ଗଛ ଲଗାଇ ତାକୁ ବଡ଼ କରିବା ଗୁରୁଦାୟିତ୍ବ ହେଉ: ସୌମ୍ୟରଞ୍ଜନ

ଗଛ ଲଗାଇ ତାକୁ ବଡ଼ କରିବା ଗୁରୁଦାୟିତ୍ବ ହେଉ: ସୌମ୍ୟରଞ୍ଜନ

ଚନ୍ଦ୍ରଶେଖରପୁର: ଖାଲି ଚାରାଟିଏ ରୋପଣ କରିଦେଲେ ହେବ ନାହିଁ। ତା’ର ଉଚିତ ଦାୟିତ୍ବ ନେଇ ତାକୁ ବଡ଼ କରିବା ଆମ ସମସ୍ତଙ୍କର ମୁଖ୍ୟ କର୍ତ୍ତବ୍ୟ ହେବା ଆବଶ୍ୟକ। ଜନସାଧାରଣଙ୍କର ଧନ ଜୀବନର ସୁରକ୍ଷା ଦାୟିତ୍ବ ନେଉଥିବା ପୁଲିସ କର୍ମୀମାନେ ଏହି କାମଟି ସୂଚାରୁରୂପେ ତୁଲାଇ ପାରିବେ। ଆଜି ପ୍ରେରଣା ଇଣ୍ଟରନ୍ୟାସନାଲ୍ ଗ୍ରିନ୍ ଆର୍ମି ପକ୍ଷରୁ ସପ୍ତମ ବାଟାଲିୟନ୍‌ ପରିସରରେ ଆୟୋଜିତ ନବବର୍ଷ ଆରମ୍ଭରୁ ବୃକ୍ଷରୋପଣ ଅଭିଯାନ କାର୍ଯ୍ୟକ୍ରମର ଉଦ୍‌ଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପୁଲିସ କର୍ମୀମାନଙ୍କୁ ଏହି ଆହ୍ବାନ ଦେଇଛନ୍ତି।

ଗଜପତିନଗରସ୍ଥିତ ସପ୍ତମ ବାଟାଲିୟନ୍ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ, ପ୍ରେରଣା ଗ୍ରିନ୍‌ ଆର୍ମିର ଚିଫ୍‌ କମାଣ୍ଡାଣ୍ଟ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ପରିଚାଳନା ଦାୟିତ୍ବ ନିର୍ବାହ କରିଥିଲେ। ଏଥିରେ ଓଡ଼ିଶା ବୀର ମହାସଂଘ ସଭାପତି ପ୍ରକାଶ ଶ୍ରୀଚନ୍ଦନ ଓ ସପ୍ତମ ବାଟାଲିୟନ କମାଣ୍ଡାଣ୍ଟ ବିଜୟ କୁମାର ସାହୁ ଏବଂ ନିୟୁ ଥିଙ୍କିଙ୍ଗ୍‌ ଅନୁଷ୍ଠାନର ନରେନ୍ଦ୍ର ପୃଷ୍ଟି, ରଂଜନ କୁମାର ବି‌ଶୋୟୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କୁ ବାଟାଲିୟନ ପକ୍ଷରୁ ଆର୍ମି ବ୍ୟାଣ୍ଡ୍‌ ଦ୍ବାରା ସ୍ବାଗତ କରାଯାଇଥିଲା।

ଆଜିର ମୁଖ୍ୟ କଥା ଥିଲା ରୋପଣ ହୋଇଥିବା ବୃକ୍ଷଗୁଡ଼ିକର ନାମକରଣ। ଉକ୍ତ ବୃକ୍ଷଗୁଡ଼ିକୁ ଓଡ଼ିଶା ବୀର ପାଇକ ପୁଅ ତଥା ସ୍ବାଧୀନତା ସଂଗ୍ରାମର ନାୟକ ଜୟୀ ରାଜଗୁରୁ, ପିଣ୍ଡିକି ବାହୁବଳେନ୍ଦ୍ର, କୃତିବାସ ପାଟ୍ଟସାହାଣୀ, ଦଳବେହେରା ମାଧବ ଚନ୍ଦ୍ର ରାଉତରାୟ ଓ ବକ୍ସି ଜଗବନ୍ଧୁଙ୍କ ନାମରେ ନାମିତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସ୍ବେଚ୍ଛାସେବୀ ବ୍ୟକ୍ତିତ୍ବମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅଭିଯାନ ୭ ଦିନ ଧରି ଚାଲିବ ବୋଲି ଚିଫ୍ କମାଣ୍ଡାଣ୍ଟ ଶ୍ରୀ ଶ୍ରୀଚନ୍ଦନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe