ଭୁବନେଶ୍ୱର : ଉତ୍କଳର ପ୍ରତି ଧୂଳିକଣାରେ ରହିଛି ଗୌରବମୟ ଇତିହାସ। କିନ୍ତୁ ଉତ୍କଳୀୟମାନେ ନିଜର ଆଳସ୍ୟ ଓ ଚେତନାଶୂନ୍ୟ ମନୋଭାବ ଯୋଗୁଁ ଏସବୁ ହରାଇବାକୁ ପଛାଉନାହାନ୍ତି। ଅନ୍ୟମାନେ ଏହାକୁ ନିଜର କହି ଦାବି କରି ନେଇଯାଉଥିବା ବେଳେ ଓଡ଼ିଶାବାସୀ କେବଳ ଅନାଇ ରହୁଛନ୍ତି। ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଜଗବନ୍ଧୁ ସିଂହ ଦିନେ ଏହି କଥା ହିଁ କହି ଯାଇଥିଲେ। ଆଜି ସେଇ କଥା ସତ ହୋଇଛି। ଦୀର୍ଘ ୭୦୦/୮୦୦ ବର୍ଷର ଆମ ରସଗୋଲାକୁ ବଙ୍ଗୀୟମାନେ ନିଜର କହି ନେଇଥିବା ବେଳେ ଆମେ ଚୁପ୍ ହିଁ ବସିଛୁ। ଯଦି ଆଜି ସ୍ୱର୍ଗତ ସିଂହ ବଞ୍ଚିଥାନ୍ତେ ତେବେ ଜୟଦେବଙ୍କ ଭଳି ରସଗୋଲାକୁ ନିଜର ପ୍ରମାଣ କରିବାକୁ ହୁଏତ ଆମକୁ ଏତେ କଷ୍ଟ ହୋଇନଥାନ୍ତା। ଆଜି ସ୍ଥାନୀୟ ରୋଟାରି ଭବନଠାରେ ଆୟୋଜିତ ‘ଜଗବନ୍ଧୁ ସିଂହ ଜୟନ୍ତୀ ଉତ୍ସବ’ରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏହା କହିଛନ୍ତି ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି।
ଜଗବନ୍ଧୁ ସିଂହ ମେମୋରିଆଲ୍ ଟ୍ରଷ୍ଟ ଓ ଓଡ଼ିଶା ସାହିତ୍ୟ ଏକାଡେମିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ମହାନ୍ତିଙ୍କୁ ‘ପଞ୍ଚମ ଜଗବନ୍ଧୁ ସିଂହ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ପୁରସ୍କାର ବାବଦକୁ ତାଙ୍କୁ ନଗଦ ୧୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ଜୟନ୍ତୀ ରଥ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଟ୍ରଷ୍ଟର ଅଧ୍ୟକ୍ଷା ସୁଜାତା ସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।
Follow Us