ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଓ ପାନପୋଷ କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ଚାଲିଥିବା ସପ୍ତମ ଇଣ୍ଟର୍ସିଟି ଗୋଲ୍ଡ କପ୍ ହକି ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତା ତିନିଟି, ଯଥା- ବରିଷ୍ଠ ପୁରୁଷ, ମହିଳା ଓ ଗ୍ରାମାଞ୍ଚଳ ପୁରୁଷ ବର୍ଗରେ ଖେଳାଯାଇଥିଲା। ବରିଷ୍ଠ ପୁରୁଷ ବର୍ଗରେ ରାଉରକେଲା ଏକାଦଶ ବିଜେତା ହୋଇଥିବାବେଳେ ମହିଳାରେ ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସି ଓ ଗ୍ରାମାଞ୍ଚଳ ପୁରୁଷ ବର୍ଗରେ ଟପ୍ନୋ ବ୍ରଦର୍ସ୍ (ନୂଆଗାଁ) ଚାମ୍ପିଅନ ହୋଇଛି। ଉଲ୍ଲେଖଯୋଗ୍ୟ, ଉଭୟ ବରିଷ୍ଠ ପୁରୁଷ ଓ ମହିଳା ବର୍ଗରେ ୧୬ଟି ଲେଖାଏଁ ଦଳ ଭାଗନେଇଥିବାବେଳେ ଗ୍ରାମାଞ୍ଚଳ ବର୍ଗରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ରାଜ୍ୟ କ୍ରୀଡ଼ା ବିଭାଗର ଉପ-ନିର୍ଦ୍ଦେଶକ ସୁଦୀପ୍ତ କୁମାର ନାୟକ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ।
ଅନ୍ତର୍ଜାତୀୟ ହକି ଟେକ୍ନିକାଲ ଅଫିସିଆଲ ନିଶାନ ଜ୍ୟୋତି ମହାନ୍ତି ପ୍ରତିଯୋଗିତା ନିର୍ଦେଶକ ଦାୟିତ୍ବ ନିର୍ବାହ କରିଥିଲେ। ପ୍ରତିଯୋଗିତା ଆୟୋଜନରେ ଇଣ୍ଟରସିଟି ଗୋଲ୍ଡ କପ୍ ହକି ପ୍ରତିଯୋଗିତା କମିଟିର ଉପଦେଷ୍ଟା ଲାଜରୁସ ବାର୍ଲା, ସୁନୀତା ଲାକ୍ରା, ଲିଳିମା ମିଞ୍ଜ, ସଭାପତି ସିଲ୍ଭେଷ୍ଟର୍ ଟପ୍ପୋ, ଉପସଭାପତି ବାର୍ଥାଲୋମୀ କେରକେଟା, ଜେମ୍ସ କୁଜୁର, ବ୍ରୁନୋ ଏଚ୍. ଲୁଗୁନ, ସମ୍ପାଦକ ରଜତ ମିଞ୍ଜ, ସାଂଗଠନିକ ସମ୍ପାଦକ ଷ୍ଟାନ୍ଲି ଭିକ୍ଟର ମିଞ୍ଜ, ଯୁଗ୍ମ ସମ୍ପାଦକ ନିଶାନ ଜ୍ୟୋତି ମହାନ୍ତି, କୋଷାଧ୍ୟକ୍ଷ ବିଶ୍ବାସ ଭେଙ୍ଗ୍ରା, ରାଜେନ ଏକ୍କାଙ୍କ ସମେତ ଅନ୍ତର୍ଜାତୀୟ ଖେଳାଳି ରୋଶନ ମିଞ୍ଜ, ପୁନମ ଟପ୍ପୋ, ଓଡ଼ିଶା ହକି ସଂଘର ସମ୍ପାଦକ ସନାତନ ସାହୁ ପ୍ରମୁଖ ସହଯୋଗ କରିଥିଲେ।
/filters:format(webp)/sambad/media/media_files/2025/12/12/champion1-2025-12-12-22-47-25.jpg)
ପୁରୁଷରେ ବାଜିମାରିଲା ରାଉରକେଲା ଏକାଦଶ
ରାଉରକେଲା ଏକାଦଶ ଓ ପାନପୋଷ କ୍ରୀଡ଼ା ଛାତ୍ରାବାସ (ବରିଷ୍ଠ) ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା। ମ୍ୟାଚ୍ ଶେଷସୁଦ୍ଧା ୨-୨ ଗୋଲ୍ରେ ଅମୀମାଂସିତ ରହିଥିଲା। ତେବେ ସୁଟ୍ଆଉଟ୍ରେ ରାଉରକେଲା ଏକାଦଶ ୪-୩ ଗୋଲ୍ରେ ବାଜିମାରିନେଇଛି। ପାନପୋଷ କ୍ରୀଡ଼ାଛାତ୍ରାବାସ ପକ୍ଷରୁ ସୁଦୀପ ମିଞ୍ଜ (୭) ଓ ମାତିଆସ ଡାଙ୍ଗ୍ (୪୫) ଏବଂ ରାଉରକେଲା ଏକାଦଶ ପକ୍ଷରୁ ରାଜେନ୍ଦ୍ର ଓରାମ (୨୬) ଓ ଅଧିନାୟକ ଅମନଦୀପ ଲାକ୍ରା (୫୬) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ନମିତା ଖାଲଖୋ, ସନ୍ତୋଷ ସାହୁ, ସୁସ୍ମିତା କିଷାନ, ସୁଜାତା ଏକ୍କା ପ୍ରମୁଖ ଫାଇନାଲ ମ୍ୟାଚ୍ ପରିଚାଳନା କରିଥିଲେ। ରାଉରକେଲା ଏକାଦଶର ସାହିଲ ନାୟକ ଶ୍ରେଷ୍ଠ ଗୋଲ୍କିପର୍, ଶ୍ରେଷ୍ଠ ଷ୍ଟ୍ରାଇକର୍ ପ୍ରୀତମ ଏକ୍କା, ଶ୍ରେଷ୍ଠ ଡିଫେଣ୍ଡର୍ ସନ୍ଦୀପ ଖାଖା (ସାଇ, ସୁନ୍ଦରଗଡ଼), ଶ୍ରେଷ୍ଠ ମିଡ୍ଫିଲ୍ଡର ମଙ୍ଗଳ ଲୋହାର (ପାନପୋଷ କ୍ରୀଡ଼ା ଛାତ୍ରାବାସ) ଓ ବିମଳ ଲାକ୍ରା (ପାନପୋଷ କ୍ରୀଡ଼ା ଛାତ୍ରାବାସ, କନିଷ୍ଠ) ଶ୍ରେଷ୍ଠ ଉଦୀୟମାନ ଖେଳାଳିଭାବେ ପୁରସ୍କୃତ ହୋଇଛନ୍ତି।
ଆହୁରି ପଢ଼ନ୍ତୁ: Junior Men's Hockey World Cup: କନିଷ୍ଠ ପୁରୁଷ ହକି ବିଶ୍ବକପ୍: ଭାରତକୁ କାଂସ୍ୟ
ମହିଳା ବର୍ଗରେ ବିଜେତା ଓଡ଼ିଶା ନାଭାଲ ଟାଟା
ପାନପୋଷ କ୍ରୀଡ଼ା ଛାତ୍ରାବାସ (ବରିଷ୍ଠ) ଓ ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସି ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ ଏକତରଫା ହୋଇଥିଲା। ଓଡ଼ିଶା ନାଭାଲ ଟାଟା ଦଳ ସିଧାସଳଖ ୨-୦ ଗୋଲ୍ରେ ବିଜୟୀ ହୋଇଛି। ଦଳ ପକ୍ଷରୁ ଆନନ୍ଦିତା ଟପ୍ପୋ (୩୨) ଓ ଦ୍ରୁପତି ନାଏକ (୫୦) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ବିମଳା ବାରୱା, ରିକେଶ ମିଞ୍ଜ, ସୁସ୍ମିତା କିଷାନ, ହୁସେନ ଶେଖ୍ ଏମ୍.ଏମ୍. ପ୍ରମୁଖ ମ୍ୟାଚ୍ ପରିଚାଳନା କରିଥିଲେ। ଶ୍ରେଷ୍ଠ ଗୋଲ୍କିପର ସୁନେଳି ଓରାମ (ପାନପୋଷ କ୍ରୀଡ଼ା ଛାତ୍ରାବାସ), ଶ୍ରେଷ୍ଠ ଡିଫେଣ୍ଡର୍ ପ୍ରେମଶୀଳା ବାଗେ (ଓଡ଼ିଶା ନାଭାଲ ଟାଟା), ଶ୍ରେଷ୍ଠ ମିଡ୍ଫିଲ୍ଡର ଦୀପିକା ବାଗେ (ସାଇ, ସୁନ୍ଦରଗଡ଼), ଶ୍ରେଷ୍ଠ ଷ୍ଟ୍ରାଇକର୍ ଆତେନ ଟପ୍ପୋ (ପାନପୋଷ କ୍ରୀଡ଼ା ଛାତ୍ରାବାସ) ଓ ଅଙ୍କିତା ମିଞ୍ଜ (ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ) ଶ୍ରେଷ୍ଠ ଉଦୀୟମାନ ଖେଳାଳିଭାବେ ପୁରସ୍କୃତ ହୋଇଛନ୍ତି।
ଆହୁରି ପଢ଼ନ୍ତୁ: New Delhi: ଗୋଟିଏ ପରିବାରର ୩ଜଣଙ୍କ ସମୁହ ଆତ୍ମହତ୍ୟା
ଗ୍ରାମାଞ୍ଚଳ ବର୍ଗରେ ଟପ୍ନୋ ବ୍ରଦର୍ସ୍ ଚାମ୍ପିଅନ୍
ଟପ୍ନୋ ବ୍ରଦର୍ସ୍ (ନୂଆଗାଁ) ଓ ଶାସ୍ତ୍ରୀ କ୍ଳବ ସମଲେଇମୁଣ୍ଡା ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ ରୋମାଞ୍ଚକର ହୋଇଥିଲା। ମ୍ୟାଚ୍ ଆରମ୍ଭରୁ ଉଭୟ ଦଳର ଖେଳାଳି ଆକ୍ରମଣାତ୍ମକ ଶୈଳୀ ଆପଣେଇଥିଲେ। ତେବେ ୨୩ତମ ମିନିଟ୍ରେ ଟପ୍ନୋ ବ୍ରଦର୍ସ୍ ଦଳର ବିକାଶ ବାର୍ଲା ଏକ ଆକର୍ଷଣୀୟ ଗୋଲ୍ ଦେଇ ଦଳକୁ ୧-୦ ଗୋଲ୍ରେ ଆଗୁଆ କରିଥିଲେ। ମ୍ୟାଚ୍ ପରିଶୋଧ ପାଇଁ ଶାସ୍ତ୍ରୀ କ୍ଳବର ଖେଳାଳି ଏକାଧିକ ପ୍ରୟାସ କରିଥିଲେ ମଧ୍ୟ ତାହା ବିଫଳ ହେବାରୁ ଦଳ ପରାଜୟ ଭୋଗିଥିଲା। ତେଜେସ୍ବର ରାଓ, ପ୍ରଶାନ୍ତ ସ୍ବାଇଁ, ରେଶ୍ମା ଲାକ୍ରା, ଲୁସିଲା ଏକ୍କା ପ୍ରମୁଖ ମ୍ୟାଚ୍ ପରିଚାଳନା କରିଥିଲେ। କରନ ସାହୁ (ନୂଆଗାଁ) ଶ୍ରେଷ୍ଠ ଗୋଲ୍କିପର୍, କରନ ଟିଗ୍ଗା (ମଗରକୁଣ୍ଡା) ଶ୍ରେଷ୍ଠ ଡିଫେଣ୍ଡର୍, ସଞ୍ଜୀବ ମାଝୀ (ଶାସ୍ତ୍ରୀ କ୍ଳବ) ଶ୍ରେଷ୍ଠ ମିଡ୍ଫିଲ୍ଡର, ବିକାଶ ବାର୍ଲା (ନୂଅଗାଁ) ଶ୍ରେଷ୍ଠ ଷ୍ଟ୍ରାଇକର୍ ଓ ପ୍ରକାଶ ଲାକ୍ରା (ଝୁନମୁର ଗଞ୍ଜୁଟୋଲି) ପ୍ରତିଯୋଗିତାର ଶ୍ରେଷ୍ଠ ଉଦୀୟମାନ ଖେଳାଳି ବିବେଚିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/12/champion-2025-12-12-22-47-25.jpg)