ଜାଗମରାରେ ବିଜେଡିର ରୋଡ୍‌ ସୋ’କୁ ଅଟକାଇଲେ ଗ୍ରାମବାସୀ

ମେଳଣ ପଡ଼ିଆ ପ୍ରସଙ୍ଗ‌ରେ ଗ୍ରାମବାସୀଙ୍କ ଅସନ୍ତୋଷ, ସବୁ ଦଳକୁ ବିରୋଧ କରାଯିବ: ଗ୍ରାମ୍ୟ କମିଟି

ଜାଗମରାରେ ବିଜେଡିର ରୋଡ୍‌ ସୋ’କୁ ଅଟକାଇଲେ ଗ୍ରାମବାସୀ

ଖଣ୍ଡଗିରି : ୬୩ ନମ୍ବର ୱାର୍ଡର ଜାଗମରା ଗ୍ରାମରେ ମେଳଣ ପଡ଼ିଆକୁ ନେଇ କିଛି ଦିନ ହେଲା ବିବାଦ ଜାରି ରହିଛି। ଆଜି ଗ୍ରାମବାସୀଙ୍କ ଅସନ୍ତୋଷର ପ୍ରତିଫଳନ ବିଜେଡି ପ୍ରଚାରରେ ଦେଖିବାକୁ ମିଳିଥିଲା। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ପ୍ରାର୍ଥିନୀ ସୁଲୋଚନା ଦାସ, କର୍ପୋରେଟର୍‌ ପ୍ରାର୍ଥିନୀ ରୁନୁ ଜେନା, ଦଳୀୟ ପର୍ଯ୍ୟବେକ୍ଷକ ଅମର ଶତପଥୀ ଓ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଉପସ୍ଥିତିରେ ବିଜେଡିର ଏକ ରୋଡ୍‌ ସୋ’ ଜାଗମରା ଗ୍ରାମରେ ପଶିଲା ବେଳେ କିଛି ଲୋକ ତାହାକୁ ବିରୋଧ କରିଥିଲେ। ମେଳଣ ପଡ଼ିଆ ଗାଁକୁ ଫେରାଇ ଦିଆ ନ ଗଲେ ଗାଁରେ କୌଣସି ରାଜନୈତିକ ଦଳକୁ ଶୋଭାଯାତ୍ରା କରିବାକୁ ଦିଆଯିବ ନାହିଁ ବୋଲି ସେମାନେ ‌କହିଥିଲେ। ଏହାକୁ ନେଇ ବିଜେଡି ସମର୍ଥକ ଓ ଗ୍ରାମବାସୀଙ୍କ ମଧ୍ୟ‌ରେ ଯୁକ୍ତିତର୍କ ହୋଇଥିଲା। ଫଳରେ କିଛି ସମୟ ପାଇଁ ରୋଡ୍‌ ସୋ’ ବନ୍ଦ ହୋଇ ପରେ ସ୍ବାଭାବିକ ହୋଇଥିଲା। ଏପରିକି ଶୋଭାଯାତ୍ରା ଉପରକୁ ଅଣ୍ଡା ମାଡ଼ ହୋଇଥିବାର ସୂଚନା ମିଳିଛି।

ବିଜେଡି ପ୍ରାର୍ଥିନୀ ରୁନୁ ଜେନା କହିଛନ୍ତି ଯେ ପୂର୍ବରୁ ମେଳଣ ପଡ଼ିଆ ସମସ୍ୟା ନେଇ ଲୋକେ ଅସନ୍ତୁଷ୍ଟ ଥିଲେ। କିନ୍ତୁ ଜଣେ ପ୍ରାର୍ଥୀ ତାଙ୍କ ଗଣତାନ୍ତ୍ରିକ ଅଧିକାର ଅନୁଯାୟୀ ପ୍ରଚାର କରିପାରିବ। ସମସ୍ତେ ରାସ୍ତାରେ ଯାତାୟାତ କରିପାରିବେ। ଆଜି ଲୋକଙ୍କ ଭିତରେ ଏହାକୁ ନେଇ ବଚସା ହୋଇଥିଲା। ବୁଝାସୁଝା କରିବା ପରେ ରୋଡ୍‌ ସୋ’ ପୁଣି ଆରମ୍ଭ ହୋଇଥିଲା।

ଅନ୍ୟ ପକ୍ଷରେ ଗ୍ରାମ୍ୟ କମିଟି ସମ୍ପାଦକ ଶଶିକାନ୍ତ ପାତ୍ର କହିଛନ୍ତି ଯେ କଥା ଗ୍ରାମର ପୁରୁଣା ଠାକୁର ଜମିକୁ ସରକାର ଏକ ଅନୁଷ୍ଠାନକୁ ଲିଜ୍ ଆକାରରେ ଦେଇଛନ୍ତି। ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ରହିଛି। କମିଟି ମେଳଣ ନ ସାରିବା ପର୍ଯ୍ୟନ୍ତ କୌଣସି ଦଳର ପ୍ରଚାରକୁ ଗ୍ରାମରେ ପୂରାଇବକୁ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ବିଜେଡି ତରଫରୁ ଏହା ନ ମାନିବାରୁ ଗ୍ରାମବାସୀ ଓ ଗ୍ରାମ୍ୟ କମିଟି ଏହାକୁ ବିରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe