ଜଟଣୀ: ଜଟଣୀକୁ ବିଭିନ୍ନ ଅଞ୍ଚଳରୁ  ବେପାରବଣିଜ ଉଦ୍ଦେଶ୍ୟରେ ଆସୁଥିବା ବ୍ୟବସାୟୀଙ୍କୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ରେଲୱେ ମାର୍କେଟ୍ ବା ଗୋଲେଇ ମାର୍କେଟ୍‌ରେ ଏକ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। ତତ୍‌କାଳୀନ ଓଡ଼ିଶା ପରିବହନ ନିଗମ (ଓଆର୍‌ଟି) ଓ ପରେ ଓଏସ୍‌ଆର୍‌ଟି ଦ୍ବାରା ପରିଚାଳିତ ଏହି ବସ୍‌ଷ୍ଟାଣ୍ଡ ଏବେ ଅଲୋଡ଼ା ହୋଇପଡ଼ିଛି। ରାତି ହେଲେ ଏହା ନିଶାଡ଼ିଙ୍କ ଆଡ଼ା ପାଲଟିଛି। ଦିନ ଥିଲା ଏହି ବସ୍‌ଷ୍ଟାଣ୍ଡକୁ ୩୦ରୁ ଅଧିକ ବସ୍‌ ବିଭିନ୍ନ ସ୍ଥାନକୁ ଚାଲୁଥିଲା। ବସ୍‌ ମରାମତି ପାଇଁ ଓଆର୍‌ଟିର ଗ୍ୟାରେଜ୍‌ ମଧ୍ୟ ଥିଲା। ଦିନ ରାତି ଏଠାରେ ଗହଳି ଚହଳି ଲାଗୁଥିଲା। ଦୋକାନ ବଜାର ଭିଡ଼ ଲାଗି ରହୁଥିଲା। ହେଲେ ଏବେ କେବଳ ପୁରୁଣା ବସ୍‌ଷ୍ଟାଣ୍ଡ ନାମରେ ଏହା କେବଳ ମୁକସାକ୍ଷୀ ହୋଇ ରହିଛି। 

Advertisment

Indigo crisis : ସଂସଦୀୟ କମିଟି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିଲାନି ଇଣ୍ଡିଗୋ

ଦିନେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଗଡ଼ୁଥିଲା ସରକାରୀ ବସ୍‌
ଏବେ ପାଲଟିଛି ନିଶାଡ଼ିଙ୍କ ଆଡ଼ାସ୍ଥଳୀ

୧୯୫୦ରେ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ୍ ପ୍ରତିଷ୍ଠା ହେବା ପରେ ୧୯୫୩ରେ ରେଲୱେ ମାର୍କେଟ୍‌ରେ ଓଆର୍‌ଟି ଜୋନ୍ ବସଷ୍ଟାଣ୍ଡ ପ୍ରତିଷ୍ଠା କରାଯାଇଥିଲା। ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ୨୧ଟି ରୁଟ୍‌ରେ ୩୦ରୁ ଅଧିକ ବସ ଯାତାୟାତ କରୁଥିଲା। ତେବେ ଧିରେ ଧିରେ ଓଏସ୍‌ଆର୍‌ଟିସିର ବିଭିନ୍ନ ରୁଟ୍‌କୁ ଏଠାରୁ ବସ୍‌ ସେବା ପ୍ରତ୍ୟାହାର ହୋଇଯିବା ପରେ ଏହି ବସ୍‌ଷ୍ଟାଣ୍ଡ୍‌ ଗୁରୁତ୍ବ ହରାଇଲା। ପରବର୍ତ୍ତୀ ସମୟରେ ଗୋଲେଇ ମାର୍କେଟ୍ ଅଞ୍ଚଳରେ ଦୋକାନ ବଜାର ବଢ଼ିବା ଯୋଗୁ ମାର୍କେଟ୍ ରାସ୍ତା ସଙ୍କୁଚିତ ହେବାରୁ ଏହି ଷ୍ଟାଣ୍ଡ୍‌ ଭିତରକୁ ଘରୋଇ ବସ୍‌ଗୁଡ଼ିକ ଆସିଲା ନାହିଁ। ଏବେ କେବଳ ଗୋଟିଏ ବସ୍‌ ଭୁବନେଶ୍ୱରରୁ ଆସି ଜଟଣୀ ଦେଇ ଭୋର୍ ୫ଟା ବେଳେ କଣ୍ଟାମାଳକୁ ଚଳାଚଳ କରୁଛି। ଅପରାହ୍ଣ ସମୟରେ ଫେରୁଛି। ହେଲେ ବସ୍‌ଷ୍ଟାଣ୍ଡ ଭିତରକୁ ପସି ପାରୁନାହିଁ। ଉକ୍ତ ବସଟି ଲୋକଙ୍କ ମନରେ ଓଆର୍‌ଟିର ପୁରୁଣା ସ୍ମୃତି ବହନ କରୁଛି ବୋଲି ସ୍ଥାନୀୟ ଲୋକେ କହନ୍ତି। ବସ ଚଳା ଚଳ ବନ୍ଦ ହେବା କାରଣରୁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପୁରୁଣା ବସଷ୍ଟାଣ୍ଡଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। କିଛି ସ୍ଥାନ ଅସାଧୁ ବ୍ୟବସାୟୀଙ୍କ ଦ୍ବାରା ଜବରଦଖଲ ହୋଇସାରିଥିବାବେଳେ ଅବଶିଷ୍ଟ ସ୍ଥାନକୁ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରାଯାଉଛି। କିନ୍ତୁ ସନ୍ଧ୍ୟା ହେଲେ ଏହା ନିଶାଡ଼ିଙ୍କ ଆଡ଼ାସ୍ଥଳୀ ପାଲଟୁଛି।

Indigo crisis : ସଂସଦୀୟ କମିଟି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିଲାନି ଇଣ୍ଡିଗୋ