Image Courtesy of India Today
ଭୁବନେଶ୍ବର: ଜେଲ୍ରେ କଏଦୀ ପଢ଼ିବେ ପାଠ। ମଡେଲ୍ ଜେଲ୍ ମାନୁଆଲ ଅନୁସାରେ ଏ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ରାଜ୍ୟର ସମସ୍ତ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କୁ କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ଲେଖାଯାଇଛି। ମଡେଲ ଜେଲ୍ ମାନୁଆଲ ଅନୁସାରେ, ଶିକ୍ଷା ଭିତ୍ତିଭୂମି ସହ କଏଦୀଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଶିକ୍ଷା ବିଭାଗ କିମ୍ବା କେନ୍ଦ୍ରୀୟ ମୁକ୍ତ ବିଦ୍ୟାଳୟ କିମ୍ବା କେନ୍ଦ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ସହ ଜେଲ କର୍ତ୍ତୃପକ୍ଷ ଯୋଗସୂତ୍ର ରକ୍ଷା କରିବେ। କଏଦୀମାନଙ୍କ ସଂସ୍କାର ପାଇଁ କିପରି ସାମାଜିକ, ବୌଦ୍ଧିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଶିକ୍ଷା ପାଇ ପାରିବେ ତା ଉପରେ ପଦକ୍ଷେପ ନେବା ପାଇଁ କୁହାଯାଇଛି।
ପ୍ରିଜନ୍ ଲାଇବ୍ରେରି ବାଧ୍ୟତାମୂଳକ ଭାବେ ଖୋଲିବା ପାଇଁ କୁହାଯାଇଛି। ଜେଲ୍ର ପାଠ ପଢ଼ା ସୁପରିଣ୍ଟେଣ୍ଡେଣ୍ଟ ଓ କାରାଗାର କଲ୍ୟାଣ ଅଧିକାରୀଙ୍କର ମୁଖ୍ୟ କାମ ହେବ। ପାଠପଢ଼ା କାର୍ଯ୍ୟକ୍ରମର ସଫଳତା ବା ବିଫଳତା ଅନୁସାରେ କର୍ତ୍ତୃପକ୍ଷଙ୍କ ପ୍ରଦର୍ଶନର ମୂଲ୍ୟାୟନ କରାଯିବ। ଶିକ୍ଷା କାର୍ଯ୍ୟକ୍ରମଗୁଡ଼ିକ ଶିକ୍ଷିତ କଏଦୀ, ନିୟମିତ ଶିକ୍ଷକ ଏବଂ ଏନଜିଓ ଦ୍ବାରା ଭୌତିକ ଏବଂ ସ୍ବାସ୍ଥ୍ୟଗତ ଶିକ୍ଷା, ବିଦ୍ୟାଳୟ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ଦିଆଯିବା ଦରକାର। ସେହିପରି ପୁସ୍ତକ ଓ ଶିକ୍ଷା ପାଇଁ ଆବଶ୍ୟକ ଅନ୍ୟ ସାମଗ୍ରୀ ପାଇଁ ଶିକ୍ଷା ବିଭାଗ, ମୁକ୍ତ ବିଶ୍ବବିଦ୍ୟାଳୟ ଏବଂ ଏନ୍ଜିଓ ସହ ନିୟମିତ ଯୋଗାଯୋଗରେ ରହିବା ପାଇଁ ଜେଲ୍ କର୍ତ୍ତୃପକ୍ଷମାନଙ୍କୁ କୁହାଯାଇଛି।
ଖୋଲିବ ଆଇନ ସହାୟତା କ୍ଲିନିକ୍
ଭୁବନେଶ୍ବର: ଓଡ଼ିଶା ମଡେଲ୍ ଜେଲ୍ ମାନୁଆଲ ଅନୁସାରେ କଏଦୀଙ୍କୁ ଆଇନ ସହାୟତା ଯୋଗାଇ ଦେବା ଲାଗି ସବୁ ଜେଲରେ ଆଇନ ସହାୟତା କେନ୍ଦ୍ର ଖୋଲିବା ପାଇଁ ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଲିଗାଲ୍ ସେଲ୍ରେ ଯଥେଷ୍ଟ ପରିମାଣର ଆଇନଜ୍ଞଙ୍କୁ ରଖିବା ଲାଗି କୁହାଯାଇଛି। କେତେକ କଏଦୀଙ୍କୁ ପାରା ଲିଗାଲ୍ ଭଲ୍ୟୁଣ୍ଟର ଭାବେ ରଖିବା ଲାଗି ସେମାନଙ୍କୁ ତାଲିମ ଦେବା ପାଇଁ କୁହାଯାଇଛି। ମହିଳା ଓ ଶିଶୁ, ଏସସି/ଏସଟି, ଶିଳ୍ପ କର୍ମଚାରୀ, ବିପର୍ଯ୍ୟୟ, ହିଂସା, ଶିଳ୍ପ ବିପର୍ଯ୍ୟୟ, ଭିନ୍ନକ୍ଷମ, ୧ ଲକ୍ଷ ଟଙ୍କା ତଳକୁ ଆୟକାରୀ, ମାନବଚାଲାଣର ଶିକାର ବ୍ୟକ୍ତି ଏବଂ କିନ୍ନରଙ୍କୁ ଏହି ଆଇନ ସହାୟତା ଯୋଗାଇ ଦିଆଯିବ।
କଏଦୀମାନଙ୍କୁ ସେମାନଙ୍କ ଆଇନଗତ ଅଧିକାର ଏବଂ କାର୍ଯ୍ୟ ଉପରେ ଅବଗତ କରାଇବା ପାଇଁ ସ୍ବତନ୍ତ୍ର କ୍ଲାସ୍ ଜରିଆରେ ଶିକ୍ଷା ଦେବା ଲାଗି କୁହାଯାଇଛି। ଦଣ୍ଡାଦେଶ ପାଇ ସାରିଥିବା କଏଦୀ କିପରି ସେମାନଙ୍କ ଦଣ୍ଡ ବିରୋଧରେ ଅପିଲ୍ କରିପାରିବେ ସେ ନେଇ ମଧ୍ୟ ସୁପରିଣ୍ଟଣ୍ଡେଣ୍ଟ ସେମାନଙ୍କୁ ଅବଗତ କରାଇବେ। ଆଇନ ସହାୟତା କ୍ଲିନିକ୍ କିପରି ସଫଳ ହୋଇପାରିବ ସେ ନେଇ ସୁପରିଣ୍ଟେଣ୍ଡେଣ୍ଟମାନେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ(ଡିଏଲ୍ଏସ୍ଏ) ଓ ତାଲୁକ ଆଇନ ସେବା ପ୍ରାଧୀକରଣ(ଟିଏଲ୍ଏସ୍ଏ) ସହ ଯୋଗସୂତ୍ର ରକ୍ଷା କରିବେ ବୋଲି କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ ଦିଆ ଯାଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।
Follow Us