କଳା କହ୍ନେଇଙ୍କୁ ଭଜିବେ

କଳା କହ୍ନେଇଙ୍କୁ ଭଜିବେ

ଭୁବନେଶ୍ୱର: କଳା କହ୍ନେଇଙ୍କ ଜନ୍ମୋତ୍ସବ ପାଇଁ ସଜେଇ ହୋଇଛି ମଠରୁ ମନ୍ଦିର। ରାତି ପାହିଲେ, ଭଜନ କୀର୍ତନରେ ଉଚ୍ଛୁଳିବ କୃଷ୍ଣ ଭାବ। ଉତ୍ସବ ମୁଖର ହେବ ସହର। ଗୃହୀ ମତରେ ଜନ୍ମାଷ୍ଟମୀ ରବିବାର ପାଳିତ ହେଉଥିବା ବେଳେ ବୈଷ୍ଣବ ମତରେ ପ୍ରଭୁଙ୍କ ଜନ୍ମୋତ୍ସବ ସୋମବାର ପାଳିବାକୁ ପ୍ରସ୍ତୁତି କରାଯାଇଛି। ଇସ୍କନ୍‌, ରାମମନ୍ଦିର, ବାୟାବାବା ମଠ, ନୟାପଲ୍ଲୀ ବେହେରା ସାହି ରାଧାକୃଷ୍ଣ ମନ୍ଦିରଠୁ ଆରମ୍ଭ କରି ଅନ୍ୟ ମନ୍ଦିରରେ ଏନେଇ ବିଶେଷ ଆୟୋଜନ କରାଯାଇଛି। ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ମଧ୍ୟ ପ୍ରସ୍ତୁତି ହୋଇଛି। ରାମ ମନ୍ଦିରରେ ରବିବାର ସକାଳ ପ୍ରାୟ ସାଢ଼େ ୫ଟାରେ ମନ୍ଦିର ଖୋଲିବ। ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ ପାଇବେ। ଅପରାହ୍‌ଣ ୪ଟାରେ ପୁଣି ଦର୍ଶନ ଆରମ୍ଭ ହେବ। ଭଜନ କୀର୍ତ୍ତନ ମଧ୍ୟରେ ରାତି ୧୨ଟା ପରେ ନନ୍ଦନନ୍ଦନଙ୍କ ଜନ୍ମୋତ୍ସବ ପାଳିତ ହେବ ବୋଲି ମନ୍ଦିର ପରିଚାଳନା କମିଟିର ପରିଚାଳକ ମହାବୀର ପ୍ରସାଦ ଶର୍ମା କହିଛନ୍ତି। ଏହି ସମୟରେ ବ୍ରତଧାରୀ ଧନିଆ, ଘିଅ ଓ ଚିନି ପ୍ରସ୍ତୁତ ଧନିଆ ଭୋଗ ଖାଇ ବ୍ରତ ଖୋଲିବେ।

ମୃଣ୍ମୟ ମୂର୍ତି ପାଇଁ ମାଟି ଅନୁକୂଳ
ଶାରଦୀୟ ପୂଜା ଅବସରରେ ଆସନ୍ତାକାଲି ମୃଣ୍ମୟ ମୂର୍ତି ପାଇଁ ମାଟି ଅନୁକୂଳ କରାଯିବ। ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ କୁଆଖାଇ ନଦୀ ପଠାରୁ ମାଟି ଆଣିବେ। ରାଜଧାନୀର ବହୁ ପ୍ରମୁଖ ଶାରଦୀୟ ପୂଜା ଅନୁଷ୍ଠାନ ଏଥିରେ ସାମିଲ୍‌ ହେବେ।

ବୈଷ୍ଣବ ମତରେ ସୋମବାର ପାଳିତ ହେବ
ବୈଷ୍ଣବ ମତରେ ଜନ୍ମାଷ୍ଟମୀ ସୋମବାରରେ ପଡ଼ୁଥିବାରୁ ବାୟାବାବା ମଠରେ ସେହିଦିନ ପ୍ରଭୁଙ୍କ ଜନ୍ମୋତ୍ସବ ପାଳିତ ହେବ। ରାତି ୧୨ଟାରେ ପଇଡ଼, ପଞ୍ଚାମୃତ, ଗଙ୍ଗା, ଯମୁନା, ସରସ୍ୱତୀ ଆଦି ତୀର୍ଥ ଜଳରେ ନନ୍ଦଲାଲାଙ୍କ ମହାଭିଷେକ ହେବ। ପ୍ରଭୁଙ୍କୁ ତାଙ୍କର ପ୍ରିୟ ଖାଦ୍ୟ ଲହୁଣି ଭୋଗ ହୋଇ ବଣ୍ଟାଯିବ ବୋଲି ମଠର ମହନ୍ତ ବାବାଜୀ ଭକ୍ତି ଚୈତନ୍ୟ କହିଛନ୍ତି। ଜନ୍ମାଷ୍ଟମୀ ଅବସରରେ ଇସ୍କନ ମନ୍ଦିରକୁ ସମ୍ପୂର୍ଣ୍ଣ ଫୁଲରେ ଆଚ୍ଛାଦିତ କରାଯିବ। ସୋମବାର ରାତି ୧୨ଟାରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳିତ ହେବ। କଳା କହ୍ନେଇଙ୍କୁ ଭୋଗ ଲଗାଇବା ସହ ପ୍ରଭୁଙ୍କୁ ଝୁଲଣରେ ଝୁଲାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe