ଗଣସାହିତ୍ୟ ସୃଷ୍ଟି କରିବାର ବେଳ ଆସିଛି: ସୌମ୍ୟରଂଜନ

Advertisment

ଦଶମ ବସନ୍ତ ଶତପଥୀ ସ୍ମାରକୀ ବକ୍ତୃତା

ଦଶମ ବସନ୍ତ ଶତପଥୀ ସ୍ମାରକୀ ବକ୍ତୃତା

ଗଣସାହିତ୍ୟ ସୃଷ୍ଟି କରିବାର ବେଳ ଆସିଛି: ସୌମ୍ୟରଂଜନ

ଭୁବନେଶ୍ବର: ସାହିତ୍ୟ ଦୁନିଆରେ ବସନ୍ତ ଶତପଥୀ ଜଣେ ବିରଳ ବ୍ୟକ୍ତିତ୍ବ। ଗଳ୍ପ, ରମ୍ୟରଚନା ଓ ଅନୁବାଦ ଆଦି ସାହିତ୍ୟର ଅନେକ ବିଭାଗକୁ ତାଙ୍କର ବିଶେଷ ଅବଦାନ ରହିଛି। ଗଡ଼ଜାତରେ ଜନ୍ମିତ ସ୍ବର୍ଗତ ଶତପଥୀ ଜଣେ ଅଧ୍ୟାପକ ଓ ସମ୍ପାଦକ ଥିଲେ। ଫକୀରମୋହନଙ୍କ ଭଳି ସେ ବହୁ ବିଳମ୍ବରେ ଲେଖନୀ ଚାଳନା କରିଥିଲେ ହେଁ ସାହିତ୍ୟକୁ ତାଙ୍କ ଅବଦାନ ଅତୁଳନୀୟ। ଭାରତୀୟ ବିଦ୍ୟାଭବନରେ ପକ୍ଷୀଘର ପ୍ରକାଶନୀ ସଂସ୍ଥା ପକ୍ଷରୁ ଆୟୋଜିତ ‘ଦଶମ ବସନ୍ତ ଶତପଥୀ ସ୍ମାରକୀ ବକ୍ତୃତା’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ‌ଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ସାହିତ୍ୟରେ ଗଦ୍ୟ ସମୃଦ୍ଧ ହେଲେ ଭାଷା ସମୃଦ୍ଧ ହୋଇପାରିବ। ଗଣତନ୍ତ୍ରରେ ଲୋକଙ୍କୁ ସଚେତନ କରିବା ପାଇଁ ଗଦ୍ୟର ଭୂମିକା‌ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଗଦ୍ୟ ସାହିତ୍ୟକୁ ସମୃଦ୍ଧ କରିବାରେ ଖବରକାଗଜ ଏକ ଗୁରୁଦାୟିତ୍ବ ନିର୍ବାହ କରୁଛି। ହେଲେ ଗଣତନ୍ତ୍ରର ପୂଜାରୀ(ନେତା)ମାନେ ବର୍ତ୍ତମାନ ସମୟରେ ଗଦ୍ୟ ବ୍ୟବହାର କରିବାର ସା‌ମର୍ଥ୍ୟ ହରାଇ ବସିଲେଣି। ଯାହା ସେମାନେ କହିବାକୁ ଚାହୁଛନ୍ତି, ତାହା ସଠିକ୍‌ ଭାବେ ପରିପ୍ରକାଶ କରିପାରୁନାହାନ୍ତି।

ତେଣୁ ସାହିତ୍ୟିକମାନେ ଗଦ୍ୟକୁ ସମୃଦ୍ଧ କରିବା ଦିଗରେ ଲେଖନୀ ଚାଳନା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ସାହିତ୍ୟରେ ସମକାଳୀନ ପାଠକମାନଙ୍କୁ ଯୋଡ଼ିବାକୁ ପଡ଼ିବ। କାରଣ ବିନା ପାଠକରେ ସାହିତ୍ୟ ସମୃଦ୍ଧ ହୋଇପାରିବ ନାହିଁ। ସେହିଭଳି ବିନା ଭୋଟର୍‌ରେ ମଧ୍ୟ ଗଣତନ୍ତ୍ର ସମୃଦ୍ଧ‌ ହୋଇପାରିବ ନାହିଁ। ଏବେ କାଳି ଆଉ କାଗଜର ସାହିତ୍ୟ କେତେ ଦିନ ତିଷ୍ଠି ରହିବ, ସେନେଇ ସଂଶୟ ସୃଷ୍ଟି ହେଲାଣି। ପୂର୍ବରୁ ପୁସ୍ତକ ପ୍ରକାଶନ ପୂର୍ବରୁ ବେଦ, ପୁରାଣ ଆଦି ଗଣସାହିତ୍ୟ ଥିଲା। ମୁଦ୍ରଣ ଆସିବା ପରେ ତାହା ‘ଜଣସାହିତ୍ୟ’ ହୋଇଛି। ହେଲେ ଏବେ ବିଜ୍ଞାନ ଓ କାରିଗରୀ ଜ୍ଞାନ‌କୌଶଳ ବ୍ୟବହାର କରି ‘ଗଣସାହିତ୍ୟ’ ସୃଷ୍ଟି କରିବାକୁ ପଡ଼ିବ। ଯାହାକୁ ଆଧୁନିକ ପାଠକମାନେ ସହଜରେ ପାଇପାରିବେ।

କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି କବୀ ପ୍ରତିଭା ଶତପଥୀ କହିଲେ, ସ୍ବର୍ଗତ ଶତପଥୀଙ୍କ ପୁସ୍ତକ ପଢ଼ିଲେ, ସେହି ସମୟର ଏକ ସୁନ୍ଦର ଇତିହାସ ଜାଣିବାକୁ ମିଳିଥାଏ। ଏହି ଅବସରରେ ସେ ତାଙ୍କର ସାରସ୍ବତ ଗଳ୍ପର ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ସ୍ବର୍ଗତ ଶତପଥୀଙ୍କ ସୁପୁତ୍ର ଅଧ୍ୟାପକ ସୁମନ୍ୟୁ ଶତପଥୀ କହିଲେ, ଜଣେ ଲେଖକଙ୍କ ଲେଖା ପାଠକାଦୃତି ପାଇପାରିଲେ, ସେ ଲେଖା ସାର୍ଥକ ହୁଏ। ସ୍ବର୍ଗତ ଶତପଥୀଙ୍କ ମୃତ୍ୟୁ ପରେ ତାଙ୍କ ପାଣ୍ଡୁଲିପିକୁ ନେଇ ପ୍ରକାଶ ପାଇଥିବା ପୁସ୍ତକ ଓ ତାଙ୍କର ଅନ୍ୟାନ୍ୟ ପୁସ୍ତକ ଉପରେ ସୂଚନା ଦେଇଥିଲେ। ଏହି ଅବସରରେ ‘ବସନ୍ତ ଶତପଥୀଙ୍କ ଗଳ୍ପ ସମ୍ଭାର-୨’ ଲୋକାର୍ପିତ ହୋଇଥିଲା। ପରେ ନାଟ୍ୟକାର ଅନନ୍ତ ମହାପାତ୍ର ସ୍ବର୍ଗତ ଶତପଥୀଙ୍କ ଏକ ଗଳ୍ପ ପାଠ କରିଥିଲେ। ପକ୍ଷୀଘର ପ୍ରକାଶନୀ ସଂସ୍ଥାର ପ୍ରକାଶକ ବନୋଜ ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ଶତପଥୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe