ଅସୁରକ୍ଷିତ ପବ୍ଲିକ ଆର୍ଟ ମ୍ୟୁଜିୟମ୍‌

Advertisment
ଅସୁରକ୍ଷିତ ପବ୍ଲିକ ଆର୍ଟ ମ୍ୟୁଜିୟମ୍‌

ଭୁବନେଶ୍ୱର: ରାଜଧାନୀର ପ୍ରବେଶ ପଥ ରସୁଲଗଡ଼ରେ ତିଆରି ହୋଇଥିଲା ‘ପବ୍ଲିକ ଆର୍ଟ ମ୍ୟୁଜିୟମ’। ଅବ୍ୟବହୃତ ଲୁହାକୁ ବ୍ୟବହାର କରି ଜଳ ହିଁ ଜୀବନର ବାର୍ତ୍ତାରୁ ଆରମ୍ଭ କରି ମନ୍ଦିରମାଳିନୀ ସହର ଭୁବନେଶ୍ବରର ଅନନ୍ୟ ପରିଚୟକୁ ଗୋଟିଏ ସ୍ଥାନରେ ପ୍ରତିକୃତି ଆକାର ଦେଇଥିଲେ ଅନ୍ତର୍ଜାତୀୟସ୍ତରର ସ୍ଥପତି ମାନବ ଗୁପ୍ତା। ଏନ୍‌ଏଚ୍ଏଆଇ ପକ୍ଷରୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ୱେଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ଏସ୍‌ଜେପିଏଲ୍‌) ସହାୟତାରେ ‘ୱାଟର ମ୍ୟୁଜିୟମ ଆଣ୍ଡ ସଷ୍ଟେନେବୁଲ ଡେଭଲପ୍‌ମେଣ୍ଟ’ ବିଷୟକୁ ନେଇ ୨୦୧୯ ମସିହାରେ ଏହି ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା। କଟକ ପଟୁ ଆସନ୍ତୁ କିମ୍ବା ଭୁବନେଶ୍ବରରୁ କଟକ ଯାଆନ୍ତୁ, ପୁରୀରୁ ଭୁବନେଶ୍ବର ଆସନ୍ତୁ କି କଟକ ଯାଆନ୍ତୁ ଯେ କେହି ଏହି ଛକ ଦେଇ ଯାଉଥିଲେ ଏହି କଳାକୃତିକୁ ବେଶ ଉପଭୋଗ କରୁଥିଲେ। ବିଶ୍ବାସ କରିପାରୁନଥିଲେ ଯେ, ଏହା କେବଳ ସ୍କ୍ରାପ୍‌ ବ୍ୟବହାର କରି ତିଆରି କରାଯାଇଛି। ବର୍ତ୍ତମାନ ଏହା କାହାପାଇଁ ଆଶ୍ରୟସ୍ଥଳୀ ତ କାହାପାଇଁ ସାମଗ୍ରୀ ରଖିବା ଜାଗା ପଲଟିଯାଇଛି। ୩ ବର୍ଷ ପୂରିବାକୁ ବସିଲାଣି ଏ ପର୍ଯ୍ୟନ୍ତ ଉଦ୍‌ଘାଟନ ମଧ୍ୟ ହୋଇନାହିଁ।

ରକ୍ଷଣାବେକ୍ଷଣ ଅଭାବରୁ ୩ ବର୍ଷ ମଧ୍ୟରେ ଏହା ତା’ର ଆକର୍ଷଣ ହରାଇଛି। ଅଧିକାଂଶ ସ୍ଥାପତ୍ୟ କଳାକୃତି ଭାଙ୍ଗିରୁଜି ଗଲାଣି। ମଦ ବୋତଲ ଠାରୁ ଆରମ୍ଭ କରି ଅଇଁଠା‌ ଖଲି, ବଞ୍ଜାରାଙ୍କ ଛିଣ୍ଡା କନ୍ଥା ପଡ଼ିଛି। କଳାକୃତି ଉପରେ ତାଙ୍କର ପିନ୍ଧା ଲୁଗା ଶୁଖୁଛି। ବଡ଼ ବଡ଼ ଘାସ ଗଛ ଉଠି ଜଙ୍ଗଲ ହୋଇଗଲାଣି। ଅସାମାଜିକଙ୍କ ଆଡ଼ା ଓ ଗାଈଗୋରୁ ଆଶ୍ରୟ ନେବା ସହ ବଞ୍ଜାରାଙ୍କ ଛୋଟ ଛୋଟ ପିଲା ମଳତ୍ୟାଗ ମଧ୍ୟ କରୁଛନ୍ତି। ସେହି ପିଲାମାନେ ସେଠାରେ ଥିବା ସାମଗ୍ରୀକୁ ଖେଳନା ଭାବେ ବ୍ୟବହାର କରି ଏଠି ସେଠି ଫୋପଡୁଛନ୍ତି। ବଞ୍ଜାରାମାନେ ସେଠାରେ ରୋଷେଇ କରି ଅଇଁଠା ଫୋପାଡୁଛନ୍ତି। ଯାହା ଫଳ‌ରେ ସମ୍ପୃକ୍ତ ଅଞ୍ଚଳ ଦୁର୍ଗନ୍ଧ ହେଉଛି। ଯେଉଁ କଳାକୃତି ଦିନେ ପ୍ରତ୍ୟେକଙ୍କୁ ଆକର୍ଷିତ କରୁଥିଲା ଏବେ ସେଠାରେ ଦଣ୍ଡେ ଛିଡ଼ା ହେବା ସମ୍ଭବ ହେଉ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe