ଶିବନଗର ଅଞ୍ଚଳରେ ଅସହ୍ୟ ହେଲାଣି ବିଜୁଳି ବିଭ୍ରାଟ

Advertisment
ଏପ୍ରିଲ ପ୍ରଥମାର୍ଦ୍ଧରେ ବିଜୁଳି ବ୍ୟବହାର ୧୦% ବୃଦ୍ଧି

ଭୁବନେଶ୍ବର: ରାଜଧାନୀରେ ବିଜୁଳି ବିଭ୍ରାଟ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ସାମାନ୍ୟ ପବନ, ବର୍ଷା ହେଲେ ଘଣ୍ଟା ଘଣ୍ଟା ଧରି ବିଜୁଳି କଟୁଛି। ସମସ୍ୟା ସମ୍ପର୍କରେ ଅଭିଯୋଗ କଲେ ବି ସଂପୃକ୍ତ ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି। ଫୋନ୍‌ କଲେ ବି ସେକ୍ସନ କାର୍ଯ୍ୟାଳୟର କର୍ମଚାରୀମାନେ ଫୋନ୍‌ ଉଠାଉ ନାହାନ୍ତି। ଟେଲିଫୋନ୍‌ ୨୪ ଘଣ୍ଟା ବ୍ୟସ୍ତ ରହୁଛି। ବିଶେଷକରି ଶିବନଗର ଅଞ୍ଚଳରେ ବିଜୁଳି କାଟ୍‌ ଯୋଗୁଁ ସ୍ଥାନୀୟ ଅଧିବାସୀ ଅତିଷ୍ଠ ହୋଇପଡ଼ିଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା ଶିବନଗର ଓ ଆଖପାଖ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି। ଦିନକୁ ପ୍ରାୟ ୫ରୁ ୭ ଘଣ୍ଟା ଏବଂ ୨୦ରୁ ୩୦ଥର ବିଦ୍ୟୁତ୍‌ କାଟ ହେଉଛି। ଫଳରେ ପିଲାମାନଙ୍କ ପାଠପଢ଼ା, ଅଫିସ୍‌ କାମ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାମରେ ବାଧା ଉପୁଜୁଛି। ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ମେଣ୍ଟେନାନ୍ସ କରାଯାଉନାହିଁ। ଯାହାର କୁ-ପରିଣାମ ଭୋଗୁଛନ୍ତି ଅଞ୍ଚଳବାସୀ। ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ବିଦ୍ୟୁତ୍‌ ବିତରଣ କମ୍ପାନି ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ସମ୍ଭବ ହେଉନାହିଁ। ଯାହାକୁ ନେଇ ଶିବନଗର ଅଞ୍ଚଳରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

କିଛି ବୁଦ୍ଧିଜୀବୀଙ୍କ କହିବା ଅନୁସା‌‌ରେ, ଟାଟା କମ୍ପାନି ଓଡ଼ିଶାରେ ବିଦ୍ୟୁତ୍ ବିତରଣ ସେବା ଯୋଗାଇବାକୁ ଆସିବା ବେଳେ ଲୋକଙ୍କ ଭିତରେ ବଡ଼ ଆଶା ସୃଷ୍ଟି ହୋଇଥିଲା। ମୁମ୍ବାଇରେ ବିଦ୍ୟୁତ୍‌ ସରବରାହ କାର୍ଯ୍ୟ ଟାଟା କମ୍ପାନି ଅଧୀନରେ ରହି ଉଦାହରଣ ସୃଷ୍ଟି କରିଥିବାରୁ ଲୋକେ ଏଭଳି ବିଶ୍ବାସ କରିଥିଲେ। କିନ୍ତୁ ଏବେ ଓଡ଼ିଆ ଲୋକଙ୍କର ଟାଟା ବ୍ରାଣ୍ଡ୍‌ ଉପରୁ ମୋହ ଭଙ୍ଗ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶେଷକରି ଟାଟା ପାଵାର୍‌ର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌କୁ ନେଇ ଜନଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଖରା ଦିନେ ବିତ୍ୟୁତ୍‌ କାଟ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯିବା ସତ୍ତ୍ବେ ଖୋଦ ରାଜଧାନୀ ଭୁବନେଶ୍ବରବାସୀ ନିୟମିତ ବିଜୁଳି କାଟର କଷ୍ଟ ସହିଲେ। ଏବେ ଅଳ୍ପ ବର୍ଷା ହେଲେ ବି ବିଜୁଳି କଟି ଯାଉଛି ବୋଲି ଉପଭୋକ୍ତା ଅଭିଯୋଗ କରୁଛନ୍ତି। ତେବେ ଏଥିରେ କମ୍ପାନିର ପଲିସିରେ ତ୍ରୁଟି ରହିଛି ନା ଅଧିକାରୀଙ୍କ କାର୍ଯ୍ୟଶୈଳୀରେ ସମସ୍ୟା ରହିଛି, ତା’ର ସମାଧାନ ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe