ଅଞ୍ଜଳି ଅନ୍ତର୍ଜାତୀୟ ଶିଶୁ ଉତ୍ସବର ଦ୍ୱିତୀୟ ଦିବସ: ଉତ୍ସାହ ଆଗରେ ଫିକା ପଡ଼ିଲା ବର୍ଷା

ଅଞ୍ଜଳି ଅନ୍ତର୍ଜାତୀୟ ଶିଶୁ ଉତ୍ସବର ଦ୍ୱିତୀୟ ଦିବସ: ଉତ୍ସାହ ଆଗରେ ଫିକା ପଡ଼ିଲା ବର୍ଷା

ଭୁବନେଶ୍ୱର: ସମସ୍ତଙ୍କ ମନରେ ଥିଲା ଭରପୂର ଉନ୍ମାଦନା। କେବେ ଚିହ୍ନାଜଣା ନଥିବା ପିଲାମାନେ ପରସ୍ପର ସହ ଖୁବ୍‌ ନିବିଡ଼ ଭାବେ ମିଶୁ ଥିଲେ। ସାରା ବିଶ୍ୱର ଏକତ୍ରିତ ହୋଇଥିବା ଶିଶୁଙ୍କ କୋଳାହଳ ଏକ ପରିବାରର ଭ୍ରମ ସୃଷ୍ଟି କରୁଥିଲା। ଏପରି ଏକ ନିଆର ଅନୁଭବର ଅବସର ସୃଷ୍ଟି ହୋଇଥିଲା ସ୍ଥାନୀୟ ଆଦିବାସୀ ପଡ଼ିଆରେ ‘ସ୍ୱାଭିମାନ’ ପକ୍ଷରୁ ଅନୁଷ୍ଠିତ ହେଉଥିବା ଅଞ୍ଜଳି ଅନ୍ତର୍ଜାତୀୟ ଶିଶୁ ମହୋତ୍ସବରେ।

କାଲିର ଉଦ୍‌ଘାଟନୀ ଉତ୍ସବ ପରେ ଆଜି ଶିଶୁମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଭରି ରହିଥିଲା। ଯଦିଓ ଆଜି ସାରା ଦିନ ବର୍ଷା ଲାଗି ରହିଥିଲା, କିନ୍ତୁ ଉତ୍ସବ ପାଳନରେ ଏହା ବିଶେଷ ପ୍ରଭାବ ପକାଇ ପାରି ନଥିଲା। ମେଳା ପରିସରକୁ ଯଦିଓ ବର୍ଷା ଧୋଇ ଦେଉଥିଲା, କିନ୍ତୁ ପିଲାଙ୍କ ମନରେ ଥିବା ଆନନ୍ଦର ଲହରୀକୁ ବର୍ଷା ଧୋଇ ପାରି ନଥିଲା। ବରଂ ବର୍ଷା ସହ ତାଳ ଦେଇ ବର୍ଷାକୁ ନେଇ କିପରି କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ ସେ ନେଇ ଯୋଜନା ଆରମ୍ଭ ହୋଇଥିଲା। ବରିଷ୍ଠ ସ୍ୱେଚ୍ଛାସେବୀ କାର୍ତିକ ଚନ୍ଦ୍ର ପଣ୍ଡା ବର୍ଷାକୁ ଆଖି ଆଗରେ ରଖି ‘ବର୍ଷା ଅନ୍ତାକ୍ଷରୀ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ସମସ୍ତ ଶିଶୁ ଓ ସେମାନଙ୍କ ପରିବାର ସାମିଲ ହୋଇ ବେଶ୍‌ ମଜା ଉଠାଇଥିଲେ। ଏତିକିରେ ବର୍ଷାକୁ ନେଇ ଖେଳ ସରି ନଥିଲା, ଜମ୍ମୁ କାଶ୍ମୀରର ନାସିର୍‌ ଅହମ୍ମଦ ବର୍ଷାରେ ଛତା ଧରି ଡ୍ୟାନ୍‌ସ କରିବାକୁ ପ୍ରସ୍ତାବ ଦେଇଥିଲେ। ଆଉ ଏହା ସମସ୍ତଙ୍କୁ ପସନ୍ଦ ଆସିଥିଲା। ତା’ ପରେ ବର୍ଷାରେ ଛତା ଧରି ପିଲାମାନେ ଧୁମ୍‌ ନାଚିବା ଆରମ୍ଭ କରି ଦେଇଥିଲେ ।

ଏଥିସହିତ ମ୍ୟାଜିକ୍‌ ପଛରେ କିପରି ବିଜ୍ଞାନ କାମ କରୁଛି ଏହା ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରାହଳୟର ବିଶେଷଜ୍ଞମାନେ ପିଲାମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିିଲେ। ନାଚ, ଗୀତ, ମ୍ୟାଜିକ୍‌ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା। କଟକର ମ୍ୟାଜିକ୍ସିଆନ୍‌ ସୁଧାଂଶୁ ଦାସଙ୍କ ଯାଦୁ କଳା ପ୍ରଦର୍ଶନ ପିଲାଙ୍କ ମନକୁ ବେଶ୍‌ ଛୁଇଁଥିଲା।

ଉତ୍ସବର ନୃତ୍ୟ କର୍ମଶାଳାର ମୁଖ୍ୟ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶାସ୍ୱତ ଯୋଶୀଙ୍କ ନୃତ୍ୟ ପ୍ରଦର୍ଶନ ସମସ୍ତଙ୍କୁ ଚମତ୍କତ କରିଥିଲା। ଦେଶ ବିଦେଶର ଶିଶୁ ଶାସ୍ୱତଙ୍କ ନୃତ୍ୟ ଦେଖି ଆମୋଦିତ ହୋଇଥିଲେ। ତାଳି ମାଧ୍ୟମରେ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ଅଞ୍ଜଳିର ପୁରୁଣା ସହଯୋଗୀ ହରିହର ଦେଓ ନିଜେ ନାଚିବା ସହ ସମସ୍ତଙ୍କୁ ନଚାଇଥିଲେ। ଉଶା ଭେଙ୍କଟରମଣ ପିଲାମାନଙ୍କୁ ଭୂତ କାହାଣୀ ଶୁଣାଇଥିଲେ। ବେଶ୍‌ ଉତ୍ସାହର ସହ ପିଲାମାନେ ଶେଷ ପର୍ଯ୍ୟନ୍ତ ତାଙ୍କ କାହାଣୀ ଶୁଣୁଥିବା ଦେଖା ଯାଇଥିଲା।

ଏହି ଅବସରରେ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠାନ ପକ୍ଷରୁ ଏକ ଶିଶୁ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଠାରେ ପୁରସ୍କାରପ୍ରାପ୍ତ ଶିଶୁ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା। ଏହାର ବିଚାରକ ଭାବେ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଅରୁଣା ମହାନ୍ତି, ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ ଓ ଶାସ୍ୱତ ଯୋଶୀ ପ୍ରମୁଖ ଯୋଗ ଦେଇଥିଲେ।

ଆଜି ସବୁଠୁ ଆକର୍ଷଣୀୟ କାର୍ଯ୍ୟକ୍ରମ ଥିଲା ସାନ୍ଧ୍ୟ ଅଧିବେଶନରେ ବିବିସି ସ୍କୁଲ୍‌ ଫର୍‌ ଡେପ୍ଥର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମ୍ୟାଜିକ୍‌ ପ୍ରଦର୍ଶନ। ମ୍ୟାଜିକ୍‌ ମାଧ୍ୟମରେ ଦିବ୍ୟାଙ୍ଗ ପିଲାଙ୍କ ଦକ୍ଷତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ସମସ୍ତପିଲାମାନଙ୍କୁ ଅତିଥିଗଣ ଅଭିନନ୍ଦନ ଜଣାଇଥିଲେ। ଏହି ଅଧିବେଶନରେ ଅତିଥି ଭାବେ ଗୁରୁଜୀ ପ୍ରଜ୍ଞାନନ୍ଦଜୀ ମହରାଜ, ପୁଲିସ ଆଇ.ଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱାଭିମାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୁତି ମହାପାତ୍ର ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe