Advertisment

ବର୍ଷିଲା, ଭାଙ୍ଗିଲା, ଉଡ଼ାଇଲା: ଉପୁଡ଼ିଲା ଗଛ, କଟିଗଲା ବିଜୁଳି

Advertisment

ପଟିଆ କଲେଜ ରୋଡ ଜାମ୍‌

ପଟିଆ କଲେଜ ରୋଡ ଜାମ୍‌

ବର୍ଷିଲା, ଭାଙ୍ଗିଲା, ଉଡ଼ାଇଲା: ଉପୁଡ଼ିଲା ଗଛ, କଟିଗଲା ବିଜୁଳି

ଭୁବନେଶ୍ବର: ଦିନ ସାରା ଗରମ ସହ ଗୁଳୁଗୁଳି ଅନୁଭୂତ ହୋଇଥିଲା। ସୂର୍ଯ୍ୟଙ୍କ ଉତ୍ତପ୍ତ କିରଣ ନ ଥିଲେ ମଧ୍ୟ ଗମ୍‌ଗମ୍‌ ଝାଳ ବହୁଥିଲା। ଅପରାହ୍ଣ ପର୍ଯ୍ୟନ୍ତ ଗୁଳୁଗୁଳିରେ ହନ୍ତସନ୍ତ ହେଉଥିବା ସହରବାସୀ ରାତିରେ କାଳବୈଶାଖୀର ତାଣ୍ଡବ ଦେଖିଛନ୍ତି। ରାତି ପ୍ରାୟ ସାଢ଼େ ୯ଟା ବେଳକୁ ଆକାଶରେ କଳା ବାଦଲ ଘୋଟି ଆସିବା ସହ ଚାହୁଁ ଚାହୁଁ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିଥିଲା। ଏଥିସହ ପ୍ରବଳରୁ ଅତିପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ବିଜୁଳି ସହ ଘଡ଼ଘଡ଼ି ମାରିବାରୁ ଯିଏ ଯେଉଁଠି ପାରିଲେ ସୁରକ୍ଷା ଲୋଡ଼ିଲେ। ସେପଟେ ହଠାତ୍‌ ବର୍ଷା ହେବାରୁ ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସେବା ପ୍ରଭାବିତ ‌ହୋଇଛି। ବିଭିନ୍ନ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର, ପଟିଆ, ଖଣ୍ଡଗିରି, ଜାଗମରା, ଘାଟିକିଆ, କଳିଙ୍ଗବିହାର ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇପାରି ନାହିଁ। କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ଗଛ ଉପୁଡ଼ିବା ସହ ଲୋକଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।

ଶ୍ରୀବିହାରରେ ଏକ ଗଛ ଉପୁଡ଼ି ପଡ଼ିବାରୁ ବିଦ୍ୟୁତ୍‌ ସେବା ପ୍ରଭାବିତ ସହ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଖବରପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ଗଛ କାଟିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଇନ୍‌ଫୋସିଟି-ପଟିଆ ରୋଡ୍‌ରେ ଗଛ ଡାଳ ଭାଙ୍ଗିପଡ଼ିବାରୁ ଯାତାୟାତ କିଛି ସମୟ ପାଇଁ ପ୍ରଭାବିତ ହୋଇଛି। ପଟିଆ କଲେଜ ରୋଡର ବସ୍‌ ଟର୍ମିନାଲ ନିକଟରେ ଖୁଣ୍ଟ ନଇଁ ପଡ଼ିବାରୁ ସିଟିବସ୍‌ଗୁଡ଼ିକ ଭିତରକୁ ପ୍ରବେଶ କରିପାରି ନ ଥିଲା। ପାଖାପାଖି ଦେଢ଼ଘଣ୍ଟା ଧରି ରାସ୍ତା ଜାମ୍‌ ରହିଥିଲା। ପଟିଆ-କିଟ୍‌ ରାସ୍ତା, ଆରସିଏମ୍‌ ଛକ ନିକଟରେ ପାଣି ଜମିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଭିଏସ୍‌ଏସ୍‌ ନଗରରେ ମଧ୍ୟ ଖୁଣ୍ଟ ଉପୁଡ଼ି ପଡ଼ିଛି। ରଙ୍ଗମାଟିଆରେ ଏକ ବାହାଘର ଚାଲିଥିବା ବେଳେ ଟେଣ୍ଟ ଭାଙ୍ଗି ପଡ଼ିଛି। ତେବେ କାହାର କିଛି କ୍ଷତି ହୋଇନାହିଁ। ପଟିଆ ଷ୍ଟେସନ ପ୍ଲାଟଫର୍ମ ଟିଣ ଭାଙ୍ଗିଥିବା ସୂଚନା ମିଳିଛି। ରିପୋର୍ଟ ଲେଖା ହେଲା ବେଳକୁ ସହରରେ ବର୍ଷା ଲାଗିରହିବା ସହ ଖଣ୍ଡଗିରି, କଳିଙ୍ଗବିହାର, ଆଚାର୍ଯ୍ୟବିହାର, ବାଣୀବିହାର, ରାଜମହଲ ଛକ, ଜୟଦେବବିହାର, ପୋଖରୀପୁଟ, ରସୁଲଗଡ଼, ଚନ୍ଦ୍ରଶେଖରପୁର, ପଟିଆ, ଡମଣା, ମଞ୍ଚେଶ୍ବର, ଲକ୍ଷ୍ମୀସାଗର, କଳ୍ପନା, ଭିଏସ୍‌ଏସ୍‌ନଗର ଅଞ୍ଚଳ ବର୍ଷା ଦ୍ବାରା ପ୍ରଭାବିତ ହୋଇଛି। ତୁହାକୁ ତୁହା ବର୍ଷା ଲାଗିରହିଥିବାରୁ ଲୋକେ ଓଭରବ୍ରିଜ୍‌ ତଳେ ଅଟକି ରହିଛନ୍ତି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ହେଉଛି। ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ହୋଇଛି। ଝଡ଼ବର୍ଷା ଦ୍ବାରା ଭୁବନେଶ୍ବର ସମେତ ଖୋର୍ଦ୍ଧା, ଜଗତ୍‌ସିଂହପୁର, କଟକ, ଗଞ୍ଜାମ, ଗଜପତି, ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ପ୍ରଭାବ ପଡ଼ିଛି। କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। କାଳବୈଶାଖୀ କାରଣରୁ ସୋମବାର ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe