ସରିଲା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ : ଓଡ଼ିଆ ସଂସ୍କୃତିର ମହନୀୟତାକୁ ବୁଝ

Advertisment
ସରିଲା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ : ଓଡ଼ିଆ ସଂସ୍କୃତିର ମହନୀୟତାକୁ ବୁଝ

ଭୁବନେଶ୍ୱର : କଳା ଓ କଳାକାରଙ୍କୁ ଆଧାର କରି ଇଡ୍‌କଲ୍‌ରେ ଆୟୋଜିତ ଜେଡିସିଏ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପରଦା ନଇଁଛି। ଶେଷ ଦିନରେ ୧୭ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଆଜି ମନୋଜ ଦାସଙ୍କ ରଚିତ ଏବଂ ରାଜୁ ମିଶ୍ରଙ୍କ ନିର୍ଦେଶିତ ‘ଲକ୍ଷ୍ମୀର ଅଭିସାର’ରୁ ଆରମ୍ଭ ହୋଇଥିଲା ଚଳଚ୍ଚିତ୍ର ପ୍ରଦର୍ଶନୀ। ମନୋଜ ଦାସ ସ୍ୱୟଂ ଉପସ୍ଥିତ ରହି ଉପସ୍ଥିତ ଦର୍ଶକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ପରେ ବହୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସହ ଗୌରହରି ଦାସଙ୍କ ରଚିତ ଏବଂ ନିରଦ ମହାପାତ୍ରଙ୍କ ନିର୍ଦେଶିତ ‘ଅହଲ୍ୟାର ବାହାଘର’ ପ୍ରଦର୍ଶିତ ହୋଇଥିଲା।

ଉଦ୍‌ଯାପନୀ ସନ୍ଧ୍ୟାରେ ପୂର୍ବତନ ରାଷ୍ଟ୍ରଦୂତ ଲଳିତ ମାନସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ଉତ୍କଷ୍ଟତା ଅନନ୍ୟ। ଭୁବନେଶ୍ୱରର ପ୍ରତି ବର୍ଗଫୁଟରରେ ରାଜ୍ୟର କାହାଣୀ ଲୁଚିରହଛି। ମହନୀୟ ସଂସ୍କୃତିର ଦାୟାଦ ହୋଇଥିଲେ ହେଁ ଏହାର ମହତ୍ତ୍ୱ ଆମେ ଏଯାଏଁ ବୁଝିପାରିନାହୁଁ। ତେଣୁ ଆମେ ଆମ ସଂସ୍କୃତି ଓ ଇତିହାସର ଗାମ୍ଭୀର୍ଯ୍ୟ ଓ ମହାନୀୟତାକୁ ବୁଝିବାକୁ ପଡ଼ିବ ବୋଲି ସେ କହିଥିଲେ।

ଇନ୍‌ଟାକ୍‌ର ଅଧ୍ୟକ୍ଷ ମେଜର ଜେନେରାଲ୍‌ ଏଲ୍‌କେ ଗୁପ୍ତା କହିଲେ, ଦେଶର ଅଧିକାଂଶ ଐତିହ୍ୟ ଓ କୀର୍ତିରାଜି ଧ୍ୱଂସାଭିମୁଖୀ। ତେଣୁ ଏହା ଉପରେ ଅଧିକ ଗବେଷଣା ଆବଶ୍ୟକ। ଇନ୍‌ଟାକ୍‌ ପକ୍ଷରୁ ଗବେଷଣା ପାଇଁ ୧ରୁ ୩ଲକ୍ଷ ଟଙ୍କା ରିସର୍ଚ ଗ୍ରାଣ୍ଟ୍‌ ପ୍ରଦାନ କରାଯାଉଛି।

କାର୍ଯ୍ୟକ୍ରମରେ ଜେଡିସିଏର ଅଧ୍ୟକ୍ଷ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସ ସ୍ୱାଗତ ଭାଷଣ ଦେବା ସହ ଓଡ଼ିଶା ସରକାର ଅନ୍ୟ ବେସରକାରୀ ଅନୁଷ୍ଠାନ ସହ ହାତ ମିଳାଇ ଐତିହ୍ୟ ଓ ସଂସ୍କୃତି ଦିଗରେ କାମ କରିବାକୁ ଆଗେଇ ଆସୁ ବୋଲି କହିଥିଲେ। ବିଶିଷ୍ଟ ଫଟୋଗ୍ରାଫର ପଦ୍ମଶ୍ରୀ ରଘୁ ରାୟ, ଶିଳ୍ପୀ ଦୁର୍ଗାପ୍ରସାଦ ଦାସ, ଉତ୍ସବର ନିର୍ଦେଶକ ଅରୁଣା ବାସୁଦେବ, ଉପସଭାପତି ସିଦ୍ଧାର୍ଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଯୁବ ଚଳଚ୍ଚିତ୍ର ନିର୍ମାତା ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ଓ ପ୍ରଣବ ଆଇଚଙ୍କୁ ସମ୍ବର୍ଧିତ କରାଯାଇଥିଲା।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe