କରୋନା ଆକ୍ରାନ୍ତ ଆଶଙ୍କା : ଯଦୁପୁର, ସୁନ୍ଦରପଦା ସିଲ୍‌

Advertisment

ସଂକ୍ରମିତ ଅଞ୍ଚଳ ଘୋଷଣା କଲା ବିଏମ୍‌ସି

ସଂକ୍ରମିତ ଅଞ୍ଚଳ ଘୋଷଣା କଲା ବିଏମ୍‌ସି

ଯଦୁପୁର ସିଲ୍ : ପ୍ରଥମ ଦିନରେ କେବଳ କ୍ଷୀର ଯୋଗାଣ

ସିଲ୍‌ କେବେ ଖୋଲିବ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା ପରେ ନିଷ୍ପତ୍ତି
ସମସ୍ତଙ୍କୁ ଘରେ ସଙ୍ଗରୋଧ ହୋଇ ରହିବାକୁ ଅନୁରୋଧ
ଘରେ ପହଞ୍ଚିବ ପରିବା, ଅତ୍ୟାବଶ୍ୟକ ସାମଗ୍ରୀ
ଡାକ୍ତରୀ ଟିମ୍ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିବେ

ଭୁବନେଶ୍ବର : ସୂର୍ଯ୍ୟନଗର ଓ ବମିଖାଲର ଜୟଦୁର୍ଗାନଗର ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ଦୁଇଟି ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ହେଲେ ଏବେ ସୁନ୍ଦରପଦା ଓ ଯଦୁପୁର ଅଞ୍ଚଳରେ କେତେକ କରୋନା ସନ୍ଦିଗ୍ଧ ଥିବା ନେଇ ବିଏମ୍‌ସିକୁ ଖବର ମିଳିବା ପରେ ପ୍ରତିଷେଧମୂଳକ ଭାବେ ଏହି ଦୁଇଟି ଅଞ୍ଚଳକୁ ଚାରିଆଡ଼ୁ ସିଲ୍‌ କରିଦିଆଯାଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅଞ୍ଚଳର କିଛି ଲୋକ କରୋନା ଆକ୍ରାନ୍ତ ଦେଶ ଓ ରାଜ୍ୟରୁ ଆସିଛନ୍ତି। ଏପରିକି କିଛି ଲୋକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ସର୍ବସାଧାରଣଙ୍କ ଭଲ ନିମନ୍ତେ ଏହି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଘୋଷଣା କରି ସିଲ୍‌ କରାଯାଉଛି ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି।

ବିଏମ୍‌ସିର ସୂଚନା ଅନୁଯାୟୀ, ୱାର୍ଡ ୬୪ର ରାଜସ୍ବ ଗ୍ରାମ ଯଦୁପୁର ଓ ବେଗୁନିଆ ଅଞ୍ଚଳକୁ ସଂକ୍ରମିତ ଜୋନ୍‌ ଘୋଷଣା କରଯାଇଛି। ଏଥିରେ ପାଲା ମଣ୍ଡପ ଛକ (ବେଗୁନିଆ)ରୁ ଯଦୁପୁର ଗାଁ, ପାଣିଟାଙ୍କିରୁ ଯଦୁପୁର ଗାଁ, ମୁଖ୍ୟରାସ୍ତା ନିକଟ ଅଟୋଷ୍ଟାଣ୍ଡରୁ ଯଦୁପୁର ଗାଁ, ଆମ୍ବେଦକର ଶିକ୍ଷାକେନ୍ଦ୍ରରୁ ଯଦୁପୁର ଗାଁ ପର୍ଯ୍ୟନ୍ତ ଅଞ୍ଚଳକୁ ସିଲ୍‌ କରାଯାଇଛି। ସେହିପରି ୱାର୍ଡ ୬୭ର ସୁନ୍ଦରପଦା ଅଞ୍ଚଳକୁ ସିଲ୍‌ କରାଯାଇଛି। ଏଥିରେ ରାଜସ୍ବ ଗାଁ ଏବରଙ୍ଗ, କପିଳପ୍ରସାଦକୁ ମଧ୍ୟ ସଂକ୍ରମିତ ଅଞ୍ଚଳ ଘୋଷଣା କରାଯାଇଛି। ସୁନ୍ଦରପଦା ମ୍ୟୁନିସପାଲଟି ହସ୍ପିଟାଲ ଛକରୁ କାଳୁଆସୁଣି ମନ୍ଦିର, ସୁନ୍ଦରପଦା ମ୍ୟୁନିସପାଲଟି ହସ୍ପିଟାଲ ଛକରୁ ସରକନ୍ତରା ନୂଆ କଲଭର୍ଟ(ରେଲ ଲାଇନ୍ ନିକଟ), କାଳୁଆସୁଣି ମନ୍ଦିରରୁ ଟାଟା ପ୍ରକଳ୍ପ ଏସ୍‌ଇଟିପି, ଟାଟା ପ୍ରକଳ୍ପ ଏସ୍‌ଇଟିପିରୁ ସରକନ୍ତରା ନୂଆ କଲଭର୍ଟ (ରେଳ ଲାଇନ୍ ନିକଟ) ଅଞ୍ଚଳକୁ ସିଲ୍‌ କରାଯାଇଛି। ଏଠାରେ ଥିବା ସମସ୍ତ ଦୋକାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ସିଲ୍‌ କରିଦିଆଯାଇଛି। ଏହି ଅଞ୍ଚଳକୁ କାହାକୁ ଛଡ଼ାଯିବନି କି ଏଠାରୁ କେହି ବାହାରକୁ ଯିବେନି। ଏହି ଅଞ୍ଚଳର ପ୍ରବେଶ ଓ ପ୍ରସ୍ଥାନ ପଥକୁ ବ୍ୟାରିକେଡ୍‌ କରି ସିଲ୍‌ କରାଯାଉଛି। ଏହାସହ ସ୍ଥାନୀୟ ବାସିନ୍ଦାଙ୍କୁ ଘରେ ସଙ୍ଗରୋଧ ହୋଇ ରହିବାକୁ କୁହାଯାଇଛି। ବିଏମ୍‌ସି କମିସନର ଶ୍ରୀ ଚୌଧରୀ କହିଛନ୍ତି ଯେ, ସ୍ଥାନୀୟ ବାସିନ୍ଦାଙ୍କର ଯେପରି କୌଣସି ସମସ୍ୟା ନହେବ ସେଥିପାଇଁ ଆମେ ସବୁ ପ୍ରକାରର ପଦକ୍ଷେପ ନେବୁ। ପ୍ରତିଦିନ ଡାକ୍ତରୀ ଟିମ୍ ବିଭିନ୍ନ ଘରକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବ। ଏହି ଅଞ୍ଚଳରେ ନିୟମିତ ସଫେଇ କରାଯିବା ସହ ବିଶୋଧକ ସ୍ପ୍ରେ ହେବ ଓ ଫଗିଂ କରାଯିବ। ଏହାସହ ଭ୍ୟାନ୍ ମାଧ୍ୟମରେ ପରିବା ଓ ସଉଦା ସାମଗ୍ରୀ ପ୍ରତି ଗଳିକନ୍ଦିରେ ବୁଲିବ। ଲୋକଙ୍କ ଘର ପାଖରେ ସବୁ ଜିନିଷ ମିଳିବ। ସକାଳେ ଓ ସଂଧ୍ୟାରେ ଭ୍ୟାନ୍‌ ଯୋଗେ ସବୁ ସାମଗ୍ରୀ ଯୋଗାଇ ଦିଆଯିବ। ଏଥିପାଇଁ ଚାରି ଜଣ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ବିଏମ୍‌ସିର ଡେପୁଟି କମିସନର କମଲଜିତ୍‌ ଦାସ, ପରିମଳ ବ୍ୟବସ୍ଥା ପାଇଁ ବିଏମ୍‌ସି ଏଏଚ୍‌ଓ ଦେବିକରଣି ଧମିଲ୍‌, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସେବା ପାଇଁ ସୁନ୍ଦରପଦା ଅଞ୍ଚଳ ପାଇଁ ଡା. ବିଜୟଲକ୍ଷ୍ମୀ ପଣ୍ଡା, ଘର ଘର ବୁଲି ଆକ୍ଟିଭ୍ ସର୍ଭେଲାନ୍ସ ଯାଞ୍ଚ କରିବାକୁ ବିଏମ୍‌ସି ହସ୍ପିଟାଲର ଡ. ଶୁଭମ ପୁହାଣଙ୍କୁ ଦାୟିତ୍ବ ଦିଆଯାଇଛି। ଯଦୁପୁର ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ପାଇଁ ଡା. ମଧୁସ୍ମିତା ପ୍ରହରାଜ ଏବଂ ଆକ୍ଟିଭ୍ ସର୍ଭେଲାନ୍ସ ଯାଞ୍ଚ କରିବାକୁ ଡା. ଦେବଜିତ ପରିଡ଼ାଙ୍କୁ ଦାୟିତ୍ବ ଦିଆଯାଇଛି। ସର୍ବସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ଅଞ୍ଚଳର ପ୍ରତ୍ୟେକ ବାସିନ୍ଦା ୧୪ଦିନ ଘରେ ସଙ୍ଗରୋଧ ହୋଇ ରହିବେ। ସେମାନଙ୍କର କିଛି ଅସୁବିଧା ହେଲେ ତୁରନ୍ତ ଫୋନ୍ କରି ଜଣାଇବେ। ଏହି ଅଞ୍ଚଳ କେତେ ଦିନ ପାଇଁ ସିଲ୍‌ ହେବ ସେନେଇ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ। ସ୍ବାସ୍ଥ୍ୟ ବିଭାଗ ଯେବେ କହିବ ସେଦିନ ଏହି ଅଞ୍ଚଳ ସର୍ବସାଧାରଣଙ୍କ ପାଇଁ ଖୋଲିବ। ଯଦି କେହି ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଏପିଡେମିକ୍ ଡିଜିଜ୍ ଆକ୍ଟ ୧୮୯୭ର ଧାରା ୧୮୮ ଆଇପିସି ଅନୁସାରେ ଦଣ୍ଡିତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe