ଘଣାତେଲ ପ୍ରତି ବଢ଼ୁଛି ଆଗ୍ରହ: ଆଖି ଆଗରେ ପେଡ଼ା ହେଉଛି, ଅଧିକ ଦାମ୍‌ ଦେବାକୁ ରାଜି ହେଉଛନ୍ତି ଲୋକ

Advertisment
ଘଣାତେଲ ପ୍ରତି ବଢ଼ୁଛି ଆଗ୍ରହ: ଆଖି ଆଗରେ ପେଡ଼ା ହେଉଛି, ଅଧିକ ଦାମ୍‌ ଦେବାକୁ ରାଜି ହେଉଛନ୍ତି ଲୋକ

ଭୁବନେଶ୍ବର: ଯୁଗବଦଳିବା ସହ ଲୋକଙ୍କ ଖାଦ୍ୟରେ ମଧ୍ୟ ପରିବର୍ତ୍ତନ ଘଟିଛି। ଲୋକେ ପୁରୁଣାକୁ ଭୁଲି ନୂଆକୁ ଆପଣାଇବାକୁ ଲାଗିଛିନ୍ତି। ଖାଦ୍ୟ ପ୍ରସ୍ତୁତିବେଳେ ରୋଷେଇଶାଳରେ ପ୍ରଥମେ ତେଲ ହିଁ ଖୋଜା‌ ପଡ଼େ। ଆଜିକାଲି ଲୋକେ ସ୍ବାସ୍ଥ୍ୟ ସଚେତନ ହୋଇ ତେଲ କମ୍‌ ଖାଉଛନ୍ତି ବା କମ୍ ଖାଇବାକଥା ଚିନ୍ତା କରୁଛନ୍ତି। କିଛି ଲୋକ ବିଦେଶରୁ ଆସୁଥିବା ଅଲିଭ୍‌ ତେଲ ବି ଖାଇବା ଆରମ୍ଭ କରିଦେଲେଣି। ଇଏ ଗୋଟେ ଟ୍ରେଣ୍ଡ୍‌ ହୋଇଗଲାଣି। ରାଜଧାନୀରେ ଏବେ ଆଉଗୋଟେ ତେଲ ଲୋକପ୍ରିୟ ହେବାରେ ଲାଗିଛି। ତା’ ହେଉଛି- ଘଣାତେଲ। ଅବଶ୍ୟ କିଛି ବଡ଼ କମ୍ପାନି ତାଙ୍କ ତେଲ ପ୍ୟାକେଟ ବା ବୋତଲ ଉପରେ ‘ଘଣାତେଲ’ ବୋଲି ଲେଖୁଛନ୍ତି। କିନ୍ତୁ କିଛି ଲୋକ ନିଜ ଆଖିଆଗରେ ‌ଘଣାରେ ପେଡ଼ା ହେଉଥିବା ତେଲକୁ ଅଧିକ ପସନ୍ଦ କରୁଛନ୍ତି। ଯଦିଓ ଏଥିପାଇଁ କିଛି ଅଧିକ ଦାମ୍‌ ଦେବାକୁ ପଡ଼ୁଛି।

ରାଜଧାନୀରେ ରୂପାଲି ଛକ, ଡମଣା, ଜାଗମରା, ପଟିଆ, ଲୁଇସ୍ ରୋଡ୍, ଆଇଗିଣିଆ, ବରମୁଣ୍ଡା, ନଖରା, ପଳାସୁଣି, ସିଆର୍‌ପି, କେଶୁରା ଆଦି ସ୍ଥାନରେ ପାଖାପାଖି ୧୦୦ଟି ସ୍ଥାନରେ ଯନ୍ତ୍ରଚାଳିତ ଘଣା ପଡ଼ିଛି ବୋଲି ଜଣେ ବ୍ୟବସାୟୀ କହିଛନ୍ତି। ସେଠାରେ ସୋରିଷ ପେଡ଼ା ହେବା ସହ ଜଡ଼ା, ନଡ଼ିଆ, କରଞ୍ଜ, ରାଶି, ନିମ୍ବ, ସୂର୍ଯ୍ୟମୁଖୀ, ଚିନାବାଦାମ, ଜଡ଼ା, କଳାଜିରା, କଦମ୍ବ ଆଦି ପ୍ରାୟ ୨୦ ପ୍ରକାର ତୈଳବୀଜ ପେଡ଼ା ହେଉଛି। ଗ୍ରାହକମାନେ ମଧ୍ୟ ନିଜେ ଆଣିଥିବା ବୀଜ ସେଠାରେ ପେଡ଼ି ପାରୁଛନ୍ତି। ଗ୍ରାହକ ଆଗରେ ଘଣାରୁ ତେଲ ବାହାରୁଛି ଓ ଖାଣ୍ଟି‌ତେଲ କିଣି ଗ୍ରାହକ ଖୁସିରେ ନେଇଯାଉଛନ୍ତି। ରୂପାଲି ଛକ ପାଖରେ ଥିବା ଆସ୍ଥା ଘଣାତେଲର ମାଲିକ ମାନଗୋବିନ୍ଦ ଶତପଥୀ କହନ୍ତି, ୭ବର୍ଷ ହେଲା ସେ ଏହି ଘଣା ପକାଇଛନ୍ତି। ୨୦ କିଲୋଗ୍ରାମ୍‌ କ୍ଷମତାର ମେସିନର ଦାମ୍‌ ୩ଲକ୍ଷ ୩୦ ହଜାର ଟଙ୍କା। ତାଙ୍କ ପାଖରେ ଏମିତି ୩ଟି ‌ଯନ୍ତ୍ରଚାଳିତ ଘଣା ଅଛି। ସେ ସେଠାରେ ନିଜେ କାମ କରନ୍ତି, ସହାଯ୍ୟ କରିବାଲାଗି ଆଉଜଣେ ଅଛନ୍ତି। ଶୀତଦିନରେ ଘଣାତେଲ ଲୋକେ ଅଧିକ ନିଅନ୍ତି ବୋଲି ସେ କହନ୍ତି।

ଚାହିଦା ବଢ଼ିବାରୁ ଏବେ କେଶୁରାରେ ମଧ୍ୟ ଆଉ ଏକ ଦୋକାନ ଖୋଲିଛନ୍ତି। ଦୁଇଟି ‌ଦୋକାନରେ ଦୈନିକ ପ୍ରାୟ ୧୫୦ ଲିଟର ତେଲ ବିକ୍ରି ହେଉଛି। ସେଥିରୁ ଶତକଡ଼ା ୮୦ ଭାଗ ସୋରିଷ ତେଲ। ତାଙ୍କ ହିସାବ ଅନୁସାରେ, ୧କେଜି ସୋରିଷ ପେଡ଼ିଲେ ସେଥିରୁ ୩୫୦ ଗ୍ରାମ୍ ତେଲ ବାହାରିଥାଏ। ତେଣୁ ପ୍ରାୟ ଅଢ଼େଇ କେଜି ସୋରିଷରୁ ୧ଲିଟର ତେଲ ବାହାରିଥାଏ। ପେଡ଼ା ମଜୁରି ସହ ହିସାବ କଲେ ଏକ କେଜି ସୋରିଷ ତେଲ ପାଇଁ ୩୨୦ରୁ ୩୨୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏହା ବଜାରରେ ମିଳୁଥିବା ସାଧାରଣ ସୋରିଷ ତେଲର ଦରଠାରୁ ବେଶ୍‌ ଅଧିକ ନିଶ୍ଚୟ। କିନ୍ତୁ କିଛି ଲୋକ ଏହାକୁ ଖୋଜି ଖୋଜି କିଣୁଛନ୍ତି। ଡମଣା ଅଞ୍ଚଳରେ ଘଣା ସ୍ଥାପନ କରିଥିବା ଅନିରୁଦ୍ଧ ସାସମଲ କହିଲେ, କମ୍ପାନିର ପ୍ୟାକେଟ୍ ତେଲର ଦାମ୍‌ କମ୍ ଥିବାରୁ ଲୋକେ ସେଥିପ୍ରତି ଆଗ୍ରହ କଲେ। କିନ୍ତୁ ବର୍ତ୍ତମାନ ଘଣାତେଲ ପ୍ରତି ଆଗ୍ରହ ବଢ଼ୁଛି। କିଛି ଲୋକ ଏତିପାଇଁ ଅଧିକ ଟଙ୍କା ଦେବାକୁ ମଧ୍ୟ ରାଜି ଅଛନ୍ତି। ଏବେ କିଛି ବ୍ୟବସାୟୀ ଛୋଟ ଗାଡ଼ିରେ ମେସିନ୍‌ ତେଲଘଣାକୁ ନେଇ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲିବୁଲି ତେଲ ପେଡ଼ିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe