ଯାଜପୁରର ନରହନ୍ତା ଦନ୍ତା ନରସିଂହା ଅସୁସ୍ଥ, ଚାରି ଗୋଡ଼ରେ ଘା’

Advertisment
ଯାଜପୁରର ନରହନ୍ତା ଦନ୍ତା ନରସିଂହା ଅସୁସ୍ଥ, ଚାରି ଗୋଡ଼ରେ ଘା’

ଖଣ୍ଡଗିରି: ଚନ୍ଦକା ଅଭୟାରଣ୍ୟ କୁମାରଖୁଣ୍ଟିରେ ବନ୍ଦୀ ଜୀବନ ବିତାଉଥିବା ଯାଜପୁର ନରହନ୍ତା ଦନ୍ତା ଏବେ ବିପଦରେ। ଲୁହା ଶିକୁଳିର ବେଡ଼ି ପଡ଼ିଥିବା ତା’ର ଚାରି ଗୋଡ଼ରେ ଘା’ ହୋଇଛି। ପ୍ରାଥମିକ ଚିକିତ୍ସା ପରେ ଘା’ ଭଲ ହେଉନାହିଁ। ତେଣୁ ସଂକ୍ରମଣଜନିତ ରୋଗ ପାଇଁ ତା’ ଜୀବନ ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୋଇଛି। ନନ୍ଦନକାନନ ପ୍ରାଣୀ ଚିକିତ୍ସକ ଟିମ୍‌ ନିୟମିତ ଚିକିତ୍ସା ଜାରି ରଖିଥିଲେ ବି କିଛି ସୁଫଳ ମିଳିନଥିବା ଜଣାପଡ଼ିଛି। ‌‌ପ୍ରଥମରୁ ଏହି ହାତୀକୁ ଅତି ଗୋପନୀୟଭାବେ ବନ ବିଭାଗ ରଖିଥିବା ବେଳେ ଏହାର ଗୋଡ଼ ଘା’ ବାବଦରେ କେହି ବି ମୁହଁ ଖୋଲୁନାହାନ୍ତି। ମାତ୍ର ତୁରନ୍ତ ବଡ଼ ଧରଣର ଚିକିତ୍ସା ବ୍ୟବସ୍ଥା ନ ହେଲେ, ପରିଣତି ଦୁଃଖଦ ହେବ ବୋଲି କିଛି ବନ କର୍ମଚାରୀମାନଙ୍କଠାରୁ ସୂଚନା ମିଳିଛି।

ଜାନୁଆରୀ ୨୯ ତାରିଖ ଭୋର୍‌ରେ ନରସିଂହାକୁ ଯାଜପୁରରୁ ଚନ୍ଦକା ଅଣାଯାଇଥିଲା ଓ କୁମାରଖୁଣ୍ଟି ଜଳାଶୟ ନିକଟରେ ବନ୍ଦୀ କରି ରଖାଯାଇଥିଲା। ଯୁବବସ୍ଥାର ଏହି ଦୁର୍ଦାନ୍ତକୁ ଆୟତ୍ତ କରିବା ପାଇଁ ତାର ଚାରି ‌ଗୋଡ଼କୁ ଲୁହା ଶିକୁଳିରେ ବନ୍ଧା ଯାଇଥିଲା। ତା’ ଗୋଡ଼ରୁ ଲୁହା ଶିକୁଳି ଖୋଲି ଏକ ଟ୍ରେଞ୍ଚ୍‌ ଘେରା ମୁକ୍ତ ଏନ୍‌କ୍ଲୋଜର ଭିତରେ ରଖିବାକୁ ଯୋଜନା କରାଯାଇଥିଲା। ମାତ୍ର ଚିହ୍ନଟ ସ୍ଥାନ ପଥୁରିଆ ପଡ଼ିବାରୁ ସେହି ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ ବରଂ ଅଧାରେ ଅଟକି ଗଲା। ଫଳରେ ସେହିଦିନରୁ ନରସିଂହା ଗୋଡ଼ରେ ଶିକୁଳି ପଡ଼ି ରହିଲା ଓ ଘସି ହୋଇ ହୋଇ ଘା’ ହୋଇଗଲା। ନନ୍ଦନାକାନନ ଚିକିତ୍ସକମାନେ ଚିକିତ୍ସା କଲ‌େ ମଧ୍ୟ ଠିକ୍‌ରେ ଔଷଧ ଲେପ ହୋଇପାରୁନଥିବାରୁ ଘା’ ଭଲ ହେଉନାହିଁ। ଆସାମ ମାହୁନ୍ତ ତାକୁ ପୋଷା ମନାଇ ପାରିନାହିଁ। ଫଳରେ ଗୋଡ଼ ଘା’ରେ ଔଷଧ ଲେପନ କରିବାକୁ ଗଲାବେଳେ ଦନ୍ତା ମାରିବାକୁ ଉଦ୍ୟତ ହେଉଛି। ଏମିତି ଅବସ୍ଥାରେ ତୁରନ୍ତ ଓୟୁଏଟି ବିଶେଷଜ୍ଞମାନଙ୍କ ହସ୍ତକ୍ଷେପ ଲୋଡ଼ା ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe