ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ପ୍ରସଙ୍ଗ : ଫେରାର ସଂପାଦକଙ୍କ ଗୁମର ଫିଟୁଛି

Advertisment

ମହିଳା ଟେଲରିଂ ଇନ୍‌ଷ୍ଟ୍ରକ୍ଟର ବି ଫେରାର, ୨ ବର୍ଷ ତଳର ଅଭିଯୋଗକୁ ଚାପି ଦେଇଛନ୍ତି

ମହିଳା ଟେଲରିଂ ଇନ୍‌ଷ୍ଟ୍ରକ୍ଟର ବି ଫେରାର, ୨ ବର୍ଷ ତଳର ଅଭିଯୋଗକୁ ଚାପି ଦେଇଛନ୍ତି

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ କେଳେଙ୍କାରୀ ମ‌ାମଲା : ମିଳୁନି କାଗଜପତ୍ର, ଭଙ୍ଗାହେବ ଆଲମିରା

ଭୁବନେଶ୍ବର : ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲାରେ ଫେରାର ସମ୍ପାଦକଙ୍କର ଗୁମର ଫିଟିବାରେ ଲାଗିଛି। ଅନୁଷ୍ଠାନ ଭିତରେ ତାଙ୍କୁ ସହଯୋଗ କରୁଥିବା ଜଣେ ମହିଳା ଟେଲରିଂ ଇନ୍‌ଷ୍ଟ୍ରକ୍ଟର ମଧ୍ୟ ଫେରାର ହୋଇ ଯାଇଛନ୍ତି। ଅଧିକ ତଥ୍ୟ ପାଇଁ ଏୟାରପୋର୍ଟ ଥାନା ପୁଲିସ ଯୋଗାଯୋଗ କରିବାକୁ ଚାହିବା ବେଳେ ତାଙ୍କ ପତ୍ତା ମିଳୁନି। ସେ ଏଭଳି ଅନ୍ତର୍ଧାନ ହୋଇଯାଇଥିବାରୁ ଏହି ସଂଗିନ ମାମଲ‌ାରେ ତାଙ୍କର ସମ୍ପୃକ୍ତି ନେଇ ଯେଉଁ ଅଭିଯୋଗ ରହିଥିଲା ତାହା ସତ ହୋଇପାରେ ବୋଲି ବିଚାର କରାଯାଉଛି। ଏହି ମହିଳା ଟେଲରିଂ ଇନ୍‌ଷ୍ଟ୍ରକ୍ଟର ସମ୍ପାଦକ‌ ସୁରେଶ ବେହେରାଙ୍କର ଅନ୍ୟତମ ପ୍ରମୁଖ ସହଯୋଗୀ ଥିଲେ। କୋଭିଡ୍‌ ସମୟରେ ଏଠାରୁ ସମସ୍ତଙ୍କୁ ତଡ଼ି ଦିଆଯାଇଥିବା ବେଳେ କେବଳା ତାଙ୍କୁ ହିଁ ଏଠାରେ ରଖା ଯାଇଥିଲା। ପୁରୁଣା କର୍ମଚାରୀଙ୍କୁ ଏଠାରୁ ହଟାଇବାରେ ସୁରେଶଙ୍କୁ ସେ ସହାୟତା କରୁଥିବା ଅଭିଯୋଗ ରହିଥିଲା।

publive-image Sambad English

ଅନ୍ୟପକ୍ଷରେ ଫେରାର ଅଭିଯୁକ୍ତ ସମ୍ପାଦକ ସୁରେଶ ବେହେରାଙ୍କୁ ଧରିବା ପାଇଁ ଏୟାରପୋର୍ଟ ଥାନା ପୁଲିସ ସ୍ବତନ୍ତ୍ର ଟିମ୍‌ କରି ଚଢ଼ଉ ଜାରି ରଖିଥିଲେ ମଧ୍ୟ ଧରିବାକୁ ସକ୍ଷମ ହୋଇ ନାହିଁ। ସୁରେଶ ଅନ୍ତରୀଣ ସୁରକ୍ଷା ପାଇଁ ହାଇକୋର୍ଟରେ ପହଞ୍ଚିଥିବା କୁହାଯାଉଛି। ଅନ୍ୟପଟେ ଦୁଇବର୍ଷ ତଳେ ତାଙ୍କ ବିରୋଧରେ ଅନୁରୂପ ଅଭିଯୋଗ ହୋଇଥିଲେ ମଧ୍ୟ ତଦନ୍ତ କରା ନ ଯାଇ ଚପାଇ ଦିଆଯାଇଥିବା ଅଭିଯୋଗ ଆସିଛି।

ସୂଚନାଯୋଗ୍ୟ, ନୂଆପଡ଼ା ସିନାପାଲ୍ଲୀ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀ ଏହି ଅନୁଷ୍ଠାନରେ ବିୟୁଟି ପାର୍ଲର ଇନ୍‌ଷ୍ଟ୍ରକଟର ପଦରେ ଚାକିରି କରିଥିଲେ। ମାସକୁ ୭ ହଜାର ୨ଶହ ଟଙ୍କା ଦରମା ଚୁକ୍ତିରେ ଚାକିରି ମିଳିଥିଲେ ମଧ୍ୟ ତାଙ୍କୁ ପ୍ରାପ୍ୟ ନ ଦେଇ ତତ୍‌କାଳୀନ ସମ୍ପାଦକ ସୁରେଶ ବେହେରା ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।

ଅଜଣା ନମ୍ବରରୁ ପୀଡ଼ିତାଙ୍କୁ ଧମକ
ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ ନଥିବାବେଳେ ପୀଡ଼ିତାଙ୍କୁ ଅଜଣା ନମ୍ବରରୁ ଧମକପୂର୍ଣ୍ଣ କଲ୍ ଆସିବାରେ ଲାଗିଛି। ମାମଲା ଉଠାଇ ଦେବା ପାଇଁ ଧମକ ଆସିବା ପରେ ସେ ଆଜି ତଦନ୍ତକାରୀ ଅଧିକାରୀଙ୍କୁ ଏ ନେଇ ଅବଗତ କରାଇଛନ୍ତି। ଅଭିଯୁକ୍ତକୁ ତୁରନ୍ତ ଧରିବା ପାଇଁ ସେ ଅନୁରୋଧ କରିଛନ୍ତି। ପୁଲିସ ଗିରଫ ନ କରି ତାଙ୍କୁ ଅନ୍ତରୀଣ ସୁରକ୍ଷା ପାଇଁ ସୁଯୋଗ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସ୍ବତନ୍ତ୍ର ଟିମ୍‌ ଅଭିଯୁକ୍ତକୁ ଖୁବ୍‌ଶୀଘ୍ର ଧରିବ ବୋଲି ପୁଲିସ କହିଛି।

ସୁରେଶଙ୍କ ନାଁରେ ମାଳମାଳ ଅଭିଯୋଗ
ସଂପାଦକ ସୁରେଶ ବେହେରାଙ୍କ ନାମରେ ଏଭଳି ମାଳମାଳ ଅଭିଯୋଗ ରହିଛି। ଗୋଲକ ଚନ୍ଦ୍ର ମହାନ୍ତି କରିଥିବା ଅଭିଯାଗ ମୁତାବକ, ସନ୍ଧ୍ୟା ହେଲେ ଏଠାରେ ମଦର ଆସର ଜମେ। ବାହାରେ କୁକୁର ବାନ୍ଧି କାହାରିକୁ ପ୍ରବେଶ କରିବାକୁ ଦିଆଯାଏ ନାହିଁ। ଉପରିସ୍ଥ ଅଧିକାରୀ ତଦନ୍ତ କରିବାକୁ ରାତିରେ ଆସନ୍ତି। ଭିତରେ ଯୌନ କେଳେଙ୍କାରୀ ଚାଲେ। ୫ ବର୍ଷ ହେଲା ଏଠାରେ କୁକାର୍ଯ୍ୟ ଚାଲିଛି। ୪୦ ବର୍ଷର ପୁରୁଣା ଅନୁଷ୍ଠାନକୁ ସୁରେଶ ବେହେରା ନଷ୍ଟ କରି ସାରିଲେଣି। ଏଣୁ ଏସବୁର ତଦନ୍ତ ହେଉ। ଏହି ଅଭିଯୋଗର ତଦନ୍ତ ଖୋଦ ଉପଜିଲ୍ଲାପାଳ କରିଛନ୍ତି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ପ୍ରମିଳା ସାହୁ ଓ ସଂଯୁକ୍ତା ରାଉତରାୟ ଏଠାରେ ୨୦୧୮ ମସିହାରେ ପ୍ରଶିକ୍ଷଣ ନେଇଥିଲେ। ହେଲେ ସେମାନଙ୍କୁ ପ୍ରାପ୍ୟ ଦିଆଯାଇନାହିଁ। ଏ ନେଇ ସେମାନେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି।

ସେହିଭଳି ଏଠାରେ ରବିନାରାୟଣ ସାହୁ ଓ ସଂଯୁକ୍ତା ବେହେରା ନାମରେ ଏକ ଦିବ୍ୟାଙ୍ଗ ଦମ୍ପତି ଚାକିରି କରୁଥିଲେ। ଅନୁଷ୍ଠାନ ପରିସରରେ ସେମାନେ ଏକ ଚାଳିଆ କରି ରହୁଥିଲେ। ସେମାନେ ଏହି ସବୁ ଅନୈତିକ କାର୍ଯ୍ୟ ସମ୍ବନ୍ଧରେ ଜାଣିବା ପରେ ସେମାନଙ୍କର ଚାଳିଆ ଭାଙ୍ଗି ଦିଆଯିବା ସହ ଜିନିଷପତ୍ର ଫିଙ୍ଗି ଦିଆଯାଇଥିଲା। ଏ ନେଇ ମାମଲା ଥାନାକୁ ଯାଇଥିଲା। ହେଲେ ଦିବ୍ୟାଙ୍ଗ ଦମ୍ପତିଙ୍କ ନାମରେ ପାଲଟା ଅଭିଯୋଗ ଆସିଥିଲା। ଶେଷରେ ଉଭୟଙ୍କୁ ସେଠାରୁ ତଡ଼ି ଦିଆଯାଇଥିଲା।

ଏମିତି ମାଳମାଳ ଅଭିଯୋଗ ସତ୍ତ୍ବେ ବିଶ୍ବ ଭିନ୍ନକ୍ଷମ ଦିବସରେ ଅଭିଯୁକ୍ତ ସମ୍ପାଦକଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ମିଳିଥିଲା। ଏଥିପାଇଁ ସେହି ସମୟରେ ବିବାଦ ମଧ୍ୟ ହୋଇଥିଲା। ବିଭିନ୍ନ ମହଲରୁ ଏହାକୁ ବିରୋଧ କରାଯାଇଥିଲେ ମଧ୍ୟ କୌଣସି ଫଳ ହୋଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe