଗକୁ ଖାଲଖମାରେ ପଡ଼ି ଅବା ମେଡିଆନ୍ରେ ପିଟି ହୋଇ ମୃତାହତ ହେବାର ବି ଭୟ ଘାରୁଛି। ଯାହାର ପ୍ରମୁଖ କାରଣ ସାଜିଛି ନିମ୍ନମାନର ଏଲ୍ଇଡି ଲାଇଟ୍। ଆଜି ଲାଗିଲେ, କାଲିକୁ ଏହା ଖରାପ ହୋଇଯାଉଛି। ଅଭିଯୋଗ କଲେ ବି ଲାଇଟ୍ ବଦଳାଯାଉନି କି ସମସ୍ୟାର ସମାଧାନ ହେଉନି। ତଥାପି ଲାଇଟ୍ ଯୋଗାଣ କମ୍ପାନି ତଥା ଠିକାସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇ ଆସୁଛି ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)। ଟଙ୍କା ଦେବାରେ ଊଣା କରାଯାଉନି। ଆଜି ସୁଦ୍ଧା ଚୁକ୍ତି ରଦ୍ଦ କରାଯାଉନି କି କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉନି। ପରିଣାମ ସ୍ବରୂପ ଲାଇଟ୍ ଯୋଗାଣ କମ୍ପାନିର ମନମାନି ବଢ଼ିଚାଲିଛି।
ବଡ଼କଥା ହେଉଛି, ଯେଉଁ କମ୍ପାନି ଏଲ୍ଇଡି ଲାଇଟ୍ ଦେଉଛି, ସେହି ସଂସ୍ଥାକୁ ସର୍ବେସର୍ବା କରି ଦିଆଯାଇଛି। ଲକ୍ସ ଲେଭଲ୍ ମେଜରମେଣ୍ଟ ବା ଆଲୋକସ୍ତର ପରୀକ୍ଷଣ ରିପୋର୍ଟ ସଂପୃକ୍ତ ସଂସ୍ଥା ବିଏମ୍ସିକୁ ପ୍ରଦାନ କରୁଛି। ଯାହାକୁ ଅନ୍ଧ ଭଳି ବିଶ୍ବାସ କରୁଛି ବିଏମ୍ସି। ନିଜ ତରଫରୁ ଲାଇଟ୍ର ମାନ ବି ପରୀକ୍ଷା କରୁନି। ଏଣୁ ସଂପୃକ୍ତ କମ୍ପାନି ବାରମ୍ବାର ବିଏମ୍ସିକୁ ଠକିବାରେ ଲାଗିଛି। ଯାହାର ଦୁର୍ଦ୍ଦଶା ରାଜଧାନୀବାସୀ ଭୋଗୁଛନ୍ତି। ଅନ୍ଧକାରମୟ ପରିବେଶରେ ଭୟାତୁର ଜୀବନ କାଟୁଛନ୍ତି।
ସରକାରୀ ତଥ୍ୟ ମୁତାବକ, ଗତବର୍ଷଠାରୁ ନୂଆ ଏଲ୍ଇଡି ଷ୍ଟ୍ରିଟ୍ଲାଇଟ୍ ଲାଗି ଆସୁଛି। କେଉଁ ଅଞ୍ଚଳରେ କେତେ ଷ୍ଟ୍ରିଟ୍ଲାଇଟ୍ ଖରାପ ହୋଇଛି ଓ କେତେ ଜାଗାରେ ମରାମତି ଆଦି ଆବଶ୍ୟକ କରୁଛି, ଆକଳନ ପରେ ଏହାର ଟେଣ୍ଡର ଡକାଯାଇଥିଲା। ନୂଆ ଏଲ୍ଇଡି ଷ୍ଟ୍ରିଟ୍ ଲଗାଇବା ସହ ଅନ୍ୟାନ୍ୟ କାମ କରିବାକୁ ୬ଟି ପ୍ୟାକେଜ୍ରେ ୨୦୨୪ ସେପ୍ଟେମ୍ବର ୨୬ରୁ ନୂଆ ଟେଣ୍ଡର ବିଭିନ୍ନ ଠିକାସଂସ୍ଥାକୁ ଦିଆଯାଇଛି। କିନ୍ତୁ ଏହା ପୂର୍ବରୁ ସବୁଠି କ୍ରମ୍ପଟନ୍ କମ୍ପାନିର ଏଲ୍ଇଡି ଷ୍ଟ୍ରିଟ୍ଲାଇଟ୍ ଲଗାଇବାକୁ ମେୟର ଓ ବିଦ୍ୟୁତ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା। ଯାହାକୁ ମେୟର ୨୦୨୪ ସେପ୍ଟେମ୍ବର ୨୫ରେ ଅନୁମୋଦନ କରିଛନ୍ତି। ସେହି ଅନୁସାରେ ବର୍ଷକ ଭିତରେ ଭୁବନେଶ୍ବର ମହାନଗର ନିଗମର ୬୭ଟି ୱାର୍ଡରେ ଏଲ୍ଇଡି ଷ୍ଟ୍ରିଟ୍ଲାଇଟ୍ ଲଗାଇବାରେ ୭କୋଟି ୩୬ଲକ୍ଷ ୬୧ହଜାର ୧୦୩ ଟଙ୍କା ଖର୍ଚ୍ଚ କରାଯାଇଛି। ୧ରୁ ୯ ନମ୍ବର ୱାର୍ଡ(୯ଟି ୱାର୍ଡ) ପାଇଁ ୧କୋଟି ୧୫ଲକ୍ଷ ୯୮ହଜାର ୨୧୫ ଟଙ୍କା, ୧୦ରୁ ୧୪ ନମ୍ବର ୱାର୍ଡ ଓ ୧୬ରୁ ୨୧ ନମ୍ବର ୱାର୍ଡ(୧୧ଟି ୱାର୍ଡ) ପାଇଁ ୧କୋଟି ୧୭ଲକ୍ଷ ୪୩ହଜାର ୦୯୮ ଟଙ୍କା, ୧୫ ନମ୍ବର ୱାର୍ଡ ଓ ୨୨ରୁ ୩୧ ନମ୍ବର ୱାର୍ଡ(୧୧ଟି ୱାର୍ଡ) ପାଇଁ ୧କୋଟି ୨୩ଲକ୍ଷ ୧ହଜାର ୦୬୯ ଟଙ୍କା, ୩୨ରୁ ୪୩ ନମ୍ବର ୱାର୍ଡ(୧୨ଟି ୱାର୍ଡ) ପାଇଁ ୧କୋଟି ୨୫ଲକ୍ଷ ୮୬ହଜାର ୯୬୫ ଟଙ୍କା, ୪୪ରୁ ୫୫ ନମ୍ବର ୱାର୍ଡ(୧୨) ପାଇଁ ୧କୋଟି ୯ଲକ୍ଷ ୬୨ହଜାର ୮୪୨ ଟଙ୍କା, ୫୬ରୁ ୬୭ ନମ୍ବର ୱାର୍ଡ(୧୨) ପାଇଁ ୧କୋଟି ୪୪ଲକ୍ଷ ୬୮ହଜାର ୯୧୪ ଟଙ୍କା ଖର୍ଚ୍ଚ କରାଯାଇଛି। ଏଲ୍ଇଡି ଲାଇଟ୍ ସଂଖ୍ୟା ଦେଖିଲେ, ଟେଣ୍ଡର ଚୁକ୍ତିଠାରୁ ଆଜି ଭିତରେ(୧ ବର୍ଷ) କ୍ରମ୍ପଟନ୍ କମ୍ପାନିଠାରୁ ୬୦ ୱାଟ୍ ୩୯୨୯ଟି ଓ ୯୦ ୱାଟ୍ ୫୩୦ଟି ଷ୍ଟ୍ରିଟ୍ ଲାଇଟ୍ ଠିକାଦାରଙ୍କ ଜରିଆରେ କିଣାଯାଇ ଲଗାଯାଇଛି। ତଥାପି ସ୍ଥିତିରେ ସୁଧାର ଆସିନି। ବାରମ୍ବାର ଷ୍ଟ୍ରିଟ୍ଲାଇଟ୍ ଅଚଳ ହେବା ଓ ରାଜଧାନୀର ଅଧିକାଂଶ ଅଞ୍ଚଳ ଅନ୍ଧାର ଭିତରେ ରହିବା, ରାଜଧାନୀବାସୀଙ୍କ ଅସନ୍ତୋଷର କାରଣ ପାଲଟିଛି।
ଏହି ସମସ୍ୟା ଗତ କର୍ପୋରେସନ୍ ବୈଠକରେ ବି ଉଠିଛି। ସଭାକୁ ଶାନ୍ତ କରିବାକୁ ଯାଇ ଆମେ ଜୋନ୍ୱାରି ଏଥର ଟେଣ୍ଡର କରିବୁ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି। ୬ଟି ଠିକାସଂସ୍ଥା ବଦଳରେ ଏଥର ତିନି ଜୋନ୍ରେ ତିନି ଏଜେନ୍ସିକୁ ଷ୍ଟ୍ରିଟ୍ଲାଇଟ୍ ପରିଚାଳନା ଦାୟିତ୍ବ ଦେବୁ ବୋଲି କହିଛନ୍ତି। କିନ୍ତୁ ନିର୍ଦ୍ଦିଷ୍ଟ କମ୍ପାନିଠାରୁ ଏଲ୍ଇଡି ଲାଇଟ୍ କ୍ରୟ ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ୫୫ ନମ୍ବର ୱାର୍ଡ କର୍ପୋରେଟର୍ ନୃପେଶ କୁମାର ନାୟକ କହିଛନ୍ତି, ଷ୍ଟ୍ରିଟ୍ ଏଲ୍ଇଡି ଲାଇଟ୍ ଏତେ ନିମ୍ନମାନର ଲଗାଯାଉଛି ଯେ ଆଜି ଲାଗିଲେ, କାଲିକୁ ଖରାପ ହୋଇଯାଉଛି। ସେପଟେ କୌଣସିଠାରେ ଷ୍ଟ୍ରିଟ୍ଲାଇଟ୍ ଖରାପ ହେଲେ, ମରାମତି ହେବାକୁ ମାସ ମାସ ଲାଗି ଯାଉଛି। କ୍ରମ୍ପଟନ୍ ଏଲ୍ଇଡି ଲାଇଟ୍ ଅତି ନିମ୍ନମାନର ହୋଇଥିବାରୁ ଏହାକୁ ଏକ ଉଚ୍ଚସ୍ତରୀୟ କମିଟିର ତଦନ୍ତ ପରିସରଭୁକ୍ତ କରାଯାଉ।
Follow Us