ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନଂ୪୯: ଅଧୁରା ବିକାଶ, ବେଶି ଅବହେଳିତ ବସ୍ତି

ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନଂ୪୯: ଅଧୁରା ବିକାଶ, ବେଶି ଅବହେଳିତ ବସ୍ତି

ୱାର୍ଡ ପରିସୀମା
ଆଇଗିଣିଆ, କୋଳଥିଆ, ଖଣ୍ଡଗିରି ପାହାଡ଼, ଖାରବେଳ ପାର୍କ, ଉଦୟଗିରି ତପୋବନ, ନୂତନ ବସଷ୍ଟାଣ୍ଡ, ଫୁଲେଶ୍ବରୀ ବସ୍ତି, ରୁଚିକା ବଜାର, ବିଡିଏ କଲୋନି(କିଛି ଅଂଶ), ଜିଏ କ୍ବାର୍ଟର୍ସ, ପାତ୍ରପଡ଼ା(କିଛି ଅଂଶ), ଭଗବାନପୁର(କିଛି ଅଂଶ)

ଭୋଟର୍: ୧୦,୬୭୮
ପୁରୁଷ: ୫୫୮୭
ମହିଳା: ୫୦୮୭
ତୃତୀୟ ଲିଙ୍ଗ: ୪

ଖଣ୍ଡଗିରି : ଏଠି ବିକାଶ ଅଧପନ୍ତରିଆ। ବସ୍ତିବାସିନ୍ଦା ସବୁଠୁ ଅଧିକ ମାତ୍ରାରେ ଅବହେଳିତ। ବସ୍ତିରୁ ବସ୍‌ଷ୍ଟାଣ୍ଡ, ଶ୍ମଶାନରୁ ରାସ୍ତାଘାଟ ଓ ବଜାର ହାଟ ସବୁଠି ସମସ୍ୟା। ରାଜଧାନୀର ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ହେଲେ ବି ଲୋକେ ଗମନାଗମନ କ୍ଷେତ୍ରରେ ଅଧିକ ହନ୍ତସନ୍ତ ହେଉଛନ୍ତି। ଏହା ହେଉଛି ବିଏମ୍‌ସି ଓ୍ବାର୍ଡ ନମ୍ବର ୪୯ର କଥା। ଏଠାରେ ରହିଛି ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ସର୍ବବୃହତ୍‌ ହୋଲ୍‌ସେଲ୍‌ ବଜାର ଆଇଗିଣିଆ କୁବେରପୁରୀ, ମୁଖ୍ୟ ପର୍ଯ୍ୟଟନସ୍ଥଳୀ ଖଣ୍ଡଗିରି-ଉଦୟଗିରି। କିନ୍ତୁ ସବୁ କ୍ଷେତ୍ରରେ ବିକାଶର ବିକଳ ଚିତ୍ର ଦେଖିବାକୁ ମିଳେ। ତେଣୁ ଆସନ୍ତା ପୌର ନିର୍ବାଚନରେ ଲୋକେ ଏସବୁକୁ ପ୍ରସଙ୍ଗ କରିବେ ବୋଲି ସୂଚନା ମିଳିଲାଣି।

ଏହି ୱାର୍ଡରେ ରହିଛି ଫୁଲେଶ୍ବରୀ ବସ୍ତି। ଅଧିବାସୀ ମଞ୍ଜୁଲତା ସ୍ବାଇଁଙ୍କ କହିବା ଅନୁସାରେ ଏହି ବସ୍ତି ଆଜି ପର୍ଯ୍ୟନ୍ତ ବିଏମ୍‌ସିରେ ପଞ୍ଜୀକୃତ ହୋଇପାରିନାହିଁ। ଏଥିଯୋଗୁଁ ଏହି ଅଞ୍ଚଳବାସୀ ପ୍ରତି ମୁହୂର୍ତ୍ତରେ ଉଚ୍ଛେଦ ହୋଇଯିବାର ଭୟରେ ଅଛନ୍ତି। ୩୫ ପରିବାର ଆଜି ବି ଅନ୍ଧକାରରେ ଅଛନ୍ତି। ୨୫ ଗରିବ ପରିବାର ପାଖରେ ରାସନ କାର୍ଡ ନାହିଁ। ତେଣୁ ସରକାରଙ୍କ ଟଙ୍କିକିଆ ଚାଉଳ ଯୋଜନାରୁ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଜନା ପର୍ଯ୍ୟନ୍ତ ସବୁଥିରୁ ସେମାନେ ବଞ୍ଚିତ। ଏଠାରେ ଅଙ୍ଗନବାଡି କେନ୍ଦ୍ର ନାହିଁ କି ଆଶାକର୍ମୀ ନାହାନ୍ତି। ନିକଟସ୍ଥ ମୁଣ୍ଡାସାହି ଉପରେ ନିର୍ଭର କରିବାକୁ ପଡ଼େ। ସାମାନ୍ୟ ବର୍ଷାରେ ରାସ୍ତାରେ ବନ୍ୟା ହୁଏ। ଘରୁ ବାହାରି ହୁଏ ନାହିଁ। ଉଜ୍ଜଳା ଯୋଜନା ପାଇଁ ୩୫ ପରିବାର ବର୍ଷ ବର୍ଷ ଧରି ଆବେଦନ କରି ବସିଛନ୍ତି। ସେହିଭଳି ଆଇଗିଣିଆର ପ୍ରସ୍ତାବିତ ଶ୍ମଶାନଘାଟକୁ ନେଇ ମଧ୍ୟ ବିବାଦ ରହିଛି। କୁବେରପୁରୀ ନିକଟରେ ଶ୍ମଶାନ ନିର୍ମାଣକୁ ବ୍ୟବସାୟୀ ସଂଘ ବିରୋଧ କରି ବିଏମ୍‌ସିକୁ ଦାବିପତ୍ର ଦେଇଛି। କିନ୍ତୁ ଏହି ଶ୍ମଶାନ ନିର୍ମାଣକୁ ସଫଳତା ଭାବରେ ଦର୍ଶାନ୍ତି ପୂର୍ବତନ କର୍ପୋରେଟର। ବ୍ୟବସାୟୀ ସଂଘ ସଭାପତି ଶକ୍ତିଶଙ୍କର ମିଶ୍ରଙ୍କ ଅଭିଯୋଗ ଅନୁସାରେ ଆଇଗିଣିଆ ବଜାର ଆଜି ପର୍ଯ୍ୟନ୍ତ ବ୍ୟବସ୍ଥିତ ହୋଇପାରିନାହିଁ। ଏଠାରେ ଭଲ ରାସ୍ତା ନାହିଁ। ଏଠିକାର ବ୍ୟବସାୟୀମାନେ ଓ୍ବାର୍ଡର ଭୋଟର ହୋଇନଥିବାରୁ ସେମାନଙ୍କ ସମସ୍ୟାକୁ ଗୁରୁତ୍ବ ଦିଆଯାଉନାହିଁ। ଏମ୍‌ସ ଅଣ୍ଡରପାସ୍‌ ରାସ୍ତାକୁ ନେଇ ଲୋକଙ୍କ ଦୁଃଖ ବଢ଼ିଯାଇଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ୨୦୨୨ ଜୁନ୍‌ ସୁଦ୍ଧା ବିଶ୍ବସ୍ତରୀୟ ଭାବେ ନିର୍ମାଣ ହେବ ବୋଲି ଲକ୍ଷ୍ୟ ରହିଥିଲା। ମାତ୍ର ମନ୍ଥରଗତିରେ ଚାଲିଥିବା କାର୍ଯ୍ୟ ଜୁନ୍‌ ସୁଦ୍ଧା ସରିବ ନାହିଁ। ନୂଆ ବସ୍‌ଷ୍ଟାଣ୍ଡରେ ରାସ୍ତା, ପାଣି, ଶୌଚାଳୟର ସର୍ବନିମ୍ନ ସୁବିଧା ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ।

୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବେଣୁଧର ସାମନ୍ତରାୟଙ୍କୁ ସ୍ବାଧୀନ ପ୍ରାର୍ଥୀ ଅଶ୍ବିନୀ ସୁନ୍ଦରରାୟ ପରାଜିତ କରିଥିଲେ। କିନ୍ତୁ ପରେ ଅଶ୍ବିନୀ ବିଜେଡିରେ ସାମିଲ ହୋଇଥିଲେ। ଏଥର ଏହି ଓ୍ବାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ତେଣୁ ଅଶ୍ବିନୀ ଓ ବେଣୁଧରଙ୍କ ସ୍ତ୍ରୀମାନେ ବିଜେଡି ଟିକେଟ୍‌ ପାଇଁ ଆଶାୟୀ ଅଛନ୍ତି। ବିଜେପିରୁ ଲିଟୁ ସୁନ୍ଦରରାୟଙ୍କ ସ୍ତ୍ରୀ ଆଶାୟୀ ଥିବା ଜଣାପଡ଼ିଛି। କଂଗ୍ରେସ ଚିତ୍ର ଅସ୍ପଷ୍ଟ ରହିଛି। ପୂର୍ବତନ କର୍ପୋରେଟର ଅଶ୍ବିନୀ ସୁନ୍ଦରରାୟ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳରେ ସବୁ ବସ୍ତିରେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ ହୋଇଛି। ଅନେକ ରାସ୍ତା ଓ ଡ୍ରେନ୍‌ ନିର୍ମାଣାଧୀନ ରହିଛି। ଆଇଗିଣିଆ ମଶାଣି ନିର୍ମାଣାଧୀନ ରହିଛି। ଏଠାରେ ବୈଦ୍ୟୁତିକ ଚୁଲାର ବ୍ୟବସ୍ଥା ରହିବ। ବାଲାଜୀ ପାଇପ୍‌ ଫ୍ୟାକ୍ଟ୍ରିରୁ ଆମ୍ରି ଦେଇ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଷ୍ଟ୍ରିଟ୍‌ଲାଇଟ ଲାଗିଛି। ଆଇଗିଣିଆ ପୋଖରୀ ପୁନରୁଦ୍ଧାର ହୋଇଛି, ଡେ’କେୟାର କେନ୍ଦ୍ର ଓ କୋଳଥିଆରେ ପରିଚୟ ଗୃହ ନିର୍ମାଣ ହୋଇଛି। କୋଳଥିଆରେ ଶ୍ମଶାନଘାଟ ଏବଂ ଷ୍ଟ୍ରିଟ୍‌ ଲାଇଟ ବ୍ୟବସ୍ଥା କରାଯାଇଛି। ଅନ୍ୟ ପକ୍ଷରେ ଆଶାୟୀ ବେଣୁଧର ସାମନ୍ତରାୟଙ୍କ ମତରେ ଏଠାରେ ନବୀନ ସରକାରଙ୍କ ଅନେକ ଯୋଜନା ପହଞ୍ଚିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe