ପ୍ରେରଣା: ଛିଣ୍ଡା ଚପଲରୁ ସୁନ୍ଦର କଳାକୃତି

Advertisment
ପ୍ରେରଣା: ଛିଣ୍ଡା ଚପଲରୁ ସୁନ୍ଦର କଳାକୃତି

ଛିଣ୍ଡା ଚପଲର ପୁନଃପ୍ରକ୍ରିୟାକରଣ ଦ୍ବାରା ସେଥିରୁ କଳାକୃତି ନିର୍ମାଣ କରି ଏକ ବିରଳ ଉଦାହରଣ ସୃଷ୍ଟି କରିଛି କେନିଆର ସଂସ୍ଥା ‘ଓସେନ୍‌ ସୋଲ୍’। ପୃଥିବୀରେ ପ୍ରତିବର୍ଷ ପ୍ରାୟ ୩ ବିଲିଅନ୍‌ରୁ ଅଧିକ ହାୱାଇ ଚପଲ ଉତ୍ପାଦିତ ହୋଇଥାଏ। ସିନ୍ଥେଟିକ୍ ଓ ପେଟ୍ରୋଲିୟମ୍‌ଜାତ ସାମଗ୍ରୀରୁ ପ୍ରସ୍ତୁତ ଚପଲର ହାରାହାରି ଆୟୁ ପ୍ରାୟ ଦୁଇ ବର୍ଷ ଏବଂ ପୃଥିବୀରୁ ବାହାରୁଥିବା ୮ ବିଲିୟନ୍‌ ଟନ୍ ପ୍ଲାଷ୍ଟିକ୍‌ ଆବର୍ଜନାର ଏହା ଏକ ବୃହତ୍‌ ଭାଗ। ପୁନଃବ୍ୟବହାରକ୍ଷମ ହୋଇ ନଥିବାରୁ ଏହା ପରିବେଶ ପାଇଁ ହାନିକାରକ। ପ୍ରତିବର୍ଷ ପ୍ରାୟ ୯୦ ଟନ୍ ପ୍ଲାଷ୍ଟିକ୍‌ ଚପଲ କେନିଆର ସମୁଦ୍ର କୂଳରେ ଲାଗିଥାଏ।

ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜନୈକା ସ୍ବେଚ୍ଛାସେବୀ ଜୁଲି ଚର୍ଚ୍ଚଙ୍କ ଦୃଷ୍ଟିକୁ ଏହି ଘଟଣା ଆସିବା ପରେ ସେ ଏକ ନିଆରା ସମାଧାନ ବାହାର କରିବାକୁ ସ୍ଥିର କଲେ। ଭାସି ଆସିଥିବା ଚପଲଗୁଡ଼ିକରୁ ଚମତ୍କାର ରଙ୍ଗିନ ମୂର୍ତ୍ତି ପ୍ରସ୍ତୁତ କରି ସେ ବଜାରରେ ବିକ୍ରୟଯୋଗ୍ୟ କରିଥିଲେ। ଜୁଲି ଚର୍ଚ୍ଚ ଓ ‘ଓସେନ୍ ସୋଲ୍’ ପୁନଃ- ପ୍ରକ୍ରିୟାକରଣକୁ ଏକ ନୂତନ ସ୍ତରକୁ ନେଇ ଯାଇଛନ୍ତି। ଏହି କାର୍ଯ୍ୟ ଦ୍ବାରା ସେ ଉଭୟ ପରିବେଶ ସୁରକ୍ଷା ସହ ସ୍ଥାନୀୟ ଅଧିବାସୀଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି।

‘ଓସେନ ସୋଲ୍’ ସିଇଓ ଏରିନ୍ ସ୍ମିଥ୍ କହନ୍ତି, ୧୯୯୦ ଦଶକରେ ଜୁଲି ନାଇରୋବିରେ ଜଣେ ସାମୁଦ୍ରିକ ସଂରକ୍ଷଣ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ସେତେବେଳେ ସେ ସମୁଦ୍ରକୂଳ ଚପଲରେ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ। ପ୍ଲାଷ୍ଟିକ୍‌ ପ୍ରଦୂଷଣ ଦ୍ବାରା ସେଠାରେ ମାଛ ଓ ଉଦ୍ଭିଦ ଜୀବନ ପ୍ରାୟ ନଷ୍ଟ ହୋଇଯାଇଥିଲା। କଇଁଛମାନେ ଅଣ୍ଡା ଦେବା ପାଇଁ ସ୍ଥଳଭାଗକୁ ଆସି ପାରୁନଥିଲେ। ଚର୍ଚ୍ଚ ଦେଖିବାକୁ ପାଇଲେ ଯେ ସ୍ଥାନୀୟ ପିଲାମାନେ ସମୁଦ୍ର କୂଳରେ ଲାଗିଥିବା ଚପଲରୁ ଖେଳନା ତିଆରି କରୁଛନ୍ତି। ଏହା ତାଙ୍କୁ ପ୍ରେରିତ କଲା। ସେ ସେଇ ପିଲାଙ୍କ ମା’ମାନଙ୍କୁ ନେଇ ମୂର୍ତ୍ତି ଓ ଖେଳନା ତିଆରି ଆରମ୍ଭ କଲେ। ଏହାକୁ ପ୍ରଥମେ ସ୍ଥାନୀୟ ଓ ପରେ ବାହାର ବଜାରରେ ବିକ୍ରୟ କରିଥିଲେ। ଫଳରେ ଶିଶୁ ଓ ମହିଳାଙ୍କ ପରିବାର ପାଇଁ ଆୟର ଅନ୍ୟ ଏକ ଉତ୍ସ ସୃଷ୍ଟି ହେଲା।

୧୯୯୮ରେ ଚର୍ଚ୍ଚ ଅଣ-ଲାଭକାରୀ ସଂସ୍ଥା ‘ଓସେନ ସୋଲ୍’ ପ୍ରତିଷ୍ଠା କଲେ। ବର୍ତ୍ତମାନ ତାଙ୍କ ସଂସ୍ଥା ଲକ୍ଷ୍ୟ ରଖିଛି ଯେ ପ୍ରତିବର୍ଷ ଏକ ମିଲିୟନ୍ ଚପଲ ପୁନଃପ୍ରକ୍ରିୟାକରଣ କରି ତାହାକୁ ମୂର୍ତ୍ତିରେ ପରିଣତ କରିବ। ଏହା ସହିତ ଓସନ୍ ସୋଲ୍ ସିଧାସଳଖ ୧୦୦୦ରୁ ଅଧିକ କେନିଆବାସୀଙ୍କୁ ଜୀବିକା ଦେଇଛି। କେବଳ ୨୦୨୨ରେ ଏହି ସଂଗଠନ ୭୫୦,୦୦୦ରୁ ଅଧିକ ଚପଲକୁ ପୁନଃ ବ୍ୟବହାର କରିଛି। ଏହି କଳାକୃତି ରୋମ ଫ୍ୟାସନ୍ ୱିକ, ସ୍ୱିଡେନ୍ କଲ୍‌ଚରାଲ୍‌ ମ୍ୟୁଜିଅମ୍, ଲଣ୍ଡନ ଚିଡ଼ିଆଖାନା ପରି ଅନେକ ପ୍ରସିଦ୍ଧ ସ୍ଥାନରେ ପ୍ରଦର୍ଶିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe