ଜଟଣୀ ପୌରପାଳିକା ୱାର୍ଡ ନଂ-୮: ଅନେକ ବିକାଶ ହୋଇଛି, ଆହୁରି ବାକି ଅଛି

Advertisment
ଜଟଣୀ ପୌରପାଳିକା ୱାର୍ଡ ନଂ-୮: ଅନେକ ବିକାଶ ହୋଇଛି, ଆହୁରି ବାକି ଅଛି

ଜଟଣୀ: ଜଟଣୀ ପୌରପାଳିକାର ୮ନଂ ୱାର୍ଡ ଏକ ପ୍ରମୁଖ ଅଞ୍ଚଳ ଭାବେ ଜଣାଶୁଣା। ଏହି ଅଞ୍ଚଳରେ ପୌରପାଳିକା କାର୍ଯ୍ୟାଳୟ, ପୁଲିସ ଷ୍ଟେସନ୍, ବିଭିନ୍ନ ଶିକ୍ଷାନୁଷ୍ଠାନ, ଷ୍ଟାଡିୟମ୍ ଆଦି ରହିଛି। ୱାର୍ଡ ଅଧୀନରେ ରାମଚନ୍ଦ୍ରପୁର, ଗୋପବନ୍ଧୁ ନଗର, ବିଡିଏ କଲୋନି, ଶ୍ରୀହରି ବିହାର, ଷଣ୍ଢପୁର ପୂର୍ବପଟ ଆଦି ଅଞ୍ଚଳ ରହିଛି। ପୌରପାଳିକା ନିର୍ବାଚନକୁ ୧ବର୍ଷ ପରେ ୱାର୍ଡରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଥିଲେ ମଧ୍ୟ ଆହୁରି ଅନେକ ପ୍ରକଳ୍ପ ବାକି ଅଛି। ଅଞ୍ଚଳବାସୀ ଏବେବି ଅନେକ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଅଛନ୍ତି।

ୱାର୍ଡରେ ଡ୍ରେନ୍ ସମସ୍ୟା ମୁଖ୍ୟ ସମସ୍ୟା। ଅଧିକାଂଶ ସ୍ଥାନରେ ଡ୍ରେନ୍‌ ନାହିଁ। ଯେଉଁଠି ଅଛି, ତାହା ବ୍ୟବହାର ହୋଇପାରୁନି। ଉକ୍ତ ଡ୍ରେନ୍ ଶେଷ ମୁଣ୍ଡରେ ବନ୍ଦ ହୋଇଯାଇଛି। ପାଣି ଯିବାକୁ ବାଟ ନାହିଁ। ଫଳରେ ଲୋକମାନେ ରାସ୍ତାକୁ ପାଣି ଛାଡୁଥିବା ବେଳେ ବର୍ଷାଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଅନ୍ୟ ସମସ୍ୟା ହେଉଛି ରାସ୍ତା। କେତେକ ସ୍ଥାନରେ କଂକ୍ରିଟ୍ ରାସ୍ତା ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗେଟି, ଗୋଡ଼ି ରାସ୍ତାରେ ଯାତାୟାତ ବିପଦ ସାଜୁଛି। ଅନେକ ସମୟରେ ଲୋକମାନେ ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବର୍ଷା ଦିନେ ରାସ୍ତା ପାଇଁ ଲୋକମାନେ ଅଧିକ ସମସ୍ୟା ଭୋଗୁଛନ୍ତି।

ଅଞ୍ଚଳରେ କିଛି ସ୍ଥାନରେ ବିଦ୍ୟୁତ୍ ତାରଗୁଡ଼ିକ ଝୁଲନ୍ତା ଅବସ୍ଥାରେ ରହିଥିବାରୁ ଲୋକଙ୍କ ପାଇଁ ବିପଦ ସାଜିଛି। କେତେବେଳେ କାହା ଉପରେ ପଡ଼ିବ, କହି ହେବନାହିଁ। ସେହିପରି ଶରତ ପାଇକରାୟ ଷ୍ଟାଡିୟମ୍ ଦୀର୍ଘ ଦିନ ହେଲା ଅବହେଳିତ ହୋଇ ପଡ଼ିରହିଛି। ମୁଖ୍ୟ ଫାଟକ ଦୁଇଟି ଭଗ୍ନ ଅବସ୍ଥାରେ ରହିଥିବା ବେଳେ ରାତି ହେଲେ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳ ପାଲଟିଛି। ଅଞ୍ଚଳରେ କେତେକ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଲାଗି ନାହିଁ। ସଂଧ୍ୟା ହେଲେ ଉକ୍ତ ରାସ୍ତା ଦେଇ ଯାତାୟାତ କରିବାକୁ ଲୋକେ ଭୟ କରୁଛନ୍ତି। ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଅଳିଆ ପଡ଼ି ରହୁଛି। ଠିକ୍ ଭାବେ ସଫେଇ ହେଉ ନଥିବା ଅଭିଯୋଗ ହୋଇଛି। ବରିଷ୍ଠ ନାଗରିକଙ୍କ ପାଇଁ ସଭାଗୃହ, କଲ୍ୟାଣ ମଣ୍ଡପ ପାଇଁ ଦାବି କରାଯାଇଛି।

ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଯାଇଛି
୮ ନମ୍ବର ୱାର୍ଡର ୧ବର୍ଷ ମଧ୍ୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଶେଷ ହୋଇଛି। ଆଉ ଅନେକ ଗୁଡ଼ିଏ ପ୍ରକଳ୍ପ ପାଇଁ ପ୍ରସ୍ତାବ ଯାଇଛି। ମୁକ୍ତା ଯୋଜନାରେ ୩୦ଲକ୍ଷ ବ୍ୟୟରେ ୪ଟି ମୁକ୍ତାକାଶ ବ୍ୟାୟାମଶାଳା (ଶ୍ରୀହରିବିହାର, ବିଡିଏ କଲୋନି, ପିଏନ ହାଇସ୍କୁଲ ପଡ଼ିଆ, ପୌରପାଳିକା ସାମ୍ନା) ଓ ୧୨ଲକ୍ଷ ଟଙ୍କାର ବ୍ୟୟରେ ଦୁଇଟି ଶିଶୁ ଉଦ୍ୟାନ (ଶ୍ରୀହରି ବିହାର ଓ ବିଡିଏ କଲୋନି) ଠାରେ ନିର୍ମାଣ ହୋଇଛି। ସେହିପରି ସରସ୍ୱତୀ ଶିଶୁ ମନ୍ଦିର ଛକ ଠାରୁ ବିଡିଏ କଲୋନି ଓ ଆଦର୍ଶ କଲୋନି ରାସ୍ତା ୨କୋଟି ୪୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଆରମ୍ଭ ହୋଇଛି। ଏଥିସହିତ ୧୦ଟି ଭେଣ୍ଡିଂଜୋନ ନିର୍ମାଣ କରାଯାଇଛି। ୱାର୍ଡରେ ଦୁଇ ଏକର ଜାଗାରେ ଏକ ବଡ଼ ପାର୍କ ନିର୍ମାଣ ପାଇଁ ପ୍ରସ୍ତାବ ଯାଇଛି। ଡ୍ରେନ୍ ସମସ୍ୟାର ସମାଧାନ ପାଇଁ ପ୍ଲାନିଙ୍ଗ ଚାଲିଥିବା ବେଳେ ଶରତ ପାଇକରାୟ ଷ୍ଟାଡିୟମ୍ ରେ ଜାଗାକୁ ନେଇ ବିବାଦ ରହିଥିବାରୁ କୋର୍ଟରେ କେସ ଚାଲିଛି। ୨୪ଘଣ୍ଟିଆ ପାନୀୟ ଜଳ ପାଇଁ ପାଇପ୍ ସଂଯୋଗ ସରିଛି, କିଛି ଦିନ ଭିତରେ ପାଣି ପାଇପାରିବେ ଅଞ୍ଚଳବାସୀ।
ଇତିଶ୍ରୀ ଦାସ, କାଉନ୍‌ସିଲର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe