ବନମାଳିପୁର ବାଣ ବିସ୍ଫୋରଣକୁ ୨ ବର୍ଷ ପୂରିବ, ଏଯାଏ ମିଳିଲେନି ଜ୍ଞାନେନ୍ଦ୍ର

Advertisment
ବନମାଳିପୁର ବାଣ ବିସ୍ଫୋରଣକୁ ୨ ବର୍ଷ ପୂରିବ, ଏଯାଏ ମିଳିଲେନି ଜ୍ଞାନେନ୍ଦ୍ର

ବାଲିପାଟଣା: ବନମାଳିପୁର ବାଣ ବିସ୍ଫୋରଣକୁ ଦୁଇ ବର୍ଷ ପୂରିବାକୁ ଯାଉଛି। ମାତ୍ର ବିସ୍ଫୋରଣସ୍ଥଳରୁ ନିଖୋଜ ହୋଇ ଯାଇଥିବା ଜ୍ଞାନେନ୍ଦ୍ର ମିଶ୍ରଙ୍କ ପତ୍ତା ମିଳୁନାହିଁ। ସେ ମୃତ କି ଜୀବିତ, ତାହା ସ୍ପଷ୍ଟ ହୋଇପାରିନାହିଁ। ସେହିଭଳି ଉକ୍ତ ଭୟଙ୍କର ବିସ୍ଫୋରଣରେ ନିଖୋଜ ଜ୍ଞାନେନ୍ଦ୍ରଙ୍କ ପତ୍ନୀ ରଶ୍ମିତାଙ୍କ ବାଦ୍‌ ଆଉ କେତେ ଜଣଙ୍କର ମୃତ୍ୟୁ ଘଟିଥିଲା, ତାହା ମଧ୍ୟ ରହସ୍ୟ ହୋଇ ରହିଛି।

୨୦୧୮ ମସିହା ନଭେମ୍ବର ୧ ତାରିଖରେ ବନମାଳିପୁର ନୂଆସାହି ଗାଁରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଚୋରାରେ ବାଣ କାରଖାନା ଚଳାଇଥିବା ଜ୍ଞାନେନ୍ଦ୍ରଙ୍କ ବାଣଘର ଏହି ବିସ୍ଫୋରଣରେ ପୂରା ଛାରଖାର ହୋଇଯାଇଥିଲା। ବାଣଘରର ଛାତ ଓ ଅନ୍ୟାନ୍ୟ ସାମଗ୍ରୀ ଏତେ ଦ୍ରୁତବେଗରେ ଦୂରକୁ ଛିଟିକିଥିଲା ଯେ ଗାଁର ବହୁ ଲୋକଙ୍କ ଘର ମଧ୍ୟ ଭାଙ୍ଗି ଯାଇଥିଲା। ମଣିଷର ଖଣ୍ଡବିଖଣ୍ଡ ଅଙ୍ଗପ୍ରତ୍ୟଙ୍ଗ ଗାଁ ସାରା ବିଛାଡ଼ି ହୋଇ ପଡ଼ିଥିଲା। ପରେ ଜଣାଗଲା ଯେ ବାଣଘର ଭିତରେ କାମ କରୁଥିବା ଜ୍ଞାନେନ୍ଦ୍ରଙ୍କ ସ୍ତ୍ରୀ ରଶ୍ମିତାଙ୍କର ମୃତ୍ୟୁ ଘଟିଛି ଓ ଜ୍ଞାନେନ୍ଦ୍ର ସେଠାରୁ ଦୌଡ଼ି ପଳାଇଛନ୍ତି। ସେଦିନ ଜ୍ଞାନେନ୍ଦ୍ରଙ୍କ ବାପା ନୃସିଂହ ଓ ଅନ୍ୟ ଶ୍ରମିକମାନେ କାମ କରିବାକୁ ଆସିନଥିବାରୁ କେବଳ ରଶ୍ମିତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ବାଲିପାଟଣା ଥାନା ପୁଲିସ ଏହି ଚୋରା ବାଣ କାରବାରର ମାଷ୍ଟର ମାଇଣ୍ଡ ଜ୍ଞାନେନ୍ଦ୍ରକୁ ଖୋଜିବା ପାଇଁ ଲାଗିପଡ଼ିଲା। କିନ୍ତୁ ଦୀର୍ଘ ଦୁଇ ବର୍ଷ ବିତିବା ପରେ ବି ପୁଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇପାରିନାହିଁ।

ଦୀପାବଳି ପାଖେଇ ଆସୁଛି। ବାଲିପାଟଣାର ବିଭିନ୍ନ ଅଞ୍ଚଳରେ ବେଆଇନ ବାଣ ତିଆରି ଲୁଚାଚୋରାରେ ଆରମ୍ଭ ହୋଇଗଲାଣି। କିନ୍ତୁ ପୁଲିସ ପ୍ରଶାସନର ନଜର ନାହିଁ। ଏମିତିକି ବେଆଇନ ବାଣ କାରଖାନା ଚାଲୁଥିବା ସ୍ଥାନରେ ପାଖ ପଡ଼ୋଶୀମାନେ ମଧ୍ୟ ଅଭିଯୋଗ କରୁନାହାନ୍ତି। ସେମାନେ ଭୟ ଓ ଆଶଙ୍କାରେ ରହୁଥିଲେ ମଧ୍ୟ ଅଭିଯୋଗ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଏସିପି ରଜତ ରାୟଙ୍କ ସୂଚନା ଅନୁସାରେ ବାଣ ତିଆରି ସମ୍ପର୍କରେ ସୂଚନା ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନାଦା‌ତାଙ୍କ ନାମ ଗୋପନ ରଖାଯିବ ବୋଲି ଶ୍ରୀ ରାୟ କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ବେଆଇନ ବାଣ କାରବାରକୁ ବନ୍ଦ କରିବାକୁ ଜନସାଧାରଣ ପୁଲିସକୁ ସହଯୋଗ କରିବାକୁ ଏସିପି ଶ୍ରୀ ରାୟ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe