ଖଣ୍ଡଗିରି: ଉଦୟଗିରି ପାହାଡ଼ରେ ଓଡ଼ିଶାର ଐତିହ୍ୟ ପ୍ରଦର୍ଶନ କରିବା ପାଇଁ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ଭିତ୍ତିଭୂମି ପ୍ରସ୍ତୁତ ହେଲା। ଓଡ଼ିଆ ସମ୍ମିଳନୀରେ ଯୋଗ ଦେଉଥିବା ହଜାର ହଜାର ଲୋକଙ୍କୁ ଦେଖାଇବା ପାଇଁ ତତ୍ପରତା ପ୍ରକାଶ କଲେ। ହେଲେ ସମ୍ଭବ ହେଲାନି। ରାଷ୍ଟ୍ରପତି ଆସି ଓଡ଼ିଶାର କଳା ସଂସ୍କୃତି ବିଷୟରେ ଏଠାରେ ହିଁ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ। ରାଷ୍ଟ୍ରପତିଙ୍କୁ ଦେଖାଇବା ପାଇଁ ସେତେବେଳେ ବି ଉଦ୍ୟମ କଲେ, ହେଲେ ପାରିଲେନି। ଏବେ ଜାନୁଆରିରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ଏହାକୁ ପ୍ରସ୍ତୁତ କରିବାକୁ ଲାଗିପଡ଼ିଲେ। ହେଲେ ସେଥିରେ ବି ଫେଲ୍ ମାରିଲେ। ବିଜୁଳି ସଂଯୋଗ ପାଇଁ ଟ୍ରାନ୍ସ୍ଫର୍ମର ବସାଇବାକୁ ଏଏସ୍ଆଇ ଠାରୁ ଏନ୍ଓସି ଆଣିପାରୁ ନଥିବାରୁ ନିକଟ ଭବିଷ୍ୟତରେ ଏହା କାର୍ଯ୍ୟକ୍ଷମ ନହେବା ଥୟ ହୋଇଛି।
ଟ୍ରାନ୍ସ୍ଫର୍ମର୍ ବସାଇବାକୁ ଏନ୍ଓସି ମିଳୁନି
ଜାନୁଆରି ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବ୍ୟବହିତ ପୂର୍ବରୁ ସବୁ ବିଭାଗ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। ଘନ ଘନ ବୈଠକ ବସି କେଉଁ ବିଭାଗ କଣ କରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସମେତ ୫ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ସମାବେଶ ହେବାକୁ ଥିବାରୁ ତାଙ୍କ ପାଇଁ ବିଏମ୍ସି ସୌନ୍ଦର୍ଯ୍ୟୀକରଣ କରୁଛି। ‘ଭୁବନେଶ୍ୱର ଭାଇବ୍ସ’ ହ୍ୟାଣ୍ଡଲୁମ୍ ୱାକାଥନ, ସାଇକ୍ଲୋଥନ, ପଥ ଉତ୍ସବ ଭଳି ଏକାଧିକ କାର୍ଯ୍ୟକ୍ରମ ବିଏମ୍ସି ଜାରି ରଖିଛି। ୫ ତାରିଖରୁ ୧୨ ଦିନ ଯାଏ ବିଡିଏ ମଧ୍ୟ ଏକାମ୍ର ଉତ୍ସବ ଆୟାଜନ କରିବାକୁ ଯାଉଛି। ସହସ୍ରାଧିକ ପ୍ରବାସୀ ଭାରତୀୟଙ୍କୁ ଭୁବନେଶ୍ବରରେ ସ୍ବାଗତ କରିବା ପାଇଁ ସାରା ସହର ଉତ୍ସବ ମୁଖର ହୋଇଥିବା ବେଳେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଉଚିତ୍ ସମୟରେ ତତ୍ପରତା ପ୍ରକାଶ ନକରିବାରୁ ଏଭଳି ଏକ ସମୟରେ ଏହା ଉଦ୍ଘାଟନ ହୋଇପାରୁ ନାହିଁ। ନିକଟ ଭବିଷ୍ୟତରେ ମଧ୍ୟ ହେବା ଭଳି ଦିଶୁନାହିଁ। ଫଳରେ କୋଟିକୋଟି ଟଙ୍କାର ପ୍ରକଳ୍ପ ପଡ଼ିପଡ଼ି ଖତଖାଉଛି।
୨୦୨୩ ଡିସେମ୍ବର ମାସରୁ ଭାରତ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି) ଏହି ପ୍ରକଳ୍ପକୁ ପ୍ରସ୍ତୁତ କରିସାରିଛି। ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ପାଇଁ ୧୦୦ କେଭି କ୍ଷମତା ବିଶିଷ୍ଟ ଟ୍ରାନ୍ସ୍ଫର୍ମର ବସାଇବା ଆବଶ୍ୟକତା ଅଛି। ଏହି ଟ୍ରାନ୍ସ୍ଫର୍ମରକୁ ଉଦୟଗିରି ପାହାଡ଼ ପରିସରରେ ବସାଇବାକୁ ଯୋଜନା ହୋଇଥିଲା। ଏଏସ୍ଆଇ ଏହି ଐତିହ୍ୟ ପାହାଡ଼ର ରକ୍ଷଣାବେକ୍ଷଣ ଦାୟିତ୍ବରେ ତା ଠାରୁ ଏନ୍ଓସି ଆଣିବା ଆବଶ୍ୟକ ଥିଲା। କିନ୍ତୁ ଐତିହ୍ୟକୁ ବିପଦ ଥିବା ଦର୍ଶାଇ ଏଏସ୍ଆଇ ଏନ୍ଓସି ଦେଲାନାହିଁ। ବରଂ ସଂଶୋଧନ କରି ପଠାଇବାକୁ କହିଲା। ଏଣୁ ଓଟିଡିସି ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା କଲା। ଏହାକୁ ଖଣ୍ଡେ ଦୂରରେ ଥିବା ପର୍ଯ୍ୟଟନ ବିଭାଗ ଜାଗାରେ ବସାଇ ଏଠାକୁ ସଂଯୋଗ ଆଣିବା ପାଇଁ ଯୋଜନା କରିଛି। କିନ୍ତୁ ଏହି ଯୋଜନାକୁ ଏଏସ୍ଆଇ ନିକଟକୁ ପଠାଇ ଏନ୍ଓସି ଆଣିବାକୁ ଅଛି। ହେଲେ ଏ ଯାବତ୍ ଓଟିଡିଟି ପ୍ରକଳ୍ପ ସ୍ଥାନାନ୍ତରଣ ନେଇ ଏଏସ୍ଆଇକୁ ଚିଠି ଲେଖିନାହିଁ। ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିବା ପ୍ରକଳ୍ପ ବିଜୁଳି ସଂଯୋଗ ପାଇଁ ପଡ଼ି ରହିଛି। ଜଣେ ବିରିଷ୍ଠ ଅଧିକାରୀଙ୍କ ସୂଚନାଅନୁସାରେ, ଉଦୟଗିରି ଭିତରେ ଟ୍ରାନ୍ସ୍ଫର୍ମର ବସାଇବାପାଇଁ ଏସ୍ଆଇ ଅନୁମତି ଦେଉ ନଥିବାରୁ ଏହା ପାହାଡ଼ର ଅପରପାର୍ଶ୍ବରେ ଥିବା ପାନ୍ଥିକାରେ ନିର୍ମାଣ କରାଯିବ। ଏ ନେଇ ମାସେ ତଳେ ସମସ୍ତ ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଛନ୍ତି। ହେଲେ ଏସ୍ଆଇକୁ ଏନ୍ଓସି ମଗାଯାଇ ନାହିଁ। ଏନ୍ଓସି ଆସିବା ପରେ ଟ୍ରାନ୍ସ୍ଫର୍ମର ନିର୍ମାଣ ହୋଇ ଡିଜି ଲାଗିବା ସହ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିବ।
Follow Us