ଭୁବନେଶ୍ବର: ଗୌରାଙ୍ଗ ସେବା ଫାଉଣ୍ଡେସନ୍ ତରଫରୁ ପଟିଆସ୍ଥିତ କ୍ରିଷ୍ଟାଲ କନଫରେନ୍ସ ହଲ୍ରେ ଜନ୍ମାଷ୍ଟମୀ ଉତ୍ସବ ଭକ୍ତି ସହକାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ବାଳଗୋପାଳ ଏବଂ ରାଧାକୃଷ୍ଣଙ୍କୁ ଅଳଙ୍କାର, ଫୁଲମାଳ ଏବଂ ସୁଗନ୍ଧିତ ଫୁଲରେ ସଜ୍ଜିତ କରାଯାଇଥିଲା। ଶ୍ରଦ୍ଧାଳୁମାନେ ଭଜନ, କୀର୍ତ୍ତନ ସହ ନୃତ୍ୟ କରି ଭଗବାନ କୃଷ୍ଣଙ୍କୁ ଏକ ପାଲିଙ୍କି ଶୋଭାଯାତ୍ରାରେ ନେଇଥିଲେ। ପାରମ୍ପରିକ ବୈଦିକ ମନ୍ତ୍ର ଜପ କରି ଷୋଡ଼ଶ ଉପଚାରରେ ଭଗବାନଙ୍କ ଏକ ଭବ୍ୟ ଅଭିଷେକ କରାଯାଇଥିଲା।
ଫାଉଣ୍ଡେସନ୍ର ସ୍ବେଚ୍ଛାସେବୀ, ଏ.ଏଚ୍.ଏଲ୍ ଫୋରମ୍ ଏବଂ ଗୀତା ଅଧ୍ୟୟନ ସର୍କଲ ମାଧ୍ୟମରେ ସ୍କୁଲର ପିଲାମାନେ ସାଂସ୍କୃତିକ ନୃତ୍ୟ, ରଙ୍ଗୋଲି, ଗୀତା ଶ୍ଳୋକ ଜପ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କୁନିକୁନି ପିଲାମାନେ ରାଧା-କୃଷ୍ଣ ବେଶରେ ନୃତ୍ୟ ମନୋମୁଗ୍ଧକର ଥିଲା। ଏହି ଅବସରରେ ଯୁବପିଢ଼ିଙ୍କୁ ନେଇ ‘ଗୀତା ଜୀବନ’ ସେମିନାର୍ ଅନୁଷ୍ଠିତ ହୋଇଥିଲା।
Follow Us