ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଇନ୍ଦିରା ଗାନ୍ଧିଙ୍କ ଶ୍ରାଦ୍ଧୋତ୍ସବ

Advertisment
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଇନ୍ଦିରା ଗାନ୍ଧିଙ୍କ ଶ୍ରାଦ୍ଧୋତ୍ସବ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ୩୭ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ଇନ୍ଦିରା ଗାନ୍ଧି ପାର୍କସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇ ସ୍ବର୍ଗତା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଭାରତରେ ନାରୀ ଜାଗରଣ ସହ ୧୯୭୧ ମସିହା ଐତିହାସିକ ଯୁଦ୍ଧରେ ଭାରତର ବିଜୟ ଓ ସ୍ୱାଧୀନ ବାଂଲାଦେଶ ଗଠନରେ ଇନ୍ଦିରାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ହିଁ ତାଙ୍କ ଦକ୍ଷତାର ପ୍ରମାଣ ଦିଏ। ଭାରତର ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ସହଯୋଗ ଅତୁଳନୀୟ ବୋଲି ମତପ୍ରକାଶ ପାଇଥିଲା।

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ, ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ସାଂସଦ ଶରତ ପଟ୍ଟନାୟକ, କଂଗ୍ରେସ ନେତା ମନୋରଂଜନ ଦାସ, ଶିବାନନ୍ଦ ରାୟ, ସୁବାସ ରାଉତ, ସାଇପ୍ରସାଦ ପାତ୍ର ଓ ଅମିୟ ପାଣ୍ଡବଙ୍କ ସହ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ। ସେହିଭଳି ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ପ୍ରବୀର ମହାନ୍ତି, ଦେବଯାନୀ ଦାସ, ସତ୍ୟବ୍ରତ ଜେନା, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ସଂକୀର୍ତ୍ତନ କଳାକାର ଉନ୍ନୟନ ପରିଷଦର ଆବାହକ ବିଶିଷ୍ଟ ପାଲାଗାୟକ ଜ୍ଞାନପ୍ରିୟ କାନୁନ୍‌ଗୋ ଓ ତାଙ୍କ କଳାକାରମଣ୍ଡଳୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ମହାମଣ୍ଡଳୀ ତରଫରୁ ସଂକୀର୍ତ୍ତନ ପରିବେଷଣ ସହିତ ଆଧ୍ୟାତ୍ମିକ ଭଜନ ପରିବେଷଣ କରାଯାଇଥିଲା। ଏହି ଅବସରରେ ଅମୀୟ ପଟ୍ଟନାୟକ, ମନୋରଂଜନ ଦାସ, ଜ୍ଞାନପ୍ରିୟ କାନୁନ୍‌ଗୋ, ଅନିରୁଦ୍ଧ ସାମଲ ଓ ମସେସ୍ ପ୍ରଧାନଙ୍କୁ ‘ଇନ୍ଦିରା ଗାନ୍ଧି ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ବିଭାଗୀୟ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭିକାରୀ ଚରଣ ସାହୁ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe