ଅନୁବାଦ ସାହିତ୍ୟ ବିନା ଭାରତର ବିବିଧତାକୁ ଆବିଷ୍କାର ଅସମ୍ଭବ

Advertisment

ସମ୍ବାଦ ଭବନରେ ପୁସ୍ତକ ‘ଅକ୍କରମାଶୀ’ ଉନ୍ମୋଚିତ

ସମ୍ବାଦ ଭବନରେ ପୁସ୍ତକ ‘ଅକ୍କରମାଶୀ’ ଉନ୍ମୋଚିତ

ଅନୁବାଦ ସାହିତ୍ୟ ବିନା ଭାରତର ବିବିଧତାକୁ ଆବିଷ୍କାର ଅସମ୍ଭବ

ଭୁବନେଶ୍ବର: ଅନୁବାଦ ସାହିତ୍ୟ ବିନା ଭାରତର ବିବିଧତା ଲୋକଲୋଚନକୁ ଆସିପାରିବ ନାହିଁ। ବହୁ ଭାଷାର ଦେଶ ଭାରତ। ବିଭିନ୍ନ ଭାଷାରେ ଅନେକ ଗୁରୁତ୍ବପୂର୍ଣ୍ଣ ପୁସ୍ତକ ରଚନା କରାଯାଉଛି। ସେଗୁଡ଼ିକୁ ଅନ୍ୟ ଭାଷାରେ ଅନୁବାଦ ନ କଲେ, ଭାରତର ବିବିଧତା ଭିତରେ କେତେ ଗରୁତ୍ବପୂର୍ଣ୍ଣ କଥା ଲୁଚି ରହିଛି, ତାହା ସମସ୍ତେ ଜାଣିପାରିବେ ନାହିଁ। କିଛି ଅନୁବାଦ ପୁସ୍ତକ, ମୂଳ ପୁସ୍ତକ ଅର୍ଥଠାରୁ ଭିନ୍ନ ହୋଇଥାଏ। ଆଉ କିଛି, ମୂଳ ବହିଠାରୁ ଅଧିକ ପ୍ରଭାବୀ ହୋଇଥାଏ। ସାହିତ୍ୟର ବିସ୍ତାର ପାଇଁ ଅନୁବ‌ାଦ ସାହିତ୍ୟ ଏକାନ୍ତ ଆବଶ୍ୟକ। ଆଜି ‘ସମ୍ବାଦ’ ଭବନରେ ଆୟୋଜିତ ‘ଅକ୍କରମାଶୀ’ ଅନୁବାଦ ପୁସ୍ତକର ଲୋକାର୍ପଣ କରି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। ପ୍ରଖ୍ୟାତ ମରାଠୀ ଲେଖକ ଶରଣ କୁମାର ଲିମ୍ବାଲେଙ୍କ ଆତ୍ମଜୀବନୀ ଉପରେ ପର୍ଯ୍ୟବସିତ ଏହି ପୁସ୍ତକକୁ ଡ. ନିରଂଜନ ଶତପଥୀ ଓଡ଼ିଆ ଅନୁବାଦ କରିଛନ୍ତି।

‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ଭାରତରେ ସମସାମୟିକ ଇତିହାସ ଠିକ୍‌ ଭାବରେ ଲେଖା ଯାଇନାହିଁ। ଇତିହାସ ସମ୍ପର୍କରେ ଜାଣିବାକୁ ଚେଷ୍ଟା କଲେ ମଧ୍ୟ ସେଭଳି କୌଣସି ବିଶେଷ ମାଧ୍ୟମ ନାହିଁ। କ୍ଷମତାରେ ଥିବା ବ୍ୟକ୍ତି ନିଜର ଚିନ୍ତା, ଚେତନା ଓ ଭାବାବେଗକୁ ନେଇ ଇତିହାସକୁ କଦର୍ଯ୍ୟ କରିବାକୁ ଚେଷ୍ଟା କରିଛନ୍ତି। ସଫଳ ଆତ୍ମଜୀବନୀ ମଧ୍ୟ ବେଶି ଲେଖା ଯାଇନାହିଁ। ତେଣୁ ଉତ୍ତରପିଢ଼ିଙ୍କ ପାଇଁ ପ୍ରକୃତ ଇତିହାସ ଜାଣିବା କଷ୍ଟକର ହୋଇପଡ଼ୁଛି। କିନ୍ତୁ ‘ଅକ୍କରମାଶୀ’ ସେସବୁ ଦୃଷ୍ଟିରୁ ଭିନ୍ନ। ଏହା ସମସାମୟିକ, ସମକାଳୀନ ଇତିହାସର ଏକ ବିକଳ୍ପ। ତେଣୁ ଇତିହାସ‌ବୋଧର ଅଭାବକୁ ଦୂର କରିବା ପାଇଁ ଛାତ୍ରଛାତ୍ରୀମାନେ ଏହିଭଳି ସଫଳ ଆତ୍ମଜୀବନୀ ପଢ଼ନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।

ଅନୁବାଦକ ନିରଞ୍ଜନ ଶତପଥୀ ନିଜ ଅନୁଭୂତିରୁ କହିଲେ, ଏହି ପୁସ୍ତକର ମୂଳ ରଚନା ମରାଠୀ ଭାଷାରେ କରାଯାଇଛି। ପ୍ରଖ୍ୟାତ ମରାଠୀ ଲେଖକ ଶରଣ କୁମାର ଲିମ୍ବାଲେ ଏହି ପୁସ୍ତକକୁ ରଚନା କରିବା ପରେ ଏହା ଅନେକ ଭାଷାରେ ଅନୁବାଦ କରାଯାଇଛି। ସନ୍ତୋଷ ଭୁମକରଙ୍କ ଇଂରାଜୀ ଅନୁବାଦ ପୁସ୍ତକରୁ ସେ ଏହାକୁ ଓଡ଼ିଆରେ ଅନୁବାଦ କରିଛନ୍ତି। ପୁସ୍ତକର ଶୀର୍ଷକ ‘ଅକ୍କରମାଶୀ’ ଏକ ମରାଠୀ ଶବ୍ଦ। ଏହାର ଅର୍ଥ ଅଶୁଦ୍ଧ, ଅସମ୍ପର୍ଣ୍ଣ ଓ ଅବୈଧ ଅର୍ଥରେ ବ୍ୟବହାର ହୋଇଛି। ଏଥିରେ ତତ୍କାଳୀନ ସମାଜର ଚିତ୍ର ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ଶତପଥୀ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ କ୍ଷେତ୍ରବାସୀ ନାୟକ, ପ୍ରଫେସର ମିହିର ସେଠୀ, ଧରଣୀଧର ସାହୁ, ଅଧ୍ୟାପକ ହରେକୃଷ୍ଣ ସାହୁ, ଅବସରପ୍ରାପ୍ତ ପ୍ରଶାସକ ବାଳକୃଷ୍ଣ ସାହୁ, ଅଧ୍ୟାପିକା କନକ ମଞ୍ଜରୀ ସାହୁ ଓ ସ୍ବର୍ଣ୍ଣଲତା ତ୍ରିପାଠୀ ପ୍ରମୁଖ ଲେଖକଙ୍କୁ କୃତଜ୍ଞତା ଜଣାଇଥିଲେ। ତ୍ରିନୟନ ରଥ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe