ଭୁବନେଶ୍ବର: ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋର ସର୍ଭର ଆଜି ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଡାଉନ୍ ରହିବାରୁ ଭୁବନେଶ୍ବରକୁ ଯାତାୟାତ କରୁଥିବା ବିମାନ ସେବା ପ୍ରଭାବିତ ହୋଇଛି। ଏପରିକି ଅପରାହ୍ଣରୁ ସମସ୍ତ ବିମାନ ବିଳମ୍ବରେ ଉଡ଼ାଣ କରୁଛି। ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟାହ୍ନ ୧୨ଟା ପରଠାରୁ ଇଣ୍ଡିଗୋର ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା। ଯାତ୍ରୀଙ୍କର ବୋର୍ଡିଂ ପାସ୍ ହୋଇପାରି ନଥିଲା କି ବୋର୍ଡିଂ ପାସ୍ କରିଥିବା ଯାତ୍ରୀ ଚେକ୍ ଇନ୍ କରି ପାରିନଥିଲେ। ସର୍ଭର ଡାଉନ୍ ଥିବାରୁ ଇଣ୍ଡିଗୋର କମ୍ପ୍ୟୁଟର କିଛି ବି ତଥ୍ୟ ନେଇନଥିଲା। ହେଲେ ବହୁ ଯାତ୍ରୀ ଅନ୍ୟ ବିମାନବନ୍ଦରରୁ କନେକ୍ଟିଙ୍ଗ୍ ବିମାନ ଧରିବାର ଥିବାରୁ ସେମାନେ ହଟ୍ଟଗୋଳ କରିଥିଲେ। ଏପରିକି କେତେକ ଯାତ୍ରୀ ଅନ୍ୟ କୌଣସି ବିମାନରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇବାକୁ କହିଥିଲେ। ହେଲେ ଇଣ୍ଡିଗୋ କର୍ତ୍ତୃପକ୍ଷ ସ୍ଥିତି ସୁଧୁରିଯିବ କହି ପ୍ରାୟ ଦୁଇ ଘଣ୍ଟା ବସାଇ ଦେଇଥିଲେ। ସର୍ଭର ଠିକ୍ ହେବା ପରେ ଯାତ୍ରୀମାନେ ଯାଇଥିଲେ। ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ ଆଜି ଦେଶର ସମସ୍ତ ବିମାନବନ୍ଦରରେ ଇଣ୍ଡିଗୋ ସର୍ଭର ଡାଉନ୍ ହେବାରୁ ଏହି ସମସ୍ୟା ଉପୁଜିଥିଲା। ଅପରାହ୍ଣରେ ପ୍ରାୟ ଦେଢ଼ ଘଣ୍ଟା ସର୍ଭର ଡାଉନ୍ ହୋଇଯିବାରୁ ଦେଶର ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ବିମାନ ଉଡ଼ାଣ ପ୍ରଭାବିତ ହୋଇଥିଲା। ଏହାଦ୍ବାରା ଆଜି ଦିନତମାମ୍ ବିମାନ ସେବା ପ୍ରଭାବିତ ହୋଇଛି। ସୋମବାର ବିମାନ ସେବା ସ୍ବାଭାବିକ ହେବ। ସୂଚନାଯୋଗ୍ୟ ଯେ ଆଜି ଭୁବନେଶ୍ବର ବିମାନବନ୍ଦରରେ ପ୍ରାୟ ୨୦ଟି ବିମାନର ଯାତାୟାତ ପ୍ରଭାବିତ ହୋଇଛି। ଅପରପକ୍ଷେ ଏନେଇ ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଭୁବନେଶ୍ବର ବିମାନବନ୍ଦରରେ ବିମାନ ଉଡ଼ାଣ ପ୍ରଭାବିତ ହୋଇନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us