ଭୁବନେଶ୍ବର: ରାଜଧାନୀର ବିଭିନ୍ନ ଔଷଧ ଦୋକାନରେ ଆଜି ଭେଷଜ ନିର୍ଦ୍ଦେଶାଳୟ ପକ୍ଷରୁ ଯାଞ୍ଚ କରାଯାଇଛି। ଔଷଧ ଦୋକାନରେ ଫାର୍ମାସିଷ୍ଟ ଉପଲବ୍ଧ ଅଛନ୍ତି କି ନାହିଁ, ଅବଧି ଶେଷ ହୋଇଥିବା ଔଷଧ, ଔଷଧ ସଂରକ୍ଷଣ ସ୍ଥିତି, କଫ୍ ସିରପ୍ ଓ ଅନ୍ୟ ଉଲ୍ଲଂଘନ ସଂପର୍କରେ ଏହି ଯାଞ୍ଚ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ସିରିପୁର ଓ ଅଶୋକ ନଗର ଅଞ୍ଚଳରେ ୯ଟି ଔଷଧ ଦୋକାନରେ ଅଧିକାରୀମାନେ ଯାଞ୍ଚ କରିଛନ୍ତି। ସିରିପୁର ଅଞ୍ଚଳର କିଛି ଔଷଧ ଦୋକାନରେ ବିନା ଫାର୍ମାସିଷ୍ଟରେ ଔଷଧ ବିକ୍ରି ଚାଲିଥିଲା। ଅନ୍ୟ ଉଲ୍ଲଂଘନ ପାଇଁ ସେହି ଅଞ୍ଚଳର ଔଷଧ ଦୋକାନରୁ ୮ଟି ଔଷଧ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେହିପରି ଅଶୋକ ନଗର ଅଞ୍ଚଳରୁ ମଧ୍ୟ କିଛି ଔଷଧ ଦୋକାନରୁ ୮ଟି ନମୁନା ପରୀକ୍ଷା ପଠାଯାଇଥିବା ସୂଚନା ମିଳିଛି। ଏସବୁ ଔଷଧ ଦୋକାନରେ ଡ୍ରଗ୍ ଓ କସ୍ମେଟିକ ଆଇନର ବ୍ୟାପକ ଉଲ୍ଲଂଘନ ହୋଇଥିବା ନଜରକୁ ଆସିଛି। ଯାଞ୍ଚ ଅଧିକାରୀ କହିଛନ୍ତି, ରାଜଧାନୀରେ ଲଗାତାରଭାବେ ବିଭିନ୍ନ ଅଞ୍ଚଳରେ ଔଷଧ ଦୋକାନରେ ଯାଞ୍ଚ କରାଯାଉଛି। ଯେଉଁ ଔଷଧ ଦୋକାନୀମାନେ ଡ୍ରଗ୍ ଓ କସ୍ମେଟିକ ଆଇନର ଉଲ୍ଲଂଘନ କରିଛନ୍ତି ସେମାନଙ୍କୁ ଅନଧିକୃତ ଅଧିକାରୀଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ। ଏହାସହ ଯେଉଁ ଔଷଧ ନମୁନା ପରୀକ୍ଷା ପାଇଁ ପଠାଯାଇଛି, ତାହାର ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏହି ଯାଞ୍ଚରେ ଏଡିସି ପ୍ରବେଶ କୁମାର ଲେଙ୍କା, ଏଡିସି ସୁଦର୍ଶନ ବିଶ୍ବାଳ, ଡିଆଇ ଚନ୍ଦନ ଗିରି, ଏସ୍. ପଟ୍ଟନାୟକ ଓ ଅନନ୍ୟା ଆଇଚ ପ୍ରମୁଖ ସାମିଲ ହୋଇଥିଲେ।
Follow Us