ଖଣ୍ଡଗିରି: ଭାରତ ହେଉଛି ଈଶ୍ବର ଅନୁଭବର ଦେଶ। ଭାରତ କେବଳ ଏକ ଭୂଖଣ୍ଡ ନୁହେଁ, ଏହା ଏକ ଜୀବନ୍ତ ଆତ୍ମା। ଏହି ଦେଶର ଅଣୁ ଅଣୁରେ ମା’ଭଗବତୀ ଅଛନ୍ତି। ଯଦି ଫ୍ରାନ୍ସ ଓ ଇଂଲଣ୍ଡର ଲୋକେ ଈଶ୍ବର ସତ୍ତା ଖୋଜି ପାଇବା ପାଇଁ ଭାରତ ମାଟିକୁ ବାଛୁଛନ୍ତି ଓ ପାଇଛନ୍ତି, ତେବେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଛାତ୍ରଛାତ୍ରୀମାନେ କାହିଁକି ପାଇପାରିବେ ନାହିଁ। ସେମାନେ ତ ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ବିଦ୍ୟାଳୟରେ ପଢ଼ିବାର ସୁଯୋଗ ପାଇ ସର୍ବଦା ସେମାନଙ୍କ ଆଶିଷ ଲାଭ କରୁଛନ୍ତି। ଆଜି ଖଣ୍ଡଗିରିସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସୁବର୍ଣ୍ଣ ଜୟନ୍ତୀ ଓ ୨୬ତମ ଶ୍ରୀ ଅରବିନ୍ଦ ଷ୍ଟଡି ସର୍କଲ ସମ୍ମିଳନୀ ଅବସରରେ ମୁଖ୍ୟଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହା କହିଛନ୍ତି।
ଶ୍ରୀ ଅରବିନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରି ରାଜ୍ୟପାଳ ପ୍ରଫେସର ଲାଲ୍ କହିଲେ ଯେ ବିଶ୍ବ ଏକ ହେଉ, ଭାରତ ଅଖଣ୍ଡ ରହୁ ବୋଲି ଶ୍ରୀ ଅରବିନ୍ଦ କହୁଥିଲେ। ସେ ସର୍ବଦା ଏକାତ୍ମବାଦ ଓ ଅଦ୍ବୈତବାଦର କଥା କହୁଥିଲେ। ସେ ଜାତିବାଦର ବହୁ ଊର୍ଦ୍ଧ୍ବରେ ଥିଲେ। କାରଣ ମା’ ଭଗବତୀଙ୍କୁ ସେ ପାଇଥିଲେ। ତେଣୁ ଏହି ବିଦ୍ୟାଳୟର ପିଲାମାନେ ମା’ଭଗବତୀଙ୍କୁ ପାଇବା ପାଇଁ ଅନ୍ବେଷଣ ଜାରି ରଖିବା ଉଚିତ୍। ଏହା ହିଁ ପୂର୍ଣ୍ଣାଙ୍ଗ ଶିକ୍ଷା ବୋଲି ସେ କହିଥିଲେ। ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଅବସରପ୍ରାପ୍ତ ପ୍ରଶାସକ ଆର ଏନ୍ ସେନାପତି ସ୍ବାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ଅରବିନ୍ଦ ସଂସ୍କୃତି ସଂସଦର ସଭାପତି ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା ଶ୍ରୀ ଅରବିନ୍ଦଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷୟିତ୍ରୀ ପ୍ରୀତି ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। ପରେ ଡ. ଆଲୋକ ପାଣ୍ଡେ ଓ ଡ. ଅର୍ଚ୍ଚନା ନାୟକ ‘ଜଡ଼ରେ ଆତ୍ମାର ଜ୍ୟୋତି ହେବ ସଂଦୀପିତ’ ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଶେଷରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
Follow Us