the Centre for Chinese Contemporary Art
ଭୁବନେଶ୍ବର: ଅଣଚାଶ ବର୍ଷ ପରେ ପୁନଃ ଆରମ୍ଭ ହେବ ରେକର୍ଡ ସଂଗ୍ରହ ଅଭିଯାନ। ଅଭିଲେଖ ଭାବେ ସାଇତା ହେବ ବହୁ ଗୁରୁତ୍ବପୂର୍ଣ୍ଣ ରେକର୍ଡ। ଏନେଇ ସବୁ ସରକାରୀ ବିଭାଗକୁ ଚିଠି କରାଯିବ। ୧୯୭୦ ମସିହାରୁ ଅଟକିଥିବା ଏହି ଅଭିଯାନକୁ ପୁନଃ ଆରମ୍ଭ କରିବାକୁ ରାଜ୍ୟ ଅଭିଲେଖାଗାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସଂପ୍ରତି ରାଜ୍ୟ ଅଭିଲେଖାଗାରରେ ୧୮୦୩ ମସିହା ଓ ଏହା ପରର ବହୁ ଉପାଦେୟ, ବିରଳ, ଗୁରୁତ୍ବପୂର୍ଣ୍ଣ ରେକର୍ଡ ମହଜୁଦ ଅଛି। ସମ୍ବାଦପତ୍ର, ପତ୍ରିକାକୁ ବାଦ୍ ଦେଲେ କେବଳ ୧୯୭୦ ମସିହା ପର୍ଯ୍ୟନ୍ତ ବହୁ ଦପ୍ତରର ରେକର୍ଡ ଅଭିଲେଖାଗାରରେ ସାଇତା ଯାଇଛି। ଏନେଇ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ କହିଛନ୍ତି, କୌଣସି ଦପ୍ତର ବା ସରକାରୀ କାର୍ଯ୍ୟାଳୟରେ କୌଣସି ସରକାରୀ ନଥିପତ୍ର ୩୦ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଏ। ୩୦ବର୍ଷ ପରେ ଏଗୁଡ଼ିକୁ ନଷ୍ଟ କରି ଦିଆଯାଏ ନଚେତ୍ ଅଭିଲେଖାଗାରକୁ ଦିଆଯାଏ। ୧୯୭୦ପରଠୁ ଏପର୍ଯ୍ୟନ୍ତ ୪୯ବର୍ଷ ବିତି ଯାଇଥିବାରୁ ଦପ୍ତରମାନଙ୍କରେ ମହଜୁଦ ଥିବା ଗୁରୁତ୍ବପୂର୍ଣ୍ଣ, ବିରଳ ଓ ଆବଶ୍ୟକୀୟ ନଥି ତଥା ରେକର୍ଡ ସଂଗ୍ରହ କରାଯିବ। ଅଭିଲେଖାଗାରର ରେକର୍ଡ ମ୍ୟାନେଜମେଣ୍ଟ୍ ପଲିସି ଅନୁଯାୟୀ, ସେଇ ସବୁ ରେକର୍ଡଗୁଡ଼ିକୁ ସଂଗ୍ରହ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀମତୀ ମନ୍ତ୍ରୀ କହିଛନ୍ତି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଅଭିଲେଖାଗାରରେ ଏକ ଫିଲ୍ମ ଅଭିଲେଖାଗାର ପ୍ରସ୍ତୁତ ହେବ। ଯେଉଁଠି ଓଡ଼ିଆ ଚଳଚ୍ଚିତ୍ର ସହ ଜଡ଼ିତ ପୋଷ୍ଟର, ଗ୍ରାମୋଫୋନ୍ ରେକର୍ଡ, ସଂଗୀତର ରେକର୍ଡ ଭଳି ସମସ୍ତ ପ୍ରକାରର ରେକର୍ଡକୁ ସାଇତାଯିବ।
ସିଧାସଳଖ ଇଣ୍ଟରନେଟ୍ରେ ମିଳିବନି ରେକର୍ଡ ଇମେଜ୍
ରେକର୍ଡ ତଥା ପୁରୁଣା ନଥିଗୁଡ଼ିକୁ ଡିଜିଟାଇଜେସନ୍ କରାଯାଉଛି ବୋଲି ଯେ ସେଗୁଡ଼ିକ ସିଧାସଳଖ ଯୋଉଠି ନାଇଁ ସେଇଠି ଥାଇ ଇଣ୍ଟରନେଟ୍ରୁ ପ୍ରାପ୍ତ ହୋଇଯିବେ ତାହା ନୁହେଁ। ଅଭିଲେଖାଗାରର କିଛି ନିର୍ଦିଷ୍ଟ ଗାଇଡ୍ଲାଇନ୍ ଥିବାରୁ ଏସବୁ ରେକର୍ଡକୁ ସିଧାସଳଖ ଇଣ୍ଟରନେଟ୍ରେ ଛଡ଼ାଯିବ ନାହିଁ, ବରଂ ଜଣେ ଗବେଷକ ବା ସ୍କଲାର ଚାହିଁଲେ କେବଳ ନିଜର ଗବେଷଣାତ୍ମକ ବିଷୟ ଉପରେ ତଥ୍ୟ ମହଜୁଦ ଅଛି ନା ନାହିଁ, ତାହା ସେ ଅଭିଲେଖାଗାରର ୱେବ୍ସାଇଟ୍ ‘odishaarchieves.nic.in’ରୁ ପାଇପାରିବ। ଏହା ଜାଣିବା ପରେ ସେ ଅଭିଲେଖାଗାରରୁ ସମ୍ପୃକ୍ତ ରେକର୍ଡ ବାବଦରେ ତଥ୍ୟ ପାଇଁ ଅଭିଲେଖାଗାରକୁ ଆବେଦନ କରିପାରିବ।
ଦେଖିବାକୁ ମିଳିବ ଗ୍ରାମୋଫୋନ୍ ରେକର୍ଡ
ଅନ୍ତର୍ଜାତୀୟ ଅଭିଲେଖାଗାର ଦିବସ ପରିପ୍ରେକ୍ଷୀରେ ଆସନ୍ତାକାଲିଠୁ ଅଭିଲେଖାଗାର ପରିସରରେ ଓଡ଼ିଆ ଚଳଚ୍ଚିତ୍ରର ବିରଳ ଗ୍ରାମୋଫୋନ୍ ରେକର୍ଡ ପ୍ରଦର୍ଶିତ ହେବ। ସେତେବେଳ ସମୟରେ ଓଡ଼ିଆ ଚଳଚ୍ଚିତ୍ର ସଂଗୀତ ଉପଲବ୍ଧ ହେଉଥିବା ଗ୍ରାମୋଫୋନ୍ ରେକର୍ଡ ସମେତ ସେଥିରେ ସଂଗୀତ ନିର୍ଦେଶନା, କଣ୍ଠଦାନ କରିଥିବା ଏବଂ ପ୍ରତ୍ୟେକ ଗୀତ ସମ୍ବନ୍ଧରେ ଜାଣିବାକୁ ସୁଯୋଗ ଦେବ ଏହି ସ୍ବତନ୍ତ୍ର ପ୍ରଦର୍ଶନୀ। ପ୍ରାୟ ୪୦ଟା ଫିଲ୍ମର ଗ୍ରାମୋଫୋନ୍ ସଂଗୀତ ରେକର୍ଡର ପ୍ରଚ୍ଛଦ ଓ ରେକର୍ଡ ଦେଖିବାର ସୁଯୋଗ ମିଳିବ। ୭ଦିନ ପର୍ଯ୍ୟନ୍ତ ଏହା ଅଭିଲେଖାଗାରରେ ପ୍ରଦର୍ଶିତ ହେବ।
ଡିଜିଟାଇଜେସନ୍ ହୋଇଛି ୩୫ଲକ୍ଷ ଇମେଜ୍
ବାସ୍ତବରେ କାଗଜର ବୟସ ୧୦୦ ବର୍ଷ। କାଗଜକୁ ଟ୍ରିଟ୍ମେଣ୍ଟ୍ କରି ଅତି ବେଶିରେ ଆଉ ଶହେ ବର୍ଷ ଏହାକୁ ସଂରକ୍ଷଣ କରାଯାଇପାରିବ। ଏହାକୁ ଦୃଷ୍ଟିରେ ରଖି ଅଭିଲେଖାଗାରରେ ମହଜୁଦ ଥିବା କାଗଜ ରେକର୍ଡ ସବୁକୁ ୨୦୧୨-୧୩ ପରଠୁ ଡିଜିଟାଇଜେସନ୍ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତମାନ ସୁଦ୍ଧା ରାଜ୍ୟ ଅଭିଲେଖାଗାରରେ କେବଳ କାଗଜପତ୍ର ରେକର୍ଡ ୬ଲକ୍ଷ ରହିଛି। ଏହାକୁ ଯଦି ପ୍ରତି ପୃଷ୍ଠା ତଥା ଇମେଜ୍ ଅନୁସାରେ ବିଚାର କରାଯାଏ ତେବେ ଏହା ପାଖାପାଖି ୧୦ କୋଟି ହେବ। ଏଥିମଧ୍ୟରୁ ବର୍ତମାନ ସୁଦ୍ଧା ୩୫ଲକ୍ଷ ଇମେଜ୍ ଡିଜିଟାଇଜେସନ୍ କରାଯାଇଛି। ବହୁ ଦାମୀ ୨ଟି ସ୍କାନରରେ ଏଗୁଡ଼ିକୁ ସ୍କାନ୍ କରି ୩ଟି ସ୍ଥାନ (ପ୍ରକ୍ରିୟା)ରେ ସଂରକ୍ଷଣ କରାଯାଉଛି। ଅର୍ଥାତ ସାନ୍ ଷ୍ଟୋରେଜ୍ରେ ସଂରକ୍ଷଣ ହୋଇଥିବା ରେକର୍ଡ ଯଦି କୌଣସି ବି କାରଣରୁ କରପ୍ଟ ହୋଇଯାଏ ତେବେ ଅନ୍ୟ ଦୁଇଟିରେ ମହଜୁଦ ଥିବା ଇମେଜ୍କୁ ପୁନଃ ସାନ୍ ଷ୍ଟୋରେଜ୍କୁ ସ୍ଥାନାନ୍ତର କରାଯାଇପାରିବ।
Follow Us