ରତ୍ନବେଦିକୁ ଫେରିଲେ ଚତୁର୍ଧା ମୂର୍ତି

Advertisment
ରତ୍ନବେଦିକୁ ଫେରିଲେ ଚତୁର୍ଧା ମୂର୍ତି

ଭୁବନେଶ୍ବର: ସରିଛି ମହାପ୍ରଭୁଙ୍କ ଘୋଷଯାତ୍ରା। ପ୍ରତୀକ ଜନ୍ମବେଦିରେ ପୂଜା ପାଇବା ପରେ ରତ୍ନବେଦିକୁ ଫେରିଛନ୍ତି ଚତୁର୍ଧା ମୂର୍ତି। ରଥରେ ଯାଇ ପାରି ନଥିଲେ ହେଁ ବେଢ଼ାରେ ସମ୍ପନ୍ନ ହୋଇଛି ସମସ୍ତ ରୀତିନୀତି। ବେଢ଼ାରୁ ଗୋଟି ପହଣ୍ଡି ହୋଇ ପ୍ରଭୁ ଆଜି ବିନା ଭକ୍ତଙ୍କ ମେଳରେ ସ୍ବଗୃହକୁ ଫେରି ଯାଇଛନ୍ତି। ରାଜଧାନୀରେ ଆଜି ସଟ୍‌ଡାଉନ୍‌ ଥିବାରୁ ବିନା ଭକ୍ତରେ ସମ୍ପାଦିତ ହୋଇଛି ରତ୍ନବେଦି ବାହୁଡ଼ା। କଟକଣାକୁ ଦୃଷ୍ଟିରେ ରଖି କେଉଁଠି ଦିନରେ ତ କେଉଁଠି ରାତିରେ ଏହା ସମ୍ପନ୍ନ ହୋଇଛି। ପ୍ରତୀକ ଭାବେ ମା’ ଲକ୍ଷ୍ମୀଙ୍କ ଅଭିମାନର ପରମ୍ପରା ମଧ୍ୟ ଦେଖିବାକୁ ମିଳିଥିବା ବେଳେ ରସଗୋଲା ଭୋଗ ହୋଇଥିଲା। ଇସ୍କନରେ ସୁନାବେଶ ଦିନରୁ ପ୍ରଭୁ ରତ୍ନବେଦିକୁ ଚାଲି ଯାଇଥିଲେ। ଆଜି ଓୟୁଏଟି ୮ ନମ୍ବରସ୍ଥିତ ଜଗନ୍ନାଥ ମନ୍ଦିରରେ ସକାଳେ ନୀଳାଦ୍ରିବିଜେ ହୋଇଥିବା ବେଳେ ଜାଗମରା ଧର୍ମବିହାର ଜଗନ୍ନାଥ ମନ୍ଦିରରେ ରାତିରେ ହୋଇଥିଲା।

ସେହିପରି ଏକାମ୍ର କ୍ଷେତ୍ରରେ ଜମେଶ୍ବରପାଟଣା ସାହିସ୍ଥିତ ଶ୍ରୀଜଗନ୍ନାଥ ରଥଯାତ୍ରା କମିଟି ପକ୍ଷରୁ ପାଲିଙ୍କିରେ ଦେବଦେବୀଙ୍କୁ ସିଂହାସନକୁ ନିଆଯାଇଥିଲା। ପରକରଣ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ଚତୁର୍ଧା ମୂର୍ତିଙ୍କୁ ଯାତ୍ରା କରାଯାଇଥିଲା। କରୋନା କଟକଣାକୁ ମାନି ୫ଜଣ ସେବକ ମାସ୍କ ପିନ୍ଧି ଏହାକୁ ସମ୍ପନ୍ନ କରାଇଥିଲେ। କମିଟିର ଆବାହକ ବସନ୍ତ ସମର୍ଥା ପରିଚାଳନା କରିଥିଲେ। ପୁରୁଣା ଭୁବନେଶ୍ବର ବଡ଼ଦାଣ୍ଡ ସାହି ଶ୍ରୀଜଗନ୍ନାଥ ଘୋଷଯାତ୍ରା କମିଟି, ଭୀମଟାଙ୍ଗି ତଳ ଫେଜ୍‌ରେ ସାଇଶ୍ରୀ କ୍ଲବ ପକ୍ଷରୁ ମହିଳାମାନଙ୍କ ଦ୍ବାରା, ପରକରଣ ସାହି ଗଳି, ବଢ଼େଇବାଙ୍କ ଛକସ୍ଥିତ ମଠ ସାହିରେ ପିଲାମାନଙ୍କ ଦ୍ବାରା ନୀଳାଦ୍ରି ବିଜେ କରାଯାଇଥିଲା। କିସ୍ ଶ୍ରୀବାଣୀ କ୍ଷେତ୍ର, ଆର୍.ସି.ଏମ୍ ଶ୍ରୀଜଗନ୍ନାଥ ମନ୍ଦିର, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର, ବିଡିଏ, ପଟିଆ, ଶିଖରଚଣ୍ଡୀ ନଗର, ମଞ୍ଚେଶ୍ବର ରେଲୱେ କଲୋନି, ରଙ୍ଗମାଟିଆ, ଗାଡ଼କଣ ଓ ଭିଏସ୍ଏସ୍‌ନଗର ମନ୍ଦିରରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଅନୁଷ୍ଠିତ ହୋଇଛି। ସଂଧ୍ୟାରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ଠାକୁରଙ୍କୁ ଅସ୍ଥାୟୀ ମଞ୍ଚରୁ ପହଣ୍ଡି କରି ଅଣାଯାଇଥିଲା। ପରେ ରତ୍ନ ସିଂହାସନରେ ଚତୁର୍ଧା ମୂର୍ତି ସ୍ଥାପନା ହେବା ପରେ ଆସ୍ଥାନ ପୂଜା ଓ ରତ୍ନ ସିଂହାସନ ଆଳତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe