ଏବେ ଅନ୍ଧାରିବିଜେ: ବିଳମ୍ବିତ ରାତି ଯାଏ, ଗୁପ୍ତ ବୈଠକ

Advertisment
୭ଟି ପର୍ଯ୍ୟାୟ‌ରେ ମୋଟ୍‌ ୬୫.୭୯% ମତଦାନ

ଭୁବନେଶ୍ବର: ଦୁଇ ସପ୍ତାହ ଧରି ଭୁବନେଶ୍ବରରେ ଚାଲିଥିବା ପ୍ରଚାରରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ନିର୍ବାଚନ କମିସନଙ୍କ ନିୟମ ମାନି ପ୍ରମୁଖ ରାଜନୈତିକ ଦଳ ସନ୍ଧ୍ୟା ପୂର୍ବରୁ ପ୍ରଚାର ଶେଷ କରିଛନ୍ତି। ଏଥିସହ ଆଜି ରାତିରୁ ଅନ୍ଧାରି ବିଜେ ଆରମ୍ଭ ହୋଇଛି। ପ୍ରଚାରରେ ଗୁରୁତ୍ୱହୀନ ହୋଇପଡ଼ିଥିବା ନେତାଙ୍କୁ ନିଜ ଆଡ଼କୁ ନେବା ଲାଗି ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ଲାଗି ପଡ଼ିଛନ୍ତି। ବିଳମ୍ବିତ ରାତି ଯାଏ ଭୁବନେଶ୍ବର ଉତ୍ତର, ଭୁବନେଶ୍ବର ମଧ୍ୟ ଓ ଏକାମ୍ର ନିର୍ବାଚନମଣ୍ଡଳୀରେ ଘନ ଘନ ବୈଠକ ଜାରି ରହିଛି। ବରିଷ୍ଠ ନେତାମାନେ ସାମିଲ ହୋଇ ଅନ୍ୟ ଦଳର ନେତାମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଛନ୍ତି। କିଛି ମାନୁଛନ୍ତି ତ ଆଉ କିଛି ଧରାଛୁଆଁ ଦେଉନାହାନ୍ତି। ତଥାପି ରାଜନୈତିକ ଦଳର ନେତାମାନେ ପ୍ରୟାସରେ ଅଛନ୍ତି। ନିର୍ବାଚନୀ ପ୍ରଚାରରେ କଟକଣା ଲାଗିଥିଲେ ମଧ୍ୟ ଭୋଟ୍‌ ଭିଡ଼ିବାକୁ ଏବଂ ନିଜ ନିଜ ସପକ୍ଷରେ ମତ ହାତେଇବାକୁ ପ୍ରାର୍ଥୀ ଓ ସେମାନଙ୍କ ଅନୁଗତମାନେ ଗଳାବାଟ ଖୋଜୁଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଓ ନିର୍ବାଚନ ଆୟୋଗଙ୍କ ନଜରକୁ ଏଡ଼ାଇ ଆଜି ରାତିଠାରୁ ଆରମ୍ଭ ହୋଇଯାଇଛି ଅନ୍ଧାରିବିଜେ।

ବିଳମ୍ବିତ ରାତି ଯାଏ ଗୁପ୍ତ ବୈଠକ
ଭୋଜିଭାତ ଆସର ବି ଜାରି ରହିଛି

ଉପହାର ବାଣ୍ଟି ଭୋଟର୍‌ ହାତେଇବାକୁ ଚାଲିଛି ଭିତିରି ଉଦ୍ୟମ। ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ୨୦ରୁ ୨୫ଜଣଙ୍କୁ ଏକାଠି କରି ଭୋଟ ହାତେଇବାକୁ ଲାଗି ପଡ଼ିଛନ୍ତି। କାହାକୁ ଅର୍ଥ ଯଚାଯାଉଛି ତ ଆଉ କାହାକୁ ପଦବି ଦେବାକୁ ପ୍ରତିଶ୍ରୁତି। ବସ୍ତି ଅଞ୍ଚଳରେ ଅଧିକ ଭୋଟର ରହିଥିବାରୁ ବିଜେଡି ଓ ବିଜେପିର ନେତୃତ୍ବମାନେ ସ୍ଥାନୀୟ ‌ନେତା ସହ ବୈଠକ ଜାରି ରଖିଛନ୍ତି। କେଉଁଭଳି ଭା‌ବେ ଅଧିକରୁ ଅଧିକ ଭୋଟ ଦଳୀୟ ପ୍ରାର୍ଥୀଙ୍କ ଆଡ଼କୁ ଆସିବ ସେନେଇ ମାନସମନ୍ଥନ କରିଛନ୍ତି। wକେବଳ ସେତିକି ନୁହେଁ, ରାତି ତମାମ ଭୋଜିଭାତର ଆୟୋଜନ ହେଉଛି। ସ୍ଥାନେ ସ୍ଥାନେ ଶତାଧିକ ଲୋକ ‌ଏକାଠି ହେଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ପ୍ରଚାର ସରିବା ପରେ ମଧ୍ୟ ସାଲିଆସାହିରେ ରାତି ୧୦ଟା ପର୍ଯ୍ୟନ୍ତ ବହୁ ଲୋକଙ୍କ ସମାଗମ ହୋଇଥିବା ନେଇ ଖବର ଆସିଛି। ଶୁକ୍ରବାର ପ୍ରଚାର ବନ୍ଦ ହୋଇଯାଇଥିଲେ ବି ସାମାଜିକ ଗଣମାଧ୍ୟମରେ ପ୍ରାର୍ଥୀମାନେ ତାଙ୍କ ପ୍ରଚାର ଅଭିଯାନ ଜାରି ରଖିଛନ୍ତି। ବିଭିନ୍ନ ପ୍ରକାର ପୋଷ୍ଟ କରି ଭୋଟ୍‌ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି। ନିର୍ବାଚନକୁ ନେଇ କେବଳ ଯେ ବିଭିନ୍ନ ରାଜନୈତିକ ଦଳର ନେତା ଓ ନେତୃତ୍ୱ ଚାପରେ ଅଛନ୍ତି, ତାହା ନୁହେଁ। ବରଂ ଭୋଟର ମଧ୍ୟ ତତୋଧିକ ଚାପଗସ୍ତ। ସାରା ଓଡ଼ିଶାର ନଜର ଏବେ ଭୁବନେଶ୍ବର ଲୋକସଭା ସମେତ ଏହା ଅଧୀନ ବିଧାନସଭା କ୍ଷେତ୍ରର ନିର୍ବାଚନ ଫଳାଫଳ ଉପରେ ରହିଛି। ଏଠାକାର ଫଳ ପ୍ରତ୍ୟେକ ଦଳର ନେତୃତ୍ୱ ପାଇଁ ଆହ୍ବାନ ରଖୁଛି।

ଏସବୁ ଦୃଷ୍ଟିରୁ ଭୁବନେଶ୍ବରର ସଚେତନ ଭୋଟର୍‌ ଏବେ ଓଡ଼ିଶା ରାଜନୀତିର ଦିଶା ନିର୍ଣ୍ଣୟ କରିବାର କ୍ଷମତା ରଖୁଛନ୍ତି। ସହରୀ ଭୋଟରଙ୍କ ରାୟ କେବଳ ଭୁବନେଶ୍ବରର ତିନି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନୁହେଁ, ବରଂ ରାଜ୍ୟର ସବୁ ନିର୍ବାଚନମଣ୍ଡଳୀର ରାଜନୈତିକ ବାତାବରଣକୁ ପ୍ରଭାବିତ କରିବ। ଏକଥାକୁ ଏଡ଼ାଇ ହେବ ନାହିଁ। ପ୍ରଚାର ଶେଷ ପରେ ବିଜେଡି, ବିଜେପି, କଂଗ୍ରେସ ନେତା ଉପରକୁ ଯେତେ ମୁହଁ ଫୁଟାଣି ମାରୁଥିଲେ ବି ଫଳାଫଳ ନେଇ କେହି ସ୍ପଷ୍ଟ ମତ ରଖିପାରୁନାହାନ୍ତି। ସମସ୍ତଙ୍କ ଛାତି ଧଡ଼ଧଡ଼ ହେଉଛି। ରାଜଧାନୀବାସୀଙ୍କ ଜନମତ କୁଆଡ଼େ ଯିବ, କିଏ କେତେ ଭୋଟ୍‌ ପାଇବେ, ସେନେଇ ପ୍ରତି ନେତା ଅଲଗା ଅଲଗା ପରିସଂଖ୍ୟାନ କରୁଛନ୍ତି। ଏଣୁ ତିନି ପ୍ରମୁଖ ଦଳର ନେତୃତ୍ୱର ଚିନ୍ତା ବଢ଼ିବା ସ୍ୱାଭାବିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe