ବିଧାୟକ କ୍ବାର୍ଟର୍ସ ନିର୍ମାଣ ପାଇଁ ଗଛକଟା ପ୍ରସଙ୍ଗ: ବଦଳିବ ଗଛ ଠିକଣା

Advertisment
ବିଧାୟକ କ୍ବାର୍ଟର୍ସ ନିର୍ମାଣ ପାଇଁ ଗଛକଟା ପ୍ରସଙ୍ଗ: ବଦଳିବ ଗଛ ଠିକଣା

ଭୁବନେଶ୍ବର : ବିଧାୟକ କ୍ବାର୍ଟର୍ସରେ ଥିବା ଗଛର ଠିକଣା ବଦଳିବ। ସହର ଭିତରେ ଅନ୍ୟତ୍ର ସ୍ଥାନାନ୍ତର ହେବ। ପାର୍କ, ଖୋଲା ପଡ଼ିଆ, ଖେଳ ପଡ଼ିଆ ଆଦି ସ୍ଥାନକୁ ଗଛଗୁଡ଼ିକୁ ସ୍ଥାନାନ୍ତର କରାଯାଇ ପୁନଃ‌ରୋପଣ କରାଯିବ। ଦିଲ୍ଲୀ ପରି ସହରରେ ବ୍ୟବହୃତ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଏହି ସ୍ଥାନାନ୍ତର ପ୍ରକ୍ରିୟା ହେବ। ବିଧାୟକଙ୍କ କ୍ବାର୍ଟର୍ସ ନିର୍ମାଣ ଦାୟିତ୍ବ ନେଇଥିବା ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କଷ୍ଟ୍ରକସନ୍‌ କର୍ପୋରେସନ୍‌(ଓବିସିସି) ଓ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ମିଳିତ ଭାବେ ସ୍ଥାନାନ୍ତର କାର୍ଯ୍ୟ କରିବେ। ଆସନ୍ତା ୪ମାସ ତଥା ବର୍ଷା ଋତୁରେ ଏହି ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିସହ ବିଧାୟକଙ୍କ ଲାଗି ନିର୍ମାଣ ହେବାକୁ ଥିବା ବହୁତଳ କୋଠା ନିର୍ମାଣର ନକ୍ସା ବଦଳାଇବାକୁ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବହୁତଳ କୋଠା ନିର୍ମାଣ ଲାଗି ବିଧାୟକ କ୍ବାର୍ଟର୍ସ ମଧ୍ୟରୁ ୭୮୦ ଗଛ କାଟିବାକୁ ଧାର୍ଯ୍ୟ ହୋଇଥିଲା। ମାତ୍ର ଗତ ୫ମାସ ତଥା ଜାନୁଆରିରୁ ମେ’ ମଧ୍ୟରେ ୩୫୪ଟି ଗଛ କଟାଯାଇଛି। କଟାଯାଇଥିବା ଗଛଗୁଡ଼ିକ ମଧ୍ୟରେ ଅଧିକାଂଶ ୬୦ରୁ ୭୦ବର୍ଷ ତଳର। ରାଜଧାନୀ ପ୍ରତିଷ୍ଠା ହେବା ସମୟର କିଛି ଗଛ ମଧ୍ୟ ଏଥିରେ ରହିଛି। ବର, ଆମ୍ବ, ପଣସ, ଜାମୁ, କରଞ୍ଜ, କଦମ୍ବ, ଦେବଦାରୁ ପ୍ରଭୃତି ବିଶାଳ ବୃକ୍ଷ କଟାଯାଇଥିବାରୁ ବିଭିନ୍ନ ସଙ୍ଗଠନ ବିରୋଧ କରିଥିଲେ। ଏବେ ଆଉ ଗଛ ନ କଟିବାକୁ ସ୍ଥିର ହୋଇଛି। ଦୁଇ ଦିନ ହେଲା ଗଛ କଟା ସ୍ଥଗିତ ରଖାଯାଇଛି। ଯେଉଁ ୪୦୦ରୁ ଅଧିକ ଗଛ ବଞ୍ଚି ରହିଛି, ତାହାର ସୁରକ୍ଷା ସହ ବିଧାୟକଙ୍କ ବାସଭବନ ନିର୍ମାଣ ଦିଗରେ ପଦ‌କ୍ଷେପ ନିଆଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ବଞ୍ଚି ରହିଥିବା ଗଛଗୁଡ଼ିକର ସର୍ଭେ କରାଯିବ। କେଉଁ ଗଛ ସ୍ଥାନାନ୍ତର ଯୋଗ୍ୟ, ତାହାକୁ ଚିହ୍ନଟ କରାଯିବ। ୪୦ରୁ ୫୦ବର୍ଷ ତଳର ବଡ଼ ଗଛ ହୋଇଥିଲେ ତାହାକୁ ସ୍ଥାନାନ୍ତର କରାଯିବା ସହଜ ହେବ ନାହିଁ। ବଡ଼ ବରଗଛକୁ ସ୍ଥାନାନ୍ତର କରିବା ସମ୍ଭବପର ନୁହେଁ।

ପାର୍କ, ଖୋଲାସ୍ଥାନକୁ ସ୍ଥାନାନ୍ତର ହେବ
ଜାଗା ଚିହ୍ନଟ କରିବେ ଜିଏ, ବିଡିଏ
ବିଲଡିଂ ନକ୍ସା ବଦଳାଇବ ଓବିସିସି
ବର୍ଷା ଋତୁରେ ଗଛ ସ୍ଥାନାନ୍ତର ସରିବ

publive-image

ତେଣୁ ଯେଉଁ ଗଛ ସ୍ଥାନାନ୍ତର ହୋଇପାରିବ, ତାହାକୁ ଚିହ୍ନଟ ଲାଗି ଏକ ଟିମ୍‌ ଗଠନ କରାଯିବ। ଏଥିରେ ଓଏଫ୍‌ଡିସି, ଓବିସିସି ଓ ବିଡିଏର ଅଧିକାରୀମାନେ ରହିବେ। ସ୍ଥାନାନ୍ତର ହେବାକୁ ଥିବା ଗଛ ଚିହ୍ନଟ ହେବା ପରେ ତାହା କେଉଁଠି ରୋପଣ କରାଯିବ ଉକ୍ତ ସ୍ଥାନ ଚିହ୍ନଟ ହେବ। ସାଧାରଣ ପ୍ରଶାସନ ବିଭାଗ ଓ ବିଡିଏ ମିଳିତ ଭାବେ ଗଛ ଲଗାଇବା ସ୍ଥାନ ଚିହ୍ନଟ କରି ରିପୋର୍ଟ ଦେବା ପରେ ପ୍ରକ୍ରିୟା ଆରମ୍ଭ କରାଯିବ। ଓବିସିସି ଓ ଓଏଫ୍‌ଡିସି ଗଛ ସ୍ଥାନାନ୍ତରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଗଛ ସାଇଜ୍‌ ଦେଖି ତାହା କେଉଁ ସ୍ଥାନରେ ଲଗାଯିବ ଓଏଫ୍‌ଡିସି ତାହା ଧାର୍ଯ୍ୟ କରିବ। ସ୍ଥାନାନ୍ତର ବାବଦରେ ହେବାକୁ ଥିବା ଖର୍ଚ୍ଚ ଓବିସିସି ଦେବ। ସ୍ଥାନାନ୍ତର ଲାଗି ଆବଶ୍ୟକ ହେଉଥିବା ମେସିନ୍‌ ତଥା ସାମଗ୍ରୀ ଯଦି ଓଡ଼ିଶାର କୌଣସି ସ୍ଥାନରେ ରହିଥିବ, ତେବେ ଭଡ଼ା ସୂତ୍ରରେ ତାହାକୁ ଆଣି ଗଛଗୁଡ଼ିକୁ ସ୍ଥାନାନ୍ତର କରାଯିବ। ନ ହେଲେ ନୂଆ ମେସିନ୍‌ କିଣାଯାଇ ସ୍ଥାନାନ୍ତର ପ୍ରକ୍ରିୟା ହେବ।

ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କୋଠାରେ ବିଧାୟକମାନଙ୍କ ରହିବା ପାଇଁ ପ୍ରାୟ ୧୫୦ଟି ଟାଇପ୍‌-୭ ଆପାର୍ଟମେଣ୍ଟ ରହିବ। ଏଥିରେ ଜଗିଙ୍ଗ୍୍‌ ମାର୍କେଟ୍‌ କମ୍ପ୍ଲେକ୍ସ, ବ୍ୟାୟାମସ୍ଥଳ, ଏକକାଳୀନ ୨୦୦୦ରୁ ୩୦୦୦ ଲୋକ ଭୋଜି ଖାଇବା ଭଳି କଲ୍ୟାଣ ମଣ୍ଡପ, ରେଳ ଓ ବିମାନ ଟିକେଟ୍ ବୁକିଂ କାଉଣ୍ଟର୍‌, ଚିକିତ୍ସା ସୁବିଧା, ପୁଲିସ ଷ୍ଟେସନ୍ ଓ ଅନ୍ୟାନ୍ୟ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ରହିବ। କୋଠାର ତଳ ଅଞ୍ଚଳରେ ପାର୍କିଂ ବ୍ୟବସ୍ଥା ରହିବ। ତେଣୁ ଗଛଗୁଡ଼ିକୁ କାଟିବା ନିହାତି ଆବଶ୍ୟକ ଥିଲା ବୋଲି ଓବିସିସି ପକ୍ଷରୁ ଆଜିର ବୈଠକରେ କୁହାଯାଇଛି। ପ୍ରସ୍ତୁତ ହୋଇଥିବା ନକ୍ସା ଚୂଡ଼ାନ୍ତ ହୋଇ ନ ଥିବାରୁ ତାହାକୁ ବଦଳାଇବାକୁ ଓବିସିସିକୁ କୁହାଯାଇଛି। ଯେଉଁ ଗଛ ସ୍ଥାନାନ୍ତର ହୋଇପାରିବ ନାହିଁ, ତାହାକୁ କିଭଳି ସୁରକ୍ଷା ଦେଇ ନିର୍ମାଣ କରାଯାଇପାରିବ ତାହାକୁ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି। ଓବିସିସିର ଏକ ଟିମ୍‌ ନିର୍ମାଣ ଅଞ୍ଚଳକୁ ଗସ୍ତ କରି ନୂଆ ନକ୍ସା ପ୍ରସ୍ତୁତ କରି ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଆଜିର ବୈଠକରେ ସ୍ଥିର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe