କରୋନା ବାଧକ : ତଥାପି ଉଡ଼ିବ ତ୍ରିରଙ୍ଗା

Advertisment
କରୋନା ବାଧକ : ତଥାପି ଉଡ଼ିବ ତ୍ରିରଙ୍ଗା

ଭୁବନେଶ୍ୱର : ତ୍ରିରଙ୍ଗା ଉଡ଼ିବାରେ ବାଧକ ସାଜିପାରିବନି କରୋନା। କିନ୍ତୁ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଥର କଡ଼ା କଟକଣା ଭିତରେ ପାଳିତ ହେବ ସ୍ବାଧୀନତା ଦିବସ। ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଏହି ନିରାଡ଼ମ୍ବର କାର୍ଯ୍ୟକ୍ରମ ପାଇଁ କିମସନରେଟ୍‌ ପୁଲିସ୍‌ ବ୍ୟାପକ ପ୍ରସ୍ତୁତି କରିଛି। ଆସନ୍ତାକାଲି ସକାଳ ସାଢ଼େ ୬ଟାରୁ କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ରାମ ମନ୍ଦିରଠାରୁ ହାଉସିଂବୋର୍ଡ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆ ସମ୍ମୁଖ ଦେଇ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିବ। ଯେଉଁମାନେ ହାଉସିଂବୋର୍ଡ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ଯିବାକୁ ଚାହୁଥି‌ବେ, ସେମାନଙ୍କୁ ଏମ୍‌ବିଏସ୍‌ ଲେନ୍‌ ଦେଇ ସେଣ୍ଟ୍ରାଲ୍‌ ସ୍କୁଲ୍‌ ଗଳିରେ ରାମ ମନ୍ଦିର ରୋଡ୍‌ରେ ବାହାରିବାକୁ ହେବ। ସେହିଭଳି ଯେଉଁମାନେ ରାମ ମନ୍ଦିରରୁ ହାଉସିଂବୋର୍ଡ ଛକକୁ ଯିବାକୁ ଚାହୁଥିବେ, ସେମାନେ ସେଣ୍ଟ୍‌ ଯୋଶେଫ୍‌ ସ୍କୁଲ ଗଳିରେ ଯାଇ ଏମ୍‌ବିଏସ୍‌ ଛକରେ ବାହାରିବେ। ପ୍ରଦର୍ଶନୀ ପଡ଼ିଆର ଗେଟ୍‌ ନଂ୧ ଓ ୨ ପଟକୁ ଆସିଥିବା ସମସ୍ତ ଗଳି ମୁଣ୍ଡରେ ବ୍ଲକିଂ କରାଯିବ। ଏହି ଗଳି ଦେଇ ଆସୁଥିବା ଲୋକମାନେ ସଚିବାଳୟ ମାର୍ଗ ପଟକୁ ବାହାରି ଗନ୍ତବ୍ୟସ୍ଥଳକୁ ଯିବେ। ଚାର୍ଲି ହୋଟେଲ ଗଳି ମୁଣ୍ଡରେ ମଧ୍ୟ ବ୍ଲକିଂ ହେବ। ଯେଉଁମାନେ କେଶରୀ ଟକିଜ୍‌ ଓ ପିଏମ୍‌ଜି ଆ‌ଡ଼ୁ ଆସୁଥିବେ, ସେମାନଙ୍କୁ ଏଠାରୁ ବୁଲି ସଚିବାଳୟ ମାର୍ଗ ଧରିବାକୁ ହେବ। କେନ୍ଦ୍ରୀୟ ବିଦ୍ୟାଳୟ ପଟୁ ହାଉସିଂବୋର୍ଡ-ରାମମନ୍ଦିର ରାସ୍ତାକୁ ଆସୁଥିବା ସମସ୍ତ ଗଳିମୁଣ୍ଡରେ ବ୍ଲକିଂ ହେବ, କାହାରିକୁ ଆସିବାକୁ ଦିଆଯିବ ନାହିଁ। ସେହିଭଳି ପାର୍କିଂ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଭିଭିଆଇପିମାନଙ୍କ ପାଇଁ ଗେଟ୍‌ ନଂ-୧ ଡାହାଣ କଡ଼ରେ ପାର୍କିଂ ବ୍ୟବସ୍ଥା ହୋଇଛି। ଗେଟ୍‌ ନଂ-୫ ଡାହାଣ କଡ଼ରେ ଭିଆଇପିଙ୍କ ଗାଡ଼ି ପାର୍କିଂ ବ୍ୟବସ୍ଥା ହୋଇଥିବା ବେଳେ ବାମ ପାର୍ଶ୍ବରେ ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ଗାଡ଼ି ପାର୍କିଂ କରିବାକୁ ଜାଗା ଚିହ୍ନଟ କରାଯାଇଛି। କାର୍ଯ୍ୟକ୍ରମରେ ଭାଗ ନେଉଥିବା ପୁଲିସ ଓ ଅନ୍ୟମାନଙ୍କ ଗାଡ଼ି ରାମ ମନ୍ଦିର-ହାଉସିଂ ବୋର୍ଡ ରାସ୍ତା ଉପରେ ପାର୍କିଂ କରାଯିବା ପାଇଁ ବ୍ୟବସ୍ଥା ହୋଇଛି। ଗ୍ୟାସ୍‌ ବେଲୁନ୍‌ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଥିବା ବେଳେ ସର୍ବସାଧାରଣ ପ୍ରବେଶକୁ ମଧ୍ୟ ବାରଣ କରାଯାଇଛି। ନିଷେଧାଦେଶକୁ ଅବଜ୍ଞା କଲେ ସହରାଞ୍ଚଳ ପୁଲିସ ଆଇନ ଦଫା ୯୬ର ଉଲ୍ଲଂଘନ ହେଲା ବୋଲି ଧରାଯିବ। ମୋଟା ଅଙ୍କର ଜରିମାନା ସହ ଜେଲଦଣ୍ଡ ଭୋଗିବାର ବ୍ୟବସ୍ଥା ଅଛି ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଆଦେଶନାମାରେ ସ୍ପଷ୍ଟ କରାଯାଇଛି।

‌ସେହିପରି ସ୍ବାଧୀନତା ଦିବସ ପାଇଁ ଆସନ୍ତାକାଲି ରାଜଧାନୀରେ (ଶନିବାର) ସଟ୍‌ଡାଉନ୍‌କୁ ଦିନ ୧୧ଟା ପର୍ଯ୍ୟନ୍ତ ସାମାନ୍ୟ କୋହଳ କରାଯାଇଛି। ଏହି ସମୟ ମଧ୍ୟରେ କେବଳ ସହର ମଧ୍ୟରେ ଗାଡ଼ି ଚଳାଚଳକୁ ଅନୁମତି ଦିଆଯାଇଛି। କିନ୍ତୁ ଦୋକାନ, ବଜାର ଆଦି ବନ୍ଦ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe