ଆଇସିଏଆଇ ଶୃଙ୍ଖଳା କମିଟିରେ ଦୋଷୀ ସାବ୍ୟସ୍ତ ହେଲେ ଆକାଉଣ୍ଟାଣ୍ଟ : ବର୍ଷେ ପାଇଁ ସଦସ୍ୟତା ରଦ୍ଦ

Advertisment
ଆଇସିଏଆଇ ଶୃଙ୍ଖଳା କମିଟିରେ ଦୋଷୀ ସାବ୍ୟସ୍ତ ହେଲେ ଆକାଉଣ୍ଟାଣ୍ଟ : ବର୍ଷେ ପାଇଁ ସଦସ୍ୟତା ରଦ୍ଦ

ଭୁବନେଶ୍ୱର : ଭାରତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରତିଷ୍ଠାନ(ଆଇସିଏଆଇ)ର ଶୃଙ୍ଖଳା କମିଟିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ। ସେ ହେଉଛନ୍ତି କୁଳମଣି ପରିଡ଼ା। ୨୦୧୪ରେ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଟ୍ରାଭାନ୍‌କୋର ନାମରେ ଏକ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍‌ ନକଲ କରି ୬ କୋଟି ଟଙ୍କା ଋଣ ହଡ଼ପ କରିବାରେ ସେ ମୁଖ୍ୟ ଅଭିଯୁକ୍ତ ଥିଲେ। ୨୦୧୪ ମସିହାରେ ଇଓଡବ୍ଲୁ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ୫ବର୍ଷ ପରେ ଅଭିଯୋଗର ବିଚାର କରି କମିଟି ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ପ୍ରତିଷ୍ଠାନରୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ତାଙ୍କର ସଦସ୍ୟତା ରଦ୍ଦ କରିଛି।

ସୂଚନା ମୁତାବକ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଟ୍ରଭାନ୍‌କୋର୍‌ ଛୋଟରାୟ ସପ୍ଲାୟର୍ସକୁ ୬ କୋଟି ଟଙ୍କା ଋଣ ଦେଇଥିଲା। ଏହି ସଂସ୍ଥା ସହ ଶ୍ରାବଣୀ କନ୍‌ଷ୍ଟ୍ରକସନ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଥିବା ଶିବ ନାରାୟଣ ଛୋଟରାୟଙ୍କ ନାମରେ ଏହି କ୍ୟାସ୍‌ କ୍ରେଡିଟ୍‌ ପ୍ରଦାନ କରାଯାଇଥିଲା। ଋଣ ନେବା ପାଇଁ ଶିବ ନାରାୟଣ ଛୋଟରାୟ ଯେଉଁ ସମ୍ପତ୍ତି ବନ୍ଧକ ରଖିଥିଲେ, ତାହା ବର୍ଷେ ତଳୁ ବ୍ୟାଙ୍କ୍‌ରୁ ମୁକୁଳାଇ ଦେଇଥିଲେ। କେବଳ ମୁକୁଳାଇ ନଥିଲେ ବରଂ ବ୍ୟାଙ୍କ୍‌ ନୋ ଅବ୍‌ଜେକ୍ସନ ପ୍ରମାଣପତ୍ର ପ୍ରଦାନ କରିଛି ବୋଲି କାଗଜ ପ୍ରସ୍ତୁତ କରିଥିଲେ। ବ୍ୟାଙ୍କ୍‌ର ମୁଖ୍ୟ ପ୍ରବନ୍ଧକଙ୍କ ଡିଜିଟାଲ ଦସ୍ତଖତ ଥାଇ ୧୭ନମ୍ବର ଫର୍ମ କର୍ପୋରେଟ୍‌ ଗ୍ୟାରେଣ୍ଟିକୁ ନିଶ୍ଚିତ କରୁଥିବା ସଂସ୍ଥା ‘ରେଜିଷ୍ଟ୍ରାର ଅଫ୍ କମ୍ପାନିଜ୍‌’ରେ ଦାଖଲ କରିଥିଲେ। ଏହି ଫର୍ମ ନମ୍ବର ୧୭ରେ ଥିବା ତଥ୍ୟକୁ ପ୍ରମାଣିତ କରିଥିଲେ କୁଳମଣି। ସେ ଉଭୟ ଛୋଟରାୟ ସପ୍ଲାୟର୍ସ ଓ ଶ୍ରାବଣୀ କନ୍‌ଷ୍ଟ୍ରକସନ ପ୍ରାଇଭେଟ୍‌ ଲିମିଟେଡ୍‌ର ଚାଟାର୍ଡ ଆକାଉଣ୍ଟାଣ୍ଟ ଥିଲେ। ବାସ୍ତବରେ ଏହି ନୋ ଅବ୍‌ଜେକ୍ସନ ପ୍ରମାଣପତ୍ରକୁ ସେ ବ୍ୟାଙ୍କ୍‌ ନାମରେ ନକଲ କରି ପ୍ରସ୍ତୁତ କରିଥିଲେ। ଏହି ନକଲି କାଗଜ ବଳରେ ୬ କୋଟିର ଋଣ ଟଙ୍କା ହଡ଼ପ କରି ନେଇଥିଲେ। ଏହା ଜାଣିବା ପରେ ବ୍ୟାଙ୍କ୍‌ ମହାପ୍ରବନ୍ଧକ କ୍ରାଇମ୍‌ ବ୍ରାଞ୍ଚ ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଇଓଡବ୍ଲୁ ୨୦୧୪ରେ ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିଥିଲା। କୋଲକାତାର ଆଇସିଏଆଇ ଏହାର ତଦନ୍ତ କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe